• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାତାରାତି ବଦଳିଗଲା ବୟାନ୍ । ଚିଠି ନେଇ ହଟଚମଟ ପରେ ସାମ୍ନାକୁ ଆସିଲା ସଂଜୟ ପଣ୍ଡାଙ୍କ ଭିଡିଓ । ନିଜକୁ ମାନସିକ ରୋଗୀ ବୋଲି କହିଲେ ଅବକାରୀ ଇନ୍ସପେକ୍ଟର । ତେବେ ଭିଡିଓଟି ସଂଜୟ ନିଜ ଇଚ