• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାହାଙ୍ଗା(ମନୋଜ ଆଚାର୍ଯ୍ୟ) : ବାଦୁଡ଼ିଙ୍କ ଭୂସ୍ୱର୍ଗ । ଡେଙ୍ଗା ଡେଙ୍ଗା ଗଛ ଡାଳରେ ନିର୍ଭୟରେ ଓହଳି ଥାଆନ୍ତି । ଦିନ ସାରା ଝୁଲି ଝୁଲି ପର ହଲାଉଥିବା ବେଳେ ରାତିରେ ବାହାରି ଯାଆନ୍ତି ଖାଦ୍ୟ ଅନ୍ୱେଷଣରେ । ଭୟ ନଥାଏ, ନିର୍ଭୟରେ ବିଚରଣ କରନ୍ତି ଲୁପ୍ତପ୍ରାୟ ପକ୍ଷୀ । ଲାପଟୁଆଁ-ବରାହିପୁର ଗାଁର ବିଭିନ୍ନ ଜାଗାରେ ହଜାର ହଜାର ସଂଖ୍ୟାରେ ବାଦୁଡ଼ି ନିର୍ଭୟରେ ବୁଲୁଥିବାର ଦେଖିବାକୁ ମିଳେ । ଆଉ ସବୁଠାରୁ ବଡ଼ କଥା ହେଲା ସେମାନଙ୍କୁ ସୁରକ୍ଷା ଦିଅନ୍ତି ଗାଁ ଲୋକ ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଲାପଟୁଆଁ-ବରାହିପୁର ଗାଁ । ପିଢ଼ି ପରେ ପିଢ଼ି ଏଠାରେ ସୁରକ୍ଷିତ ଜୀବନ ବିତାଉଛନ୍ତି ବାଦୁଡିମାନେ। ଗାଁର ଅନେକ ଗଛରେ ସେମାନେ ନିର୍ଭୟରେ ରୁହନ୍ତି । ଗାଁ ଲୋକଙ୍କ ବିଶ୍ଵାସ ଅନୁସାରେ ଗାଁରେ ବାଦୁଡ଼ିମାନେ ରହିବା ଦିନଠୁ ଗାଁ ଲୋକଙ୍କ ଉପରେ କାହାର କୁଦୃଷ୍ଟି ପଡୁନି । ସେଥିପାଇଁ ବାଦୁଡି ଦେଖିଲେ କେହି ତାଙ୍କ ଉପରକୁ କେହି ଟେକା ପଥର ମାରନ୍ତିନି କି ଘଉଡ଼ାଇ ଦିଅନ୍ତିନି । କେବଳ ଏତିକି ନୁହେଁ ବାଦୁଡି ରହୁଥିବା ଗଛକୁ କଟା ମଧ୍ୟ ଯାଏନି । ଖରାଦିନେ ଅଧିକ ଗରମ ହେଲେ ସେମାନଙ୍କୁ ପାଣି ପିଇବା ବ୍ୟବସ୍ଥା ମଧ୍ୟ କରିଥାନ୍ତି ଗାଁ ଲୋକେ । ଆଉ ଶିକାରୀ କଥାତ ଛାଡନ୍ତୁ । ଶିକାରୀ ଶିକାର କରିବା ତ ଦୂରର କଥା ଆଖି ଉଠାଇ ବାଦୁଡି ମାନଙ୍କୁ ଦେଖିବା ମଧ୍ୟ ଏଠି ସମ୍ଭବ ନୁହେଁ । ଗାଁ ଲୋକେ ବାଦୁଡ଼ିଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦିଅନ୍ତି ।

ପୂର୍ବରୁ ଏହି ଗାଁରେ ଗୋଟେ ଦୁଇଟି ଗଛରେ ବାଦୁଡି ରହୁଥିଲେ । ହେଲେ ମହାବାତ୍ୟା ପରେ ପରେ ହଠାତ ଏମାନଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବଢିଯାଇଛି । କାହିଁ କେଉଁ ଆଡୁ ବାଦୁଡିମାନେ ଆସି ଏହି ଗାଁରେ ସୁରକ୍ଷା ରହୁଛନ୍ତି । ଗାଁ ଲୋକେ ବି ଏମାନଙ୍କୁ ସୁରକ୍ଷା ଦେଇ ବେଶ ଖୁସି । ବାଦୁଡି ସେମାନଙ୍କ ପାଇଁ ଶୁଭ ବୋଲି ଧାରଣା । ତେବେ ଏକ ଲୁପ୍ତପ୍ରାୟ ପକ୍ଷୀର ସୁରକ୍ଷା କରି ସେମାନେ ବେଶ ଆନନ୍ଦ ପାଆନ୍ତି ବୋଲି କହନ୍ତି । ବାଦୁଡିମାନଙ୍କ ଭୂସ୍ୱର୍ଗ କୁହାଯାଉଥିବା ଏହି ଗାଁ ଓ ଏହି ଗାଁର ଲୋକମାନେ ପରିବେଶ ସୁରକ୍ଷା ସହ ଲୁପ୍ତପ୍ରାୟ ପକ୍ଷୀମାନଙ୍କ ଯତ୍ନ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।