Advertisment

ଫେରାଇଲେନି ୧୨ ଟଙ୍କା, ଏବେ ଗଣିବେ ୩ ଲକ୍ଷର ତଣ୍ଡ

ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ।

undefined

Consumer Court

Advertisment

ପାର୍କିଂବାଲାର ଜୁଲୁମକୁ ଜବରଦସ୍ତ ଅଦାଲତି ଛାଟ ! ୧୨ ଟଙ୍କା ନ ଫେରାଇ, ଏବେ ଗଣିବ ୩ ଲକ୍ଷ ଫାଇନ୍। ପୁଣି ଚର୍ଚ୍ଚାରେ ସମ୍ବଲପୁର ଖାଉଟି ଅଦାଲତଙ୍କ ରାୟ ।ସମ୍ବଲପୁର ରେଳଷ୍ଟେସନରେ ଥିବା ପାର୍କିଂ ସ୍ଥଳରେ ସ୍ପଷ୍ଟ ଲେଖାଅଛି, ୧୨ରୁ ୨୪ ଘଣ୍ଟା ପାଇଁ ଦୁଇଚକିଆ ପାର୍କିଂ ଭଡ଼ା ୧୨ ଟଙ୍କା। କିନ୍ତୁ ଏହି ପାର୍କିଂ କାଉଣ୍ଟରେ ମନଇଚ୍ଛା କଟାଯାଇଥିଲା ୩୦ ଟଙ୍କିଆ ରସିଦ।

Advertisment

ସମ୍ବଲପୁରର ପ୍ରଫୁଲ୍ଲ ଦାଶ। ଗତବର୍ଷ ନଭେମ୍ବର ପହିଲାରେ ଇଣ୍ଟରସିଟି ଏକ୍ସପ୍ରେସରେ ଭୁବନେଶ୍ୱର ଯିବାକୁ ଥିବାରୁ, ଷ୍ଟେସନ ପାର୍କିଂରେ ସ୍କୁଟର ରଖିଥିଲେ। ସେହିଦିନ ସମ୍ବଲପୁର ଫେରିବାକୁ ଥିବାରୁ, ଅକାରଣରେ ଆଗୁଆ ୩୦ ଟଙ୍କା ଦେଇ ସେ ଯେତିକି ଚିନ୍ତିତ ନ ଥିଲେ, ଫେରିବା ପରେ ତାଠୁ ଅଧିକ ବାଧିଥିଲା ପାର୍କିଂବାଲାର ପୁଣି ମନମୁଖୀ ଜୁଲୁମ୍। ୨୪ ଘଣ୍ଟା ଭିତରେ ଫେରିଥିବାରୁ, ପାର୍କିଂ ଫି ୧୨ ଟଙ୍କା ହେଉଥିଲେ ବି ତାଙ୍କୁ ୩୦ ଟଙ୍କାରୁ ମାତ୍ର ୬ ଟଙ୍କା ଫେରସ୍ତ ମିଳିଥିଲା। ପାର୍କିଂବାଲା ରଖିନେଇଥିଲେ ଡବଲ୍ ଭଡ଼ା- ୨୪ ଟଙ୍କା। ବଳକା ୧୨ ଟଙ୍କା ମାଗିବାରୁ, ଏହା ଦେବାକୁ ମନା କରିଥିଲେ ପାର୍କିଂ କାଉଣ୍ଟରରେ ଥିବା କର୍ମଚାରୀ ।

ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ଦେବାକୁ ପଡ଼ିଥିବାରୁ, ସମ୍ବଲପୁର ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଫୁଲ୍ଲ। ୧୨ ଟଙ୍କା ଯେତିକି ଗୁରୁତ୍ୱପୂର୍ଣ୍ଣ ନ ଥିଲା, ତାଠୁ ଅଧିକ ଜରୁରୀ ଥିଲା ଏଭଳି ଠକ ପାର୍କିଂ ଠିକାଦାରକୁ ସବକ୍ ଶିଖାଇବା। ରେଳ କର୍ତ୍ତୃପକ୍ଷଙ୍କୁ ବି ମାମଲାରେ ପକ୍ଷଭୁକ୍ତ କରିଥିଲେ ପ୍ରଫୁଲ୍ଲ। ଆଉ ଶେଷରେ ଗତକାଲି ଆସିଛି ଚମକାଇଦେବା ଭଳି ରାୟ। ସେବାରେ ଖିଲାପ, ଅନୈତିକ ଉପାୟରେ ବ୍ୟବସାୟ ଓ ମନମୁଖୀ କାର୍ଯ୍ୟ ପାଇଁ ଆବେଦନକାରୀଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କଞ୍ଜ୍ୟୁମର କୋର୍ଟ। ଏଥିସହ ପ୍ରଫୁଲ୍ଲ ୫ ମାସ ତଳେ ପାଇବାକୁ ଥିବା ୧୨ ଟଙ୍କାକୁ ୧୨ ପ୍ରତିଶତ ହାରରେ ସୁଧ ସମେତ ଫେରସ୍ତ କରିବାକୁ କହିଛନ୍ତି। କେବଳ ଏତିକି ନୁହେଁ, ମୋକଦ୍ଦମା ବାବଦ ଖର୍ଚ୍ଚ ପାଇଁ ୧୦ ହଜାର ଏବଂ ଉପଭୋକ୍ତା ମଙ୍ଗଳ ପାଣ୍ଠିରେ ୧ ଲକ୍ଷ ଟଙ୍କା ଜମା କରିବାକୁ ରାୟ ଆସିଛି । ସେପଟେ ଏହି ମାମଲା ପରେ, ରେଳ ବିଭାଗ ଆଭ୍ୟନ୍ତରୀଣ ତଦନ୍ତ କରି ସମ୍ପୃକ୍ତ ଠିକାସଂସ୍ଥାକୁ ରାୟ ଆସିବା ପୂର୍ବରୁ ୭୧ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି । ତେବେ ଏନେଇ ପାର୍କିଂ ଠିକାସଂସ୍ଥାର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

କେବଳ ଏହି ଘଟଣା ନୁହେଁ, କିଛି ମାସ ପୂର୍ବରୁ ସମ୍ବଲପୁରର ଜଣେ ଜେରକ୍ସ ଦୋକାନୀ ୩ ଟଙ୍କା ନ ଫେରାଇବାରୁ, ତାଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିଥିଲା । ସେତେବେଳେ ମଧ୍ୟ ଖାଉଟି ଅଦାଲତକୁ ଯାଇଥିଲେ ପ୍ରଫୁଲ୍ଲ ଦାଶ।

Parking Fee Consumer Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