ଭାଷା ଭିତ୍ତିରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ଆମେ ଓଡିଆ ଭାଷାରେ ଲେଖିଲେ ଆଉ କହିଲେ। କିନ୍ତୁ, ଓଡିଆ ଭାଷା ପାଇଁ ଭାଷା ଆନ୍ଦୋଳନର ଆରମ୍ଭ ପ୍ରଥମେ ଯେ ସମ୍ବଲପୁରରୁ ଆରମ୍ଭ ହୋଇଥିଲା, ଏକଥା ହୁଏତ ଅନେକଙ୍କୁ ଜଣା ନଥିବ।
ଭାରତ ସ୍ୱାଧିନତା ପୂର୍ବରୁ ସମ୍ବଲପୁରରେ ଓଡିଆ ଭାଷା ବଦଳରେ କୋର୍ଟ କଚେରୀରେ ହିନ୍ଦି ଭାଷା ପ୍ରଚଳନ ଉଦ୍ୟମକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ। ପରେ ପରେ ଓଡିଶାର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା। ଭାଷା ଆନ୍ଦୋଳନର ପୁରୋଧା ସାଜିଥିଲେ ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀ ଓ ମଠ ମହନ୍ତ। କିନ୍ତୁ ଆଜି ବି ସେହି ପୁରୋଧାମାନଙ୍କୁ ଇତିହାସ ପୃଷ୍ଠାରେ ସେତିକି ଗୁରୁତ୍ୱ ଦିଆଯାଇ ନାହିଁ।
Also Read
ଏ ସଂପର୍କରେ ଐତିହାସିକ ଦୀପକ କୁମାର ପଣ୍ଡା, ସଂସ୍କୃତି ଗବେଷକ ଡ. ଶ୍ୟାମସୁନ୍ଦର ଧର, ଗୋପାଳଜୀ ମଠର ମହନ୍ତ ହୃଶିକେଶ ଦାଶ ଓ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ପ୍ରମୋଦ ରଥ କୁହନ୍ତି, ଇଂରେଜ ଶାସନ ସମୟରେ, ସମ୍ବଲପୁର ଥିଲା ସେଣ୍ଟ୍ରାଲ ପ୍ରୋଭିନ୍ସର ଶାସନାଧୀନ। ୧୮୯୫ ମସିହା ଜାନୁୟାରୀ ୧୯ ତାରିଖ ଦିନ ଚିଫ୍ କମିସନର ଜନ ଉଡ୍ବର୍ଣ୍ଣ ସମ୍ବଲପୁରରେ ହିନ୍ଦି ଭାଷାକୁ ସରକାରୀ ଭାଷାଭାବେ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଏହାକୁ ସମ୍ବଲପୁରରେ ତୀବ୍ର ବିରୋଧ କରାଗଲା। ୧୯୦୧ ମସିହାରେ ବ୍ରଜ ମୋହନ ମିଶ୍ର, ମଦନ ମୋହନ ମିଶ୍ର, ବଳଭଦ୍ର ସୁପକାର ଓ ଗୋପାଳ ଜୀ ମଠର ମହନ୍ତ ବିହାରୀ ଦାଶ ପ୍ରମୁଖ ନାଗପୁର ଯାଇ କମିସନର ଫ୍ରେଜର ସାହେବଙ୍କୁ ଭେଟି ହିନ୍ଦି ଭାଷା ପ୍ରଚଳନକୁ ବିରୋଧ କରିଥିଲେ। ପରେ ସେପ୍ଟେମ୍ବର ମାସରେ ସେମାନେ ସିମଳା ଯାତ୍ରା କରିଥିଲେ ଓ କମିସନରଙ୍କ ପ୍ରତିନିଧିଙ୍କୁ ସାକ୍ଷାତ କଲେ।
ଧିରେ ଧିରେ ବହୁ ବୁଦ୍ଧିଜୀବୀ ଏହି ଭାଷା ଆନ୍ଦୋଳନରେ ସାମିଲ ହେଲେ। ସେହିବର୍ଷ ଶେଷ ଆଡକୁ କମିସନର ଆଣ୍ଡ ଫ୍ରେଜର ସାହେବ ସମ୍ବଲପୁର ଆସି ଅନୁସନ୍ଧାନ କରି ରିପୋର୍ଟ ଦେବା ପରେ ୧୯୦୩ ରେ ଓଡିଆ ଭାଷାର ପ୍ରଚଳନ ହେଲା।
ହିନ୍ଦି ଭାଷାକୁ ଏଠାକାର ରାଜଭାଷା ରୂପେ ଲଦିଦେବା ଘଟଣାକୁ କେନ୍ଦ୍ରକରି ଆରମ୍ଭ ହୋଇଥିଲା ଭାଷା ଆନ୍ଦୋଳନ। ସମ୍ବଲପୁର ପୁର୍ବରୁ ସେଣ୍ଟ୍ରାଲ ପ୍ରୋଭିନ୍ସରେ ଥିବାବେଳେ, ୧୯୦୫ରେ ଓଡିଶା ଡିଭିଜନ୍ ସହ ମିଶାଗଲା। ଫଳରେ, ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ପଥ ପରିଷ୍କାର ହୋଇଥିଲା।
୧୯୧୫ ମସିହାରେ, ସମ୍ବଲପୁରରେ ଅନୁଷ୍ଠିତ ହୋଇଥିଲା ଉତ୍କଳ ସମ୍ମିଳନୀ। ସମ୍ବଲପୁରର ଚନ୍ଦ୍ର ଶେଖର ବେହେରା ସମ୍ବଲପୁର ଓ ପୁରୀ ଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ସଭାପତିତ୍ୱ କରିବା ସହ ଭାଷାଭିତ୍ତିକ ରାଜ୍ୟ ପାଇଁ ଦାବି ଉଠାଇଥିଲେ।
ତେବେ ଆଜିର ସମୟରେ ସମ୍ବଲପୁରର ବରପୁତ୍ର ମାନେ, ଯେଉଁମାନେ ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୁମିକା ନେଇଥିଲେ, ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହୁଏ।