• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାସ୍ତା ନୁହେଁ ତ ମରଣଯନ୍ତା । ରାସ୍ତା କୋଉଟା ବିଲ କୋଉଟା ଜାଣିବା ମୁସ୍କିଲ । ହେଲେ ଏଇ ରାସ୍ତାକୁ ଛାଡିଦେଲେ ଗାଁକୁ ଯିବାକୁ କୌଣସି ବାଟ ବି ନାହିଁ । ଖରା ଦିନରେ ଯାହା ଯେମିତି ଯାଇ ହେଉଛି ହେଲେ ବର୍ଷା ଦିନରେ ରାସ୍ତାର ଅବସ୍ଥା ପୂରା ଖରାପ ।

ଗଂଜାମର ଆଦିବାସୀ ଅଧ୍ୟୁଷିତ ଅଂଚଳ ଧରାକୋଟ ବ୍ଲକର ଉପାନ୍ତ ଗାଁ କଣ୍ଟେଇପଲ୍ଲୀ । ଗାଁରେ ୩୦ଟି ପରିବାର ବାସବାସ କରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁକୁ ତିଆରି ହୋଇପାରିଲାନି ଭଲ ରାସ୍ତାଟିଏ । ତେଣୁ ନାହିଁନଥିବା ଅସୁବିଧାର ସାମ୍ନା କରନ୍ତି ଏହି ଗାଁ ଲୋକେ । ୨ ବର୍ଷ ପୂର୍ବେ ମନରେଗାରେ ଗାଁକୁ ୧୦ ଲକ୍ଷ ଟଙ୍କାର ରାସ୍ତା କାମ ଆସିଥିଲା । ହେଲେ ସେହି ଅର୍ଥରେ ଗାଁକୁ ମାଟି ଓ କିଛି ପଥର ପକାଇ ରାସ୍ତା କାମ ସାରିଦେଇଛି ଠିକାଦାର । ଏବେ ବର୍ଷା ହେବାରୁ ରାସ୍ତାସାରା କେବଳ କାଦୁଅ ।

ରୋଗୀ ହେଉ କି ଗାଁ ଲୋକ ହେଉ । ଗାଁରୁ ବାହାରିବାକୁ ହେଲେ ପଚପଚ କାଦୁଅରେ ୪ କିଲୋମିଟ ବାଟ ଯିବାକୁ ହିଁ ପଡ଼ିବ । ବେଳେ ବେଳେ ଏମିତି ବି ହୁଏ ଏଇ ରାସ୍ତା ଦେଇ ରାସନ ସାମଗ୍ରୀ ଆଣିବା ବେଳେ ପଡିଯାଉଛନ୍ତି ଲୋକେ । ଗାଁକୁ ପକ୍କା ସଡକ ନିର୍ମାଣ ପାଇଁ ସରପଞ୍ଚଙ୍କଠୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ଯାଏଁ ଗୁହାରି କରି କରି ଥକିପଡିଲେଣି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।

ସମସ୍ୟା ଏତିକିରେ ସରିନି । ବରଂ ଗାଁରେ ସ୍କୁଲ ନାହିଁ କି ଅଙ୍ଗନାୱାଡି ବି ନାହିଁ । ତେଣୁ ପିଲାମାନେ ପାଠପଢା ପାଇଁ ୩ କିଲୋମିଟର ଦୂରରେ ଥିବା ମଲ୍ଲିଝରପଲ୍ଲି ଯାଇଥାନ୍ତି । ହେଲେ ବର୍ଷା ଦିନେ ରାସ୍ତାର ଦୁରବସ୍ଥା ଯୋଗୁଁ ନବଜାତକଙ୍କ ପାଇଁ ଟିକାକରଣ କରିବା ସହ ଅଙ୍ଗନୱାଡିରୁ ଛତୁଆ ଓ ଅଣ୍ଡା ଆଣିବାରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥାନ୍ତି । ରାସ୍ତା ପାଇଁ ସ୍କୁଲ କଲେଜ ଯିବା ସମ୍ଭବ ହେଉ ନଥିବାରୁ ପିଲାମାନେ ପାଠ ପଢାରୁ ବି ବଂଚିତ ହେଉଛନ୍ତି ।

ଗାଁକୁ ସବୁଦିନିଆ ରାସ୍ତାଟିଏ ନିର୍ମାଣ କରିବାକୁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିବା ପରେ ଫଳ କିଛି ମିଳୁନି । ତେଣୁ ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସମସ୍ୟା ସମ୍ପର୍କରେ ଜାଣିବା ପରେ ଗାଁକୁ ରାସ୍ତା କରିବା ସହିତ କେମିତି ଗାଁ ଲୋକେ ସରକାରୀ ସହାୟତା ପାଇ ପାରିବେ ସେନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

 

 

  • Reported by:
  • Manoj Muni