Advertisment

ଅମଳବେଳକୁ ମାଡ଼ି ଆସୁଛି ଅଦିନିଆ ବର୍ଷା

ଆଗକୁ ରହିଛି ଅଦିନିଆ ବର୍ଷା। ଚିନ୍ତାରେ ପଡିଗଲେଣି ଚାଷୀ। ମଣ୍ଡିଗୁଡ଼ିକ ପଡିଛି ଖୋଲାମେଲା ଅବସ୍ଥାରେ। କ୍ଷେତରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଅମଳ ଫସଲର ସୁରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ।

author-image
Pramod Behera
undefined

RAIN THREAT in Odisha

ଭୁବନେଶ୍ୱର: ପୁଣି ମାଡି ଆସୁଛି ଅଦିନିଆ ବର୍ଷା। ଭିଜାଇବ ଅମଳ ଫସଲ। ଉଜାଡ଼ିବ ବର୍ଷକର ଦାନା ପାଣି। ଏହାକୁ ନେଇ ଚିନ୍ତାରେ ପଡିଗଲେଣି ଚାଷୀ। ୱେଷ୍ଟର୍ଣ୍ଣ ଡିଷ୍ଟବାର୍ନ୍ସ ବା ପଶ୍ଚିମା ଝଡ଼ ପ୍ରଭାବରେ ପ୍ରାୟ ଅଧା ଓଡ଼ିଶା ଭିଜିବ ୪ଦିନ ଧରି। କାରଣ କାଲିଠୁ ମକର ସଂକ୍ରାନ୍ତି ଯାଏଁ ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସତର୍କ ରହିବାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Advertisment

ଜାନୁୟାରୀ ୧୧ ଏବଂ ୧୨ରେ ୧୦ଟି ଜିଲ୍ଲା, ୧୩ ତାରିଖରେ ୧୧ଟି ଜିଲ୍ଲା ଏବଂ ଜାନୁୟାରୀ ୧୪ରେ ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜାନୁୟାରୀ ୧୨ରେ କିନ୍ତୁ ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆକଳନ କରାଯାଇଛି। ସମ୍ଭାବ୍ୟ ବର୍ଷାରେ ସବୁ ଜିଲ୍ଲାରେ ଅମଳ ଧାନ ସହ କ୍ଷେତରେ ଥିବା ସବୁଜ ପରିବା ପ୍ରଭାବିତ ହୋଇପାରେ।

ଏବେ ବରଗଡ଼ରୁ ଧର୍ମଗଡ଼ ଯାଏଁ ମଣ୍ଡିଗୁଡ଼ିକ ଖୋଲାମେଲା ଅବସ୍ଥାରେ ପଡିଛି। ବିକ୍ରି ଅପେକ୍ଷାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡ଼ିରହିଛି। ରାତିଦିନ ଜଗିରହିଛନ୍ତି ଚାଷୀ। କାରଣ ଧାନ କିଣାରେ ଅବ୍ୟବସ୍ଥା। କେଉଁଠି ଟାର୍ଗେଟ୍‌ ନ ଥିବାରୁ ମିଲର୍ସ ଧାନ ଉଠାଉ ନାହାଁନ୍ତି ତ ଆଉ କେଉଁଠି ପ୍ରିୟାପ୍ରୀତି ତୋଷଣ ଅଭିଯୋଗ। ଫଳରେ ଅସଲ ଚାଷୀ ନିରାଶ ହୋଇ ଦିନରାତି ବସି ରହିଛନ୍ତି।

Advertisment

ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାରେ ଗତକିଛି ଦିନ ତଳେ କୁଆପଥର ମାଡ଼ ସହ ଅଦିନିଆ ବର୍ଷାର ପ୍ରଭାବରେ ମଣ୍ଡିରେ ଥିବା ଧାନସବୁ ଗଜା ହୋଇଯାଇଥିଲା। ସାଂଘାତିକ କ୍ଷତି ସହିଥିଲେ ଚାଷୀ। ଏବେ ପୁଣି ଥରେ ବର୍ଷା ଆସୁଥିବା ବେଳେ ଧାନ ଉଠୁ ନ ଥିବାରୁ ଉଗ୍ର ହୋଇଉଠିଛନ୍ତି ସମସ୍ତେ। ବୀରମହାରାଜପୁର ବ୍ଲକ ବହଳପଦର ମଣ୍ଡିରେ ତାଲା ମାରିଦେଇଛନ୍ତି। ତା’ସହ ବିକ୍ଷୋଭ କରିଛନ୍ତି। ପରେ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିଛନ୍ତି।

ଏହି ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି କ୍ଷେତରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଅମଳ ଫସଲର ସୁରକ୍ଷା ପାଇଁ ପଲିଥିନ୍ କିମ୍ବା ତାରପୋଲିନ୍ ଢାଙ୍କି ରଖିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି କିଛିଦିନ ପାଇଁ ଡାଲି ଜାତୀୟ ବୀହନ ବୁଣାବୁଣି ନ କରିବାକୁ କୁହାଯାଇଛି।

ରିପୋର୍ଟ:ଇଙ୍ଗିତ ପଣ୍ଡା, ରବୀନ୍ଦ୍ର ହୋତା ଦୀପକ ଶର୍ମା

Odisha News
Advertisment
Advertisment