• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାଁକୁ ରାସ୍ତା ନାହିଁ ନଈ, ନାଳ ଉପରେ ପୋଲ ନାହିଁ ପରିଣାମ । କେଉଁଠି ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ଡାକ୍ତରଖାନା ଯାଏଁ ନେବାକୁ ଦଉଡ଼ି ଆଉ ଟ୍ୟୁବରେ ନଈ ପାରି ହେବାକୁ ପଡୁଛି, ତ କେଉଁଠି ଷ୍ଟ୍ରେଚର ପାଲଟୁଛି ଆମ୍ବୁଲାନ୍ସ । ପୁଣି କେଉଁଠି ବହିବସ୍ତାନି ମୁଣ୍ଡେଇ କେବେ ଅଣ୍ଟାଏ ପାଣିରେ ତ କେତେବେଳେ ବାପା-ମାଙ୍କ କାନ୍ଧରେ ବସି ଅତି ବିପଦଶଙ୍କୁଳ ଅବସ୍ଥାରେ ପାଠପଢ଼ିବାକୁ ଯାଉଛି ଆମ ଦେଶର ଭବିଷ୍ୟତ । ପ୍ରତିବର୍ଷ ଭଳି ଏଥର ବି ବର୍ଷା ମାସରେ ପୁଣି ସାମ୍ନାକୁ ଆସିଲାଣି ଗାଁ ବିକାଶର ଅସଲ ଚିତ୍ର ।

ଗୋଟଏ ଦିନରେ ଉଦବେଗଜନକ ଚାରିଟି ଛବି । ଆଜିକା ଦିନରେ ଗାଁ ମଣିଷଙ୍କ ଦୁଃଖର ଚାରିଟି ଚିତ୍ର । ଢୋଲପିଟା ବିକାଶ ଗାଲରେ ଶକ୍ତ ଚାପୁଡ଼ା ଦେବା ଭଳି ଦୃଶ୍ୟ। କେନ୍ଦୁଝର ତେଲକୋଇ, ଢେଙ୍କାନାଳର କଙ୍କଡ଼ାହାଡ଼, ସମ୍ବଲପୁରର ରେଢାଖୋଲ, କନ୍ଧମାଳର କ. ନୂଆ ଗାଁରେ ଦୟନୀୟ ସ୍ଥିତି ।

ତେଲକୋଇ ତାଳପଦା ପଞ୍ଚାୟତରେ ଉଛୁଳା ନଈର ପ୍ରଖର ସୁଅ, ତା ଉପର ଦେଇ ଲମ୍ବିଛି ଦଉଡ଼ି । ଆଉ ସେଥିରେ ଟ୍ୟୁବ୍ ଆଶ୍ରାରେ ତାରରେ ଝୁଲି ଝୁଲି ନଈ ପାରି ହେବାକୁ ପଡ଼ୁଛି ଯନ୍ତ୍ରଣାରେ ଛଟପଟ ଜଣେ ଗର୍ଭବତୀ ମହିଳାଙ୍କୁ । କାରଣ ରାସ୍ତା ନଥିବାରୁ ତାଳପଦା ପଞ୍ଚାୟତ ମୁଣ୍ଡାସାହିରୁ ମେଡିକାଲ୍ ଯିବାର ଆଉ ବିକଳ୍ପ ବାଟ ନାହିଁ ଗାଁରୁ । ସମାକୋଇ ନଦୀ ଯାକେ ତ ଲୋକେ କୌଣସି ପ୍ରକାରେ ବୋହି ଆଣିଲେ ହେଲେ ଯୋଗକୁ ଦେବଦୂତ ସାଜି ଅଗ୍ନିଶମ ବାହିନୀ ପହଞ୍ଚିଯିବାରୁ ମହିଳାଙ୍କୁ ନଈ ପାର କରେଇ ତେଲକୋଇ ମେଡିକାଲକୁ ଅଣାଯାଇଥିଲା ।

