• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଢ଼ି, ଚୂଡ଼ା, ଖଈରେ ଜିଏସଟି । ନିତିଦିନିଆ ଖାଦ୍ୟରେ ଜିଏସଟି ଲାଗିବାକୁ ଗ୍ରହଣ କରିପାରୁନାହାନ୍ତି ଓଡ଼ିଆ ଲୋକେ । ଏହାକୁ ନେଇ ଗୃହ ଭିତରେ ଯେତିକି ଝଡ଼, ବାହାରେ ବି ସେତିକି ବିରୋଧ । ମୁଢ଼ି, ଚୂଡ଼ାରେ ଜିଏସଟିକୁ ନେଇ ବିରୋଧୀ କଂଗ୍ରେସର ହଟଗୋଳ ଯୋଗୁ ଗୃହ ମୁଲତବୀ ରଖିବାକୁ ବାଧ୍ୟହେଲେ ବାଚସ୍ପତି । ଏପଟେ ରାସ୍ତାରେ କ୍ଷୀର, ଚୂଡ଼ା, ମୁଢ଼ି ଢାଳି ଏହାର ପ୍ରତିବାଦ କରିଛି ଦୁଗ୍ଧ ବ୍ୟବସାୟୀ ମହାସଂଘ ।

ମୁଢ଼ି, ଚୂଡ଼ାରେ ଟିକସ, ଆହାର ଉପରେ ପାହାର ବୋଲି କହିଲେଣି । ସେଇଥିପାଇଁ ସାଧାରଣ ଖାଉଟିଠୁ ଆରମ୍ଭ କରି ବ୍ୟବସାୟୀ ସଂଘ ଯାଏଁ ସବୁଠି ଏନେଇ ବିରୋଧର ସ୍ୱର । ପ୍ୟାକେଜିଂ ଓ ଲେବଲିଂ ହୋଇ ବିକ୍ରି ହେଉଥିବା ମୁଢ଼ି, ଖଈ, ଚୂଡ଼ା ସମେତ ବିଭିନ୍ନ ଦୁଗ୍ଧଜାତ ଉତ୍ପାଦରେ ଆଜିଠୁ ଲାଗୁ ହୋଇଛି । ୫ ପ୍ରତିଶତ ଜିଏସଟି ଏହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ କ୍ଷୀର, ମୁଢ଼ି, ଚୂଡ଼ା ଢାଳି ପ୍ରତିବାଦ କରିଛି ଦୁଗ୍ଧ ବ୍ୟବସାୟୀ ମହାସଂଘ ।

ମହାସଂଘର ଅଭିଯୋଗ, କେନ୍ଦ୍ର ସରକାର ଦୁଗ୍ଧଜାତ ଉତ୍ପାଦରେ ଜିଏସଟି ତ ଲାଗୁକଲେ, ଡାଏରି ମେସିନ୍ ଉପରେ ବି ଜିଏସଟିକୁ ୧୨ରୁ ୧୮ ପ୍ରତିଶତକୁ ବଢ଼ାଇ ଦେଇଛନ୍ତି । ଏହା ଦୁଗ୍ଧଚାଷୀଙ୍କୁ ବେଶ୍ ବାଧିବ । ତେଣୁ ସରକାର ତୁରନ୍ତ ଏସବୁ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର କରନ୍ତୁ, ନହେଲେ ଆଗାମୀ ଦିନରେ ଏ ଆନ୍ଦୋଳନ ଦିଲ୍ଲୀ ଦରବାରରେ ପହଞ୍ଚିବ ।

ବ୍ୟବସାୟୀ ମହାସଂଘ ମତରେ ଏସବୁ ଖାଦ୍ୟ ସାମଗ୍ରୀରେ ଜିଏସଟି ଲାଗୁ ହେବା ଫଳରେ ଦେଶର ୨୦ ଲକ୍ଷ ଛୋଟ ଛୋଟ ମିଲ୍ ଓ ୪ କୋଟି କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ କେନ୍ଦ୍ର ସରକାର ଏ ଟିକସକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ।

ଖାଲି ରାଜରାସ୍ତା ନୁହେଁ, ମୁଢ଼ି, ଚୂଡ଼ାରେ ଜିଏସଟି ପ୍ରସଙ୍ଗକୁ ନେଇ ବିଧାନସଭା ବି ସରଗରମ । ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଜିଏସଟି ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏସବୁ ସାମଗ୍ରୀରେ ଜିଏସଟି ରାଜ୍ୟ ସରକାର ଲାଗୁ ନ କରନ୍ତୁ ବୋଲି ସେ ଦାବି କରିଥିଲେ । ଯଦି ଲାଗୁ ହୁଏ, ଏ ବାବଦ ଜିଏସଟିକୁ ରାଜ୍ୟ ସରକାର ନିଜେ ବହନ କରନ୍ତୁ, ଖାଉଟିଙ୍କୁ ଆଶ୍ୱସ୍ତ କରନ୍ତୁ ।

ତେବେ ଜିଏସଟି ନେଇ କୌଣସି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ନାଚାର ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ପଷ୍ଟ କରିଥିଲେ । ତେବେ ଲାଗୁ ହୋଇଥିବା ଟିକସ କେବଳ କମ୍ପାନି ଦ୍ୱାରା ପ୍ୟାକେଜିଂ ହେଉଥିବା ଖାଦ୍ୟ ପ୍ୟାକେଟରେ ଲାଗିବ । ଏହା ଖୁଚୁରା ବ୍ୟବସାୟୀଙ୍କୁ ପ୍ରଭାବିତ କରିବନି ଜିଏସଟି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ହଟଗୋଳ କରିବାରୁ ବାଚସ୍ପତି ଗୃହକୁ ପ୍ରଥମେ ୧୦ ମିନିଟ୍ ତାପରେ ଅପରାହ୍ଣ ୪ଟା ଯାଏଁ ରଖିଥିଲେ । ଅପରାହ୍ଣ ଅଧିବେଶନରେ ଏ ନେଇ କେନ୍ଦ୍ରକୁ ଚିଠି ଲେଖିବା ପାଇଁ ବାଚସ୍ପତି ଅର୍ଥମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।