• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପଲସ୍ତରା ହୋଇନି, କ୍ଲାସ୍‌ ରୁମ ଭିତିରେ ଇଟା, ବାଲି ଓ ଚିପ୍ସ ଗଦା ହୋଇ ରହିଛି । ଜାଗା ଜାଗାରେ କାନ୍ଥ ଫାଟି ଆଁ କଲାଣି । କେତେବେଳେ ଯେ ଭୁଷୁଡ଼ିବ ତାହା କହିବା ମୁସ୍କିଲ । ସେପଟେ ମୁଣ୍ଡ ଉପରୁ ଛପର ଉଡ଼ିଗଲାଣି । ପାଚେରୀ ନାହିଁ କି ଝରକା ନାହିଁ । କିନ୍ତୁ ପିଲାଏ ବସି ପାଠ ପଢୁଛନ୍ତି, ଶିକ୍ଷୟିତ୍ରୀ ବି ପିଲାଙ୍କୁ ପାଠ ପଢାଉଛନ୍ତି । ଏମିତି ଅବସ୍ଥା ଦେଖିଲେ ସ୍କୁଲ ହତା ଭିତରକୁ ପଶିବାକୁ ଡର ଲାଗିବ । ଥରେ ଚିନ୍ତା କରନ୍ତୁ ସେହି ଘରେ କେମିତି ପାଠ ପଢୁଥିବେ ପିଲାଏ?

ସ୍କୁଲ ଯେମିତି ସରକାରଙ୍କ ସାବତ ପୁଅ । ଆଉ ନୁହେଁ ତ କଣ? କ୍ଲାସରୁମ ଭିତରେ କାଠ ଟେବୁଲ  ପେଟେଇ କି ପଡ଼ିଛି ଯେ ଦେଖିଲେ ଲାଗିବ ସେଇଟା କୋଉ ଗୋଟାଏ ରୋଷେଇ ଘର । କିନ୍ତୁ ପିଲାଏ ଯେ ସେ ଘରେ ପାଠ ପଢୁଛନ୍ତି ତାହା ବିଶ୍ୱାସ ହେଉନଥିବ । ହେଲେ ସେହି ଘରେ ହିଁ ନିଜର ଭବିଷ୍ୟତ ଗଢୁଛନ୍ତି ନିରୀହ ଓ ନିଷ୍ପାପ ପିଲା ।

କେନ୍ଦୁଝର ସଦର ବ୍ଳକ ଡିମିରିମୁଣ୍ଡା ୟୁପି ଏମଇ ସ୍କୁଲର ଅବସ୍ଥା ପୂରା ବେହାଲ । ଭଙ୍ଗାଦଦରା ତଥା ଅର୍ଦ୍ଧନିର୍ମିତ ଅତି ବିପଦ ସଙ୍କୁଳ ଅବସ୍ଥାରେ ମାସମାସ ଧରି ପିଲାମାନେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ସ୍କୁଲ ତିଆରି କରିବା ଲାଗି ପ୍ରଶାସନକୁ ବାରମ୍ବାର ଗୁହାରି କରିଛନ୍ତି ଲୋକେ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ପାଖାପାଖି ବର୍ଷେ ହେଲାଣି କେତେବେଳେ ଗଛମୂଳେ ତ ଆଉ କେତେବେଳେ ଏମିତି ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲାଏ ।

କୁନିକୁନି ପିଲାଏ ପାଠ ପଢୁଥିବାରୁ ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ରହିଛି । ସେଇଥି ଲାଗି ତ ପ୍ରଶାସନ ପାଖରେ ଗୁହାରି କରୁଛନ୍ତି ଶିକ୍ଷକ, ଅବିଭାବକ ଓ ଗାଁ ଲୋକ । କିନ୍ତୁ କାହାର କଥାକୁ କର୍ଣ୍ଣପାତ କରୁନି ପ୍ରଶାସନ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସ୍କୁଲର କେତେ ବେଳେ କାନ୍ଥ ତ କେତେ ବେଳେ ଛପର ଖସି ପଡିବାର ଭୟ ରହିଛି । ତା’ ସହିତ ସ୍କୁଲର ପାଚେରୀ କିମ୍ବା ଶ୍ରେଣୀ ଗୃହର ଝରକା ବି ନାହିଁ । ସତେ ଯେମିତି ବିପଦକୁ ସବୁବେଳେ ହାତ ଠାରି ଡାକୁଛି ସ୍କୁଲ । ସ୍କୁଲକୁ ଲାଗି ଜଙ୍ଗଲ ଥିବା ସହ ଏବେ କେନ୍ଦୁ , ମହୁଲ ପାଚିବା ସମୟ ଆସିଥିବାରୁ ଜଙ୍ଗଲ ଯନ୍ତୁମାନେ ଫଳ ଖାଇବାକୁ ଆସିବେ । ଆଉ ଯଦି ପିଲାଙ୍କର କୌଣସି କ୍ଷତି ହେଲେ ତେବେ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।

ପାଠ ପଢିବା ଲାଗି ବାଜିରେ ଲାଗିଛି ପିଲାଙ୍କ ଭବିଷ୍ୟତ । କେବେ ସ୍କୁଲ ତିଆରି ହେବ, କେବେ ବିପଦମୁକ୍ତ ଅବସ୍ଥାରେ ପିଲାଏ ପାଠ ପଢିବେ ସେନେଇ ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ପ୍ରତିକ୍ରିୟା ଦେବାକୁ ସେମାନେ ଅରାଜି । ତେବେ କେବେ ସ୍କୁଲର ଭାଗ୍ୟ ବଦଳିବ ତାହା ସମୟ କହିବ ।

  • Reported by:
  • PRANAYA PANI