ଭୁବନେଶ୍ୱର: ତାମିଲନାଡ଼ୁ କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସିଡିଏସ୍ ବିପିନ୍ ରାୱତଙ୍କ ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ ଯବାନ । ଆଜି ତାଙ୍କର ପାର୍ଥୀବ ଶରୀର ଓଡ଼ିଶା ଆସୁଛି । ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବ ହେଲିକପ୍ଟର ଦୁର୍ଘଟଣାରେ ମୃତ ରାଣାପ୍ରତାପ ଦାସଙ୍କ ପାର୍ଥୀବ ଶରୀର । ଅନୁଗୋଳ ଜିଲ୍ଲା ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁରେ ରାଣାପ୍ରତାପଙ୍କ ଘର ।
Also Read
ରାଣାପ୍ରତାପଙ୍କ ବିୟୋଗରେ ତାଙ୍କର ଜନ୍ମ ମାଟି ତାଙ୍କୁ ଝୁରୁଛି । ପରିବାର ଏବଂ ଗାଁ ଲୋକେ ରାଣାପ୍ରତାପଙ୍କ ଶେଷ ଦର୍ଶନ ପାଇଁ ଚାହିଁ ରହିଛନ୍ତି । ଗତ ୮ ତାରିଖରେ ତାମିଲନାଡ଼ୁ କୁନ୍ନୁର ନିକଟରେ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସ୍ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ଅନ୍ୟ ୧୧ ଜଣ ଯବାନ ପ୍ରାଣ ହରାଇଥିଲେ । ଏଥିରେ ଓଡ଼ିଆ ଯବାନ ରାଣାପ୍ରତାପ ମଧ୍ୟ ଥିଲେ ।
ତେବେ ଘଟଣା ଦିନ ଯବାନ ରାଣାପ୍ରତାପଙ୍କ ମୃତ୍ୟୁ ଖବର ପରିବାରର ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା । ହେଲେ ବାପା ମା’ଙ୍କୁ ଦିଆଯାଇନଥିଲା । ପରେ ପୁଅର ସହିଦ ଖବର ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଯବାନଙ୍କ ବାପା ମା’ । ପୁଅକୁ ସବୁଦିନ ପାଇଁ ହରାଇ କାନ୍ଦି କାନ୍ଦି ଭୂମିରେ ବାପା ଲୋଟି ପଡ଼ୁଥିବା ବେଳେ ମା’ ପୁରାପୂରି ସ୍ତବ୍ଧ ହୋଇଯାଇଛନ୍ତି । ମାଆଙ୍କର ପାଟିରୁ କଥା ବାହାରୁ ନାହିଁ । ଯବାନଙ୍କ ବାପା ମା’ଙ୍କ ହାର୍ଟ ସମସ୍ୟା ଥିବା ଯୋଗୁ ପରିବାର ଲୋକ କି ଗାଁ ଲୋକେ ହଠାତ୍ ସେମାନଙ୍କୁ ପୁଅର ସହିଦ ଖବର ଜଣାଇନଥିଲେ । ଏଭଳି କିଛି ଶୋକାକୁଳ ଦୃଶ୍ୟ ଦେଖିବାକୁ ମିଳିଛି ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ ହୋଇଥିବା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ଘରେ । ରାଣା ପ୍ରତାପ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ ।
ରାଣା ପ୍ରତାପଙ୍କ ମୃତ୍ୟୁକୁ ନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘ରାଣା ପ୍ରତାପ ଏହି ଅଞ୍ଚଳର ଓ ସାରା ଭାରତ ବର୍ଷ ପାଇଁ ଗର୍ବ । ତାଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ଲାଗୁଛି ।’ ଦୁଃଖରେ ଭାଙ୍ଗି ପଡ଼ିଥିବା ରାଣା ପ୍ରତାପଙ୍କ ବଡ଼ ମାଆ ହୀରଲାଲ୍ ଦାସ କହିଛନ୍ତି, ‘ମୋ ପୁତୁରା ରାଣା ବହୁତ ଭଲ ଥିଲା । ତାର ଗୋଟିଏ ଛୋଟିଏ ପୁଅ ଅଛି । ତାକୁ ୨ ବର୍ଷ ମଧ୍ୟ ହୋଇ ନାହିଁ । ପୂଜା ଛୁଟିରେ ଘରକୁ ଆସିଥିବା ବେଳେ ସେ ମୋ ସହ କଥାବାର୍ତ୍ତା ହୋଇଥିଲା । ସେ ସବୁବେଳେ କୁହେ, ମାମା, ତୁମ ଘରକୁ ଆସିଲେ ମୁଁ ଦେଶୀ ଖାଦ୍ୟ ଖାଉଛି । ’