• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମନେ ମନେ ଛୁଆକୁ ଖୋଜୁଛି, ମଣିଷ ଦେଖିଲେ ଚିହିଙ୍କି ଉଠୁଛି । କିଛି ଏମିତି ଆଚରଣ କରୁଛି କଟକ ଜଗତପୁର ଅଞ୍ଚଳରୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଆସିଥିବା ନରହନ୍ତା ମାଇହାତୀ । ଆଉ ତାର ହିଂସ୍ରତା କମାଇବାକୁ ବନବିଭାଗ ପକ୍ଷରୁ ଚାଲିଛି ଅବିଶ୍ରାନ୍ତ ପ୍ରଚେଷ୍ଟା । ବଣୁଆ ହାତୀକୁ କାଠ ଖୁଆଡରେ ରଖାଯିବା ସହ ଦିଆଯାଉଛି ନିଶ୍ଚେତକ । ନନ୍ଦନକାନନ ଓ ସାତକୋଶିଆର ଡାକ୍ତରୀ ଟିମ୍ ଦ୍ୱାରା ଚାଲିଛି ଚିକିତ୍ସା ।

କପିଳାସ ହାତୀ ଉଦ୍ଧାର କେନ୍ଦ୍ରର କାଠ ଖୁଆଡ ଭିତରେ ଜଗତପୁରରୁ ଉଦ୍ଧାର ନରହନ୍ତା ମାଇ ହାତୀ । କଟକ ଜଗତପୁର ଅଞ୍ଚଳରେ ମଣିଷମରା ହାତୀକୁ କାବୁ କରିବା ପରେ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ଅଣାଯାଇଥିଲା । ଏଠାରେ ପହଞ୍ଚିବା ପରେ ଉଦ୍ଧାର ବଣୁଆ ମାଇ ହାତୀକୁ ନେଇ ଅନେକ ରୋଚକ କଥା ସାମ୍ନାକୁ ଆସିଛି । ହାତୀଟିର ଶାବକ ଜଗତପୁର ପାଖରୁ ତାଠାରୁ ଅଲଗା ହୋଇ ଯାଇ ଥିବାରୁ ସେ ମନେ ମନେ ତାକୁ ଖୋଜୁଛି । ଛୁଆକୁ ପାଖରେ ନପାଇ ମଝିରେ ମଝିରେ ହିଂସ୍ର ମଧ୍ୟ ହେଉଛି । ସେଥିପାଇଁ ସେ ରହୁଥିବା କାଠ ଖୁଆଡକୁ ସମ୍ପୁର୍ଣ୍ଣ ଭାବେ ଜାଲିରେ ଆବଦ୍ଧ କରାଯାଇ ହାତୀକୁ ରଖାଯାଇଛି । ଯେମିତି କୌଣସି ବାହାର ଲୋକଙ୍କୁ ସେ ସହଜରେ ଦୃଶ୍ୟମାନ ହେବନି ।

ଜଗତପୁର ଅଞ୍ଚଳରେ ଲୋକମାନଙ୍କ ହୋ ହଲ୍ଲା ଓ ଚିଡାଇବା ଯୋଗୁଁ ହାତୀଟି ଏଣେ ତେଣେ ପସି କ୍ଷତାକ୍ତ ହୋଇଛି । ଏଣୁ ଯୁଦ୍ଧକାଳୀନ ଭିତିରେ ତାକୁ ଆଣ୍ଟିବାୟୋଟିକ ମାଧ୍ୟମରେ ଚିକିତ୍ସା କରାଯାଉଛି । ବଣୁଆ ହାତୀ ହୋଇଥିବାରୁ ତାକୁ କେବଳ ଜଙ୍ଗଲର ବରଗଛ ଡାଳ ଖାଇବାକୁ ଦିଆଯାଉଛି । ଏପଟେ ନରହନ୍ତା ଉଗ୍ର ମାଇହାତୀକୁ ଶାନ୍ତ କରିବା ତା ଦେହରେ ଥିବା କ୍ଷତକୁ ଭଲ କରିବା ବନ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ଉଦ୍ଧାର ହୋଇ କପିଳାସରେ ଥିବା ହାତୀଟି ୨୦ ବର୍ଷର ଗଜା ବଣୁଆ ହାତୀ ହୋଇଥିବା ବେଳେ ଖାଦ୍ୟ ସଂଗ୍ରହ ପାଇଁ ତାର ନିଜସ୍ୱ ଦକ୍ଷତା ମଧ୍ୟ ରହିଛି । ତେଣୁ ସେ ସୁସ୍ଥ ଆଉ ଶାନ୍ତ ହେବା ପରେ ତାକୁ ଜଙ୍ଗଲରେ ଛାଡିବାର ଯଥେଷ୍ଟ ସମ୍ଭାବନା ରହିଛି ।

(ରିପୋର୍ଟର- ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ)