• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୋଜନାବଦ୍ଧ ଭାବେ ହଡ଼ପ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ ଜମି । ମନ୍ଦିର ପ୍ରଶାସନ, ତହସିଲ ଓ ଦେବୋତ୍ତର ବିଭାଗ ସହ ଅସାଧୁ ସଂପର୍କ ରଖି ଜମି ମାଫିଆ ହଡ଼ପ କରୁଛନ୍ତି ମନ୍ଦିର ଜମି । ରାଜଧାନୀରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜମି ବିବାଦ ତେଜିବା ପରେ ପଦାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସଦ୍ୟ କିଣାବିକା ହୋଇଥିବା ୨୨୮ ଡିସିମିଲ ଜମି ନୁହେଁ, ଇତିମଧ୍ୟରେ ହଡ଼ପ ହେଲାଣି ସେହି ମୂଳ ପ୍ଲଟର ୧ ଏକର ୧୬୦ ଡିସିମିଲ ଜମି ।

ସରକାରଙ୍କ ଜାଣନ୍ତରେ ହଡ଼ପ୍ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ଜମି । ଜମି ଉପରେ ଅନେକ ଲୋକଙ୍କ କବଜା । ଆପତ୍ତି ଅଭିଯୋଗ ଏପରିକି କୋର୍ଟର ନିର୍ଦ୍ଦେଶକୁ ବି ଖାତିର କରୁନାହାଁନ୍ତି ପ୍ରଭାବଶାଳୀ ଜମି ମାଫିଆ । ଏୟାରପୋର୍ଟ ନିକଟସ୍ଥ ୨୨୮ ଡିସିମିଲ ଜମିକୁ ବିବାଦ ତେଜିବା ପରେ ଅଂଚଳର ମୋଟ ୧ ଏକର ୧୬୦ ଡିସିମିଲ ଜମିରେ ହୋଇଥିବା ନିର୍ମାଣକୁ ନେଇ ଉଠିଛି ପ୍ରଶ୍ନ ।

ପ୍ରାୟ ୨୨ଟି ପରିବାର ଏହି ପୁରା ପ୍ଲଟ ଉପରେ ଘର କରି ରହୁଛନ୍ତି । ମୋଟ୍ ଜମିରୁ ୧୯୭୦ରେ ମାତ୍ର ୩୮ ଡିସିମିଲ ଜମି କିଣି ଘର କରି ରହି ଆସୁଛନ୍ତି ଅନ୍ନପୂର୍ଣ୍ଣା ଭୋଇ, ତାଙ୍କ ନାଁରେ ପଟ୍ଟା ଅଛି । ସରକାରଙ୍କୁ ଖଜଣା ମଧ୍ୟ ଦେଉଥିବା କହିଛନ୍ତି । ସେହିପରି ସରସ୍ୱତୀ ପାତ୍ର ନାମକ ମହିଳାଙ୍କ ନାଁରେ ମଧ୍ୟ ୨୦୦୩ରୁ ଜମି ଦଖଲରେ ରହିଛି । ଉଭୟଙ୍କ ନାଁରେ ଜମି ପଟ୍ଟା ରହିଛି । ଏବେ ଲିଙ୍ଗରାଜଙ୍କ ଜମି କହି ତାଙ୍କୁ ବେଦଖଲ କରାଯିବା ଅନ୍ୟାୟ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

୧୯୬୨ର ପଟ୍ଟା ଅନୁଯାୟୀ ଖାତା ନମ୍ବର୧୯୩୫ର ମୋଟ୍ ୧ ଏକର ୧୬୦ ଡିସିମିଲର ଜମିର ମାଲିକ ଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରହିଛି ।୧୯୬୪ର ନିୟାମାବଳୀ ଅନୁୟାୟୀ ମହାପ୍ରଭୁଙ୍କ ସମ୍ପତ୍ତି କୌଣସି ସେବାୟତ କିମ୍ବା ଜମିରେ ଚାଷ କରୁଥିବା ବ୍ୟକ୍ତିଙ୍କ ନାଁରେ ହୋଇ ପାରିବ ନାହିଁ । କିନ୍ତୁ ମନ୍ଦିର ଜମିରେ ଚାଷ କରୁଥିବା ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଜମିକୁ ନିଜ ନାଁରେ ପଟ୍ଟା କରି ଅନ୍ୟକୁ ବିକି ଦେଇଛନ୍ତି । ମନ୍ଦିର ସମ୍ପତ୍ତି ସୁରକ୍ଷା ଦାୟିତ୍ୱରେ ଥିବା ଟ୍ରଷ୍ଟ ବୋର୍ଡ ଓ ଦେବୋତ୍ତର ବିଭାଗର ନିଷ୍ଟ୍ରିୟତା ପାଇଁ ଲିଙ୍ଗରାଜଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ହଡ଼ପ ହୋଇ ଚାଲିଛି ।

୨୦୨୦ସେପ୍ଟେମ୍ବରରୁ ଏହି ସମସ୍ତ ସମ୍ପତ୍ତିର ଅସଲି ମାଲିକ ମହାପ୍ରଭୁ ଲିଙ୍ଗରାଜ ବୋଲି ଜଣାପଡ଼ିଛି । ସେପଟେ ଲିଙ୍ଗରାଜ ମହାପ୍ରଭୁ ନୁହଁନ୍ତି ବରଂ ଭାରତୀ ମଠ ହିଁ ବିବାଦୀୟ ଜମିର ଅସଲି ମାଲିକ କହି ବିବାଦରେ ମୋଡ଼ ବୁଲାଇବାକୁ ଚେଷ୍ଟା କଲେଣି ମଠର ମହନ୍ତ । ଅନ୍ୟପଟେ ଏହି ଜମିକୁ ନେଇ ମାମଲା କୋର୍ଟରେ ଥିବାରୁ ନିର୍ଦ୍ଦେଶ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନିକ ଅଧିକାରୀ ।

ଭୁବନେଶ୍ୱରରୁ ସ୍ୱାତୀ ଜେନାଙ୍କ ରିପୋର୍ଟ