ସେହିପରି ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ ଇଲାକା ଏକୁଲ-ସେକୁଲର ଏଠି ବି ପାଣିର ପ୍ରଖର ସୁଅରେ ଯେମିତି ମିଳେଇ ଯାଇଛି ଗାଁ ବିକାଶର ଛବି । ଡାକ୍ତରଖାନାକୁ ଯିବା ଲାଗି ଆମ୍ବୁଲାନ୍ସ ଧରିବା ଯାଏଁ ଏମିତି ଦୁଇ ଦୁଇଟି ନାଳର ପ୍ରଖର ସୁଅ କାଟି ଷ୍ଟ୍ରେଚରରେ ବୁହା ହୋଇଛନ୍ତି ଜଣେ ଗୁରୁତର ମହିଳା ରୋଗୀ । ଲୋକଙ୍କ ଅଭିଯୋଗ ବର୍ଷାଦିନେ କାନ୍ତୋଲ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଚାରିଟି ଗାଁ, ଏକୁଲ, ସେକୁଲ, ପୁଟିପାଳ ଓ କୋଟ ଗାଁ ବାସୀଙ୍କ ପାଇଁ ଏହା ନିତିଦିନିଆ ଦୁର୍ଦ୍ଦଶାର କଥା, ହେଲେ ବ୍ୟବସ୍ଥା ନିଦାବିଷ୍ଣୁ ।

ରେଢାଖୋଲ ବ୍ଲକ୍ ଦେବାହାଳି ଗାଁର ଗାଁରେ ସ୍କୁଲ କି ଅଙ୍ଗନଓ୍ୱାଡ଼ି କେନ୍ଦ୍ର ନାହିଁ । କିଲୋମିଟର ଦୂରରେ ସ୍କୁଲ ଓ ଅଙ୍ଗନଓ୍ୱାଡ଼ି କେନ୍ଦ୍ରଥିବା ବୁଢ଼ିଖମର ଗାଁକୁ ଯିବାକୁ ସବୁଦିନିଆ ରାସ୍ତା ବି ନାହିଁ । ତେଣୁ ପିଲାଙ୍କୁ ପାଠ ପଢ଼େଇବା ଲାଗି ବାପା-ମାଙ୍କ ପାଇଁ ବର୍ଷାଦିନିଆ ବିପଦ କହିଲେ ନସରେ । ଜୋର ଆରପଟ ସ୍କୁଲ ଅଙ୍ଗନବାଡ଼ି ଥିବାରୁ ବାଜିରେ ଲାଗିଛି କୁନି କୁନି ଭବିଷ୍ୟତଙ୍କ ଜୀବନ ।

ସେପଟେ ପାଖାପାଖି ସମାନ ଚିତ୍ର କନ୍ଧମାଳ କ.ନୂଆଗାଁ ବ୍ଲକ୍ ଆଡିମାହା ପଞ୍ଚାୟତଅରେ ମଧ୍ୟ ସମାନ ଅବସ୍ଥା । ଗମ୍ଭାରୀ ନଦୀରେ ପୋଲଟିଏ ନଥିବାରୁ ଜରୁରୀ ଆବଶ୍ୟକତା ପାଇଁ ବାହାରକୁ ଯିବାକୁ ହେଲେ ଏମିତି ଦହଗଞ୍ଜ ହୁଅନ୍ତି ପିଲାଠୁ ବୟସ୍କ ।

ଆଜିକା ଯୁଗରେ ରାଜ୍ୟର ଉପାନ୍ତ ଅଞ୍ଚଳରୁ ଆସୁଥିବା ଏଭଳି ଚିତ୍ର ସବୁ କି ବାର୍ତ୍ତା ଦେଉଛି ? ଏହା କଣ ଆମ ସରକାରୀ କଳର ପାରିବା ପଣିଆ ? ଏଭଳି ଦୁର୍ଗମ ଅଞ୍ଚଳରେ ରହୁଥିବା ମଣିଷମାଙ୍କର କଣ ରାସ୍ତା କି ପୋଲ ଭଳି ମୌଳିକ ଭିତ୍ତିଭୂମି ସହ ବଞ୍ଚିବାର ଅଧିକାର ନାହିଁ? କେବେ ଚେତିବ ଆମ ବ୍ୟବସ୍ଥା ?