ଚାପରେ ନଇଁଲା ଶ୍ରୀମନ୍ଦିର ପ୍ରଶାସନ; ବହୁ ବିବାଦ ପରେ ଆଜିଠୁ ଖୋଲିଛି ପଶ୍ଚିମ ଦ୍ୱାର

ସିଂହଦ୍ୱାରକୁ ଧର୍ମଦ୍ୱାର ଭାବେ ବିବେଚନା କରାଯାଉଥିବାବେଳେ, ପଶ୍ଚିମ ବା ବ୍ୟାଘ୍ର ଦ୍ୱାରକୁ କାମ ଦ୍ୱାର, ଦକ୍ଷିଣ ବା ଅଶ୍ୱ ଦ୍ୱାରକୁ ଅର୍ଥ ଏବଂ ଉତ୍ତର ବା ହସ୍ତୀ ଦ୍ୱାରକୁ ମୋକ୍ଷ ଦ୍ୱାର ବୋଲି ବିଶ୍ୱାସ କରାଯାଏ ।

ଚାପରେ ନଇଁଲା ଶ୍ରୀମନ୍ଦିର ପ୍ରଶାସନ

ବହୁ ଦାବି, ଅସନ୍ତୋଷ ଓ ଚାପ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ଯେଉଁବାଟ ଦେଇ କେବଳ ପୁରୀ ବାସିନ୍ଦାଙ୍କୁ କାଳିଆ ଦର୍ଶନର ଅନୁମତି ମିଳୁଛି । ହେଲେ ସିଂହଦ୍ୱାର ଆଗରେ ଭିଡ଼ରେ କଲବଲ ହେଉଥିବା ଭକ୍ତ ହୁଅନ୍ତୁ କି ସେବାୟତ, ଶୀଘ୍ର ଚାରିଦ୍ୱାର ଖୋଲିବା ଦାବିରେ ଅଟଳ ଅଛନ୍ତି । ତେଣେ ଜିଲ୍ଲା ପ୍ରଶାସନ କହିଛି- ପରିକ୍ରମା ପ୍ରକଳ୍ପ କାମ ସରିଲେ ସମସ୍ତଙ୍କ ମତାମତ ନିଆଯାଇ କୌଣସି ଠୋସ୍ ନିଷ୍ପତ୍ତି ନିଆଯିବ ।

ପୁରୀ ବାସିନ୍ଦାଙ୍କ ଦୁର୍ବାର ଆନ୍ଦୋଳନର ଚେତାବନୀ ହେଉ କି ଭକ୍ତ, ସେବାୟତ ଓ ପରିଚାଳନା କମିଟି ସଦସ୍ୟଙ୍କ ଅସନ୍ତୋଷର ଚାପ । ଶେଷରେ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଏମିତି ପରିଚୟପତ୍ର ଦେଖାଇ ଜଗା ଦର୍ଶନ ପାଇଁ ବ୍ୟାଘ୍ର ଦ୍ୱାର ଦେଇ ଯାଉଛନ୍ତି ଭକ୍ତ । ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନର ହଠାତ୍ ଘୋଷଣା ମୁତବାକ ଆଜି ସକାଳେ କେବଳ ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । କିଏ ଆଧାର କାର୍ଡ ତ କିଏ ଭୋଟ୍ ପରିଚୟପତ୍ର ସାଙ୍ଗରେ ଆଣିଥିଲେ ।

ପୋଲିସ କର୍ମଚାରୀଙ୍କୁ ଏହାକୁ ଦେଖାଇ ଜଣ ଜଣ କରି ସ୍ପେଶାଲ ବ୍ୟାରିକେଡରେ ମନ୍ଦିରକୁ ପ୍ରବେଶ କରୁଥିଲେ । ବାସେଳି ସାହି, ହରଚଣ୍ଡୀ ସାହି. ବାଲି ସାହି, ମାର୍କଣ୍ଡେଶ୍ୱର ସାହି ଓ ଲୋକନାଥ ରୋଡ୍ ସମେତ ମନ୍ଦିର ଚାରିକଡ଼ର ସମସ୍ତ ସାହି ବାସିନ୍ଦା ଓ ସେବାୟତଙ୍କ ପରିବାର ଏହାକୁ ନେଇ ଖୁସି ହୋଇଛନ୍ତି । ତେବେ ଯେଉଁମାନେ ପୁରୀରେ ଘର ଭଡ଼ା ନେଇ ବର୍ଷ ବର୍ଷ ଧରି ରହୁଛନ୍ତି, ଅବା ମନ୍ଦିର ପାଖରେ ମାସ ମାସ ଧରି ଜଗାଦର୍ଶନ ପାଇଁ ଡେରା ପକାଇଛନ୍ତି, ସେମାନେ କିନ୍ତୁ ପଶ୍ଚିମଦ୍ୱାର ବାଟେ ଯିବାକୁ ଅନୁମତି ପାଇନାହାନ୍ତି ।

ଫଳରେ ବାଧ୍ୟ ହୋଇ ବୁଲି ବୁଲି ସିଂହଦ୍ୱାର ବାଟେ ଲାଇନରେ ଯାଇ ଦର୍ଶନ କରୁଛନ୍ତି । ଯାହାକୁ ନେଇ ସେମାନଙ୍କ କ୍ଷୋଭ ସହ ଅସନ୍ତୋଷ ବଢିଛି । ସେହିପରି ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ବିଶେଷ ସୁବିଧା ହେଉନଥିବାରୁ ସେଥିପ୍ରତି ବି ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ସେବାୟତ ।

ବହୁ ବାଦବିଦାଦ ଓ ଅସନ୍ତୋଷ ପରେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ତ ଖୋଲିଲା, ହେଲେ ଉତ୍ତର ଓ ଦକ୍ଷିଣ ଦ୍ୱାର କେବେ ଖୋଲିବ ? କେବେ ଶ୍ରଦ୍ଧାଳୁଙ୍କୁ ମିଳିବ ସିଂହଦ୍ୱାର ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ? ତାକୁ ନେଇ ଉଠିଲାଣି ପ୍ରଶ୍ନ । ଯେହେତୁ ଶ୍ରୀମନ୍ଦିର ଚାରି ଦ୍ୱାରବାଟେ ପ୍ରବେଶର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି, ତେଣୁ ଭକ୍ତମାନେ ସେମାନଙ୍କ ମନୋକାମନା ନେଇ ଚାରିଟି ଯାକ ଦ୍ୱାରବାଟେ ଯାଇଥାନ୍ତି ।

ଯେମିତିକି ସିଂହଦ୍ୱାରକୁ ଧର୍ମଦ୍ୱାର ଭାବେ ବିବେଚନା କରାଯାଉଥିବାବେଳେ, ପଶ୍ଚିମ ବା ବ୍ୟାଘ୍ର ଦ୍ୱାରକୁ କାମ ଦ୍ୱାର, ଦକ୍ଷିଣ ବା ଅଶ୍ୱ ଦ୍ୱାରକୁ ଅର୍ଥ ଏବଂ ଉତ୍ତର ବା ହସ୍ତୀ ଦ୍ୱାରକୁ ମୋକ୍ଷ ଦ୍ୱାର ବୋଲି ବିଶ୍ୱାସ କରାଯାଏ । ଏଣେ ବିଭିନ୍ନ ଆଳ ଦେଖାଇ ଏସବୁ ଦ୍ୱାରବାଟେ ପ୍ରବେଶକୁ ପ୍ରଶାସନ ବନ୍ଦ ରଖୁଥିବାରୁ ବଢୁଛି ଅସନ୍ତୋଷ । ଖୋଦ୍ ଶ୍ରୀମନ୍ଦିର ସେବାୟତ ବି କହିଲେଣି, ପରିକ୍ରମା ପ୍ରକଳ୍ପ କାମ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବୁ, ତାପରେ କୌଣସି ନିଷ୍ପତ୍ତି ନହେଲେ ପୁଣି ଚାରିଦ୍ୱାର ଖୋଲିବା ଦାବି ଉଠାଇବୁ ।

ସେପଟେ ପୁରୀ ଉପଜିଲ୍ଲାପାଳ କହିଛନ୍ତି ଉତ୍ତର ଓ ଦକ୍ଷିଣ ଦ୍ୱାର ପାର୍ଶ୍ୱରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । କାମ ସରିଲେ ସେ ଦୁଇ ଦ୍ୱାର ଖୋଲାଯିବା ନେଇ ସମସ୍ତଙ୍କ ମତାମତ ନିଆଯାଇନିଷ୍ପତ୍ତି ନିଆଯିବ । ଏବେ ଅପେକ୍ଷା, କେତେଶୀଘ୍ର ଭକ୍ତଙ୍କ ପାଇଁ ଖୋଲୁଛି ଶ୍ରୀମନ୍ଦରିର ଚାରି ଦ୍ୱାର ।ରିପୋର୍ଟ, ଓଟିଭି