ରଣଜିତ ସିଂ ହତ୍ୟା ମାମଲାରେ ୫ ଜଣଙ୍କ ସହ ବାବା ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାପୂର୍ବରୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ସହିତ ସାଧ୍ୱୀମାନଙ୍କୁ ଯୌନ ଶୋଷଣ ମାମଲାରେ ତାଙ୍କୁ ବିଭିନ୍ନ ଦଣ୍ଡ ମିଳିସାରିଛି। ରାମ ରହୀମଙ୍କ ବାବା ହେବାର କାହାଣୀ ମଧ୍ୟ କମ କୌତୁହଳପୂର୍ଣ୍ଣ ନୁହେଁ। ସ୍କୁଲ ସମୟରେ ଜଣେ ନଷ୍ଟ ଛାତ୍ରଙ୍କ ତାଲିକାରେ ତାଙ୍କୁ ଗଣାଯାଉଥିଲା। ନାରୀ ଦୁଷ୍କର୍ମ ମାମଲାରେ ତାଙ୍କୁ ଦଣ୍ଡ ଦିଆଯାଇଥିଲା କିନ୍ତୁ ଏହା ପରେ ମଧ୍ୟ ସେ ଷ୍ଟାର୍ ବାବା ହୋଇଯାଇଥିଲେ। ସେ ଜଣେ ଏପରି ବାବା ଥିଲେ ଯାହାଙ୍କର କାର୍ଯ୍ୟକଳାପ ସବୁବେଳେ ବିବାଦରେ ଥିଲା।
ସାଧ୍ୱୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ରାମ ରହୀମ ୨୦ ବର୍ଷ କାରାଦଣ୍ଡ ଭୋଗୁଥିବାବେଳେ ସାମ୍ବାଦିକ ରାମଚନ୍ଦ୍ରଙ୍କ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବର୍ତ୍ତମାନ ସେ ସୁନାରିଆ ଜେଲରେ ଅଛନ୍ତି।
ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମଙ୍କ ଜୀବନ ପିଲାଦିନରୁ ବିବାଦରେ ରହିଆସିଛି। ପିଲାଦିନେ ରାମ ରହୀମ ଏପରି ଅନେକ ଦୁର୍ନୀତି କରିଥିଲେ, ଯେଉଁଥିପାଇଁ ତାଙ୍କ ପରିବାରକୁ ଅନେକ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଥିଲା। ଦଶମ ପରୀକ୍ଷାରେ ରାମ ରହୀମ ବିଫଳ ହୋଇଥିଲେ। ପିଲାଦିନେ ଝିଅମାନଙ୍କୁ ନିର୍ଯାତନା ଦେଇଥିବାରୁ ତାଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଥିଲା।
ପ୍ରକାଶଥାଉ ଯେ ରାମ ରହୀମଙ୍କ ଜୀବନ ଆରମ୍ଭରୁ ବିବାଦରେ ରହିଆସିଛି। ସେ ସ୍କୁଲ ସମୟରେ କେବଳ ଯେ ଝିଅମାନଙ୍କୁ ଯୌନ ଶୋଷଣ କରୁଥିଲେ ତାହା ନୁହେଁ, ଆଖପାଖ ଲୋକଙ୍କୁ ବହୁତ ହଇରାଣ କରୁଥିଲେ। ତାଙ୍କୁ ୯ମ ଶ୍ରେଣୀରେ ସ୍କୁଲରୁ ବହିଷ୍କାର କରାଯାଇଥିଲା। ଦଶମ ଶ୍ରେଣୀରେ ସେ ଫେଲ୍ ହୋଇଥିଲେ।
ଦେଖିବାକୁ ଗଲେ ଗୁରୁମିତ ରାମ ରହୀମଙ୍କର ବିବାଦ ସହିତ ଏକ ପୁରୁଣା ସମ୍ପର୍କ ରହିଛି। ତାଙ୍କର ଦୃଢ ରାଜନୈତିକ ସମ୍ପର୍କ ଥିଲା। ସେ ନିଜକୁ ହିରୋ ଭାବରେ ଉପସ୍ଥାପନ କରି ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ। ଡେରା ସଚ୍ଚା ସୌଦା ତଥାପି ତାଙ୍କୁ ଏହାର ମୁଖ୍ୟ ଭାବରେ ଗ୍ରହଣ କରେ। ତାଙ୍କ ଅନୁପସ୍ଥିତିରେ ମଧ୍ୟ ତାଙ୍କ ନାମରେ କାର୍ଯ୍ୟକଳାପ ଚାଲିଛି। ସେ କୁହନ୍ତି ଯେ ବାବା ହେବା ପରେ ତାଙ୍କ ପରିବାର ତାଙ୍କୁ ଛାଡିଦେଇଥିଲେ। କିନ୍ତୁ ସେମାନେ ସବୁବେଳେ ତାଙ୍କ ସହ ଅଛନ୍ତି ବୋଲି ସେ କୁହନ୍ତି। ତାଙ୍କ ଜୀବନ କାହାଣୀ ତାଙ୍କ ଚଳଚ୍ଚିତ୍ର ପରି ରଙ୍ଗୀନ ଏବଂ ଆଶ୍ଚର୍ଯ୍ୟଜନକ ମଧ୍ୟ।
ରାମ ରହୀମର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ବଡ଼ ଝିଅର ନାମ ଚରଣପ୍ରୀତ ଓ ସାନ ଝିଅର ନାମ ଅମରପ୍ରୀତ। ପୁଅ ଭଠିଣ୍ଡାର ପୂର୍ବତନ ବିଧାୟକ ହରମିନ୍ଦର ସିଂ ଜସିଙ୍କ ଝିଅକୁ ବିବାହ କରିଛନ୍ତି। ଝିଅମାନେ ମଧ୍ୟ ବିବାହ କରିସାରିଛନ୍ତି। ତାଙ୍କ ପିଲାମାନେ ଡେରା ଅଧିନରେ ଚାଲୁଥିବା ବିଦ୍ୟାଳୟରେ ପଢିଛନ୍ତି।
ଡେରା ୧୯୪୮ ମସିହାରେ ଶାହା ମସ୍ତାନାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଡେରା ସଚ୍ଚା ସୌଦା ହେଉଛି ଏକ ଆଶ୍ରମ ଯାହା ଦେଶ ସ୍ୱାଧୀନତାର ପ୍ରାୟ ଏକ ବର୍ଷ ପରେ ସୃଷ୍ଟି ହୋଇଥିଲା। ଏହି ଆଶ୍ରମର ମୁଖ୍ୟାଳୟ ହରିୟାଣାର ସିର୍ସା ଜିଲ୍ଲାରେ ଅଛି। ଡେରା ସଚ୍ଚା ସୌଦା ସାମ୍ରାଜ୍ୟର ଚେର ବିଦେଶ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିଛି। ଦେଶରେ ଡେରା ନିକଟରେ ଅନେକ ଆଶ୍ରମ ଅଛି ଏବଂ ଏହାର ଶାଖା ଆମେରିକା, କାନାଡା ଏବଂ ଇଂଲଣ୍ଡରୁ ଅଷ୍ଟ୍ରେଲିଆ ଏବଂ ୟୁଏଇ ପର୍ଯ୍ୟନ୍ତ ବ୍ୟାପିଛି।
୧୯୭୪ ମାର୍ଚ୍ଚ ୩୧ରେ ତତ୍କାଳୀନ ଡେରା ମୁଖ୍ୟ ଶାହ ସତନାମ ସିଂ ଜୀ ନିଜକୁ ରାମ ରହୀମ ନାମ ଦେଇଥିଲେ। ୧୯୯୦ ସେପ୍ଟେମ୍ବର ୨୩ରେ, ଶାହା ସତ୍ନାମ ସିଂ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଅନୁଗାମୀମାନଙ୍କୁ ଡାକି ଗୁରମିତ ରାମ ରହୀମ ସିଂଙ୍କୁ ସେମାଙ୍କ ଉତ୍ତରାଧିକାରୀ ଭାବରେ ଘୋଷଣା କରିଥିଲେ।
ଗୁରମିତ ରାମ ରହୀମ ସିଂ ୧୯୬୭ ଅଗଷ୍ଟ ୧୫ରେ ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲ୍ଲାର ଗୁରୁସର ମୋଦିଆର ଏକ ଜାଟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ। କୁହାଯାଏ ଯେ ତାଙ୍କର ପ୍ରକୃତ ନାମ ହରପାଲ ସିଂ ଥିଲା।
କେତେବେଳେ ସେ ନିଜକୁ ଗୁରୁ ଗୋବିନ୍ଦ ସିଂଙ୍କ ଭଳି ଛଦ୍ମବେଶ କରି ବିବାଦ ଭିତରକୁ ଆସିଥିଲେ ତ ପୁଣି କେତେବେଳେ ନିଜକୁ ଭଗବାନ ବିଷ୍ଣୁ ବୋଲି କହୁଥିଲେ। କିନ୍ତୁ ତାଙ୍କ ଆଶ୍ରମରେ ଯୌନ ଶୋଷଣ ଏବଂ ସାଧ୍ୱୀମାନଙ୍କ ନିର୍ଯାତନା କାହାଣୀ ସାମ୍ନାକୁ ଆସିବା ପରେ ମାମଲା ଗୁରୁତର ହେବାକୁ ଲାଗିଲା। ତାଙ୍କ ବିରୋଧରେ କିଛି ହତ୍ୟା ମାମଲା ମଧ୍ୟ ସାମ୍ନାକୁ ଆସିଲା। ଏହି ଅଭିଯୋଗ ଆଶ୍ରମର ଲୋକମାନଙ୍କ ଦ୍ୱାରା ବାହାରକୁ ଆସିଥିଲା।
ଧ୍ୟାନ କରିବା ଓ ଯୌନ ଶୋଷଣ ପାଇଁ ଗୁରୁମିତ କ୍ୟାମ୍ପ ଭିତରେ ଗୁମ୍ଫା ପରି ଭୂତଳ ଘର ନିର୍ମାଣ କରିଥିଲେ। ସବିଦିନ ସେ ନିଜ ଶିଷ୍ୟାମାନଙ୍କ ମଧ୍ୟରୁ ଜଣକୁ ବାଛୁଥିଲେ ଏବଂ ତା’ପରେ ତାଙ୍କ ଶରୀରକୁ ତାଙ୍କ ନିକଟରେ ଉତ୍ସର୍ଗ କରିବାକୁ କହୁଥିଲେ। ଏହି ଝିଅମାନଙ୍କୁ ଡେରାରେ ରଖାଯାଉଥିଲା। ସେମାନେ ଅପେକ୍ଷା କରି ରହୁଥିଲେ ଯେ କେବେ ପୁରୁଷ ଭକ୍ତଙ୍କ ସହିତ ସେମାନଙ୍କର ବିବାହ ହେବ, ଯେଉଁମାନେ ଦାସ ପରି ଗୁରୁମିତଙ୍କ ଆଦେଶ ପାଳନ କରୁଥିଲେ।
ଫତେହାବାଦ ଜିଲ୍ଲାର କସ୍ବା ତୋହାନାର ବାସିନ୍ଦା ହଂସରାଜ ଚୌହାନ (ପୂର୍ବତନ ଡେରା ସାଧୁ) ଜୁଲାଇ ୨୦୧୨ରେ ଡେରା ସଚ୍ଚା ସୌଦା ମୁଖ୍ୟଙ୍କ ବିରୋଧରେ ଡେରାର ୪୦୦ ସାଧୁଙ୍କୁ ନପୁଂସକ କରିଥିବା ଅଭିଯୋଗ କରି ହାଇକୋର୍ଟରେ ଆବେଦନ କରିଥିଲେ। ୧୬୬ ସାଧୁଙ୍କ ନାମ ସହିତ ସବିଶେଷ ତଥ୍ୟ କୋର୍ଟରେ ଉପସ୍ଥାପିତ ହୋଇଥିଲା। ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି।
ହରିୟାଣାର ସିର୍ସା ଠାରେ ବାବା ରାମ ରହୀମଙ୍କର ପ୍ରାୟ ୭୦୦ ଏକର କୃଷି ଜମି ଅଛି। ରାଜସ୍ଥାନର ଗଙ୍ଗନଗରରେ ଏହାର ୧୭୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ମଧ୍ୟ ଅଛି। ଏହା ବ୍ୟତୀତ ତାଙ୍କ ନାମରେ ଏକ ଗ୍ୟାସ୍ ଷ୍ଟେସନ ଏବଂ ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଅଛି। ଡେରା ସଚ୍ଚା ସୌଦାର ଜମି ଏବଂ ସମ୍ପତ୍ତି ଏକ ଟ୍ରଷ୍ଟ ମାଧ୍ୟମରେ ରକ୍ଷଣାବେକ୍ଷଣ କରାଯାଏ ଯାହାର ମୁଖିଆ ହେଉଛନ୍ତି ବାବା ରାମ ରହୀମ।
ବାବା ରାମ ରହୀମ ଗତ ଚାରି ବର୍ଷ ଧରି ହରିୟାଣାର ସୁନାରିଆ ଜେଲରେ କଏଦ ଅଛନ୍ତି। ୮୬୪୭ କଏଦୀ ଭାବରେ ରାମ ରହୀମଙ୍କୁ ଏଠାରେ କଠିନ ପରିଶ୍ରମ କରିବାକୁ ପଡୁଛି। ଏଠାରେ ପନିପରିବା ଚାଷ କରିବା ବ୍ୟତୀତ ସେ ଅନ୍ୟ କାମ ମଧ୍ୟ କରୁଛନ୍ତି। କଠିନ ପରିଶ୍ରମ ହେତୁ ତାଙ୍କ ଓଜନ ମଧ୍ୟ କମି ଗଲାଣି। ତେବେ ବାବାଙ୍କ ରହିବା କାରଣରୁ ସୁନାରିଆ ଜେଲ୍ ଏକ ଉଚ୍ଚ ସୁରକ୍ଷା ଜୋନ୍ରେ ପରିଣତ ହୋଇଛି। ଜେଲର ସୁରକ୍ଷା କ୍ଷେତ୍ରରେ ପାରା ମିଲିଟାରୀ ମଧ୍ୟ ନିୟୋଜିତ କରାଯାଇଛି।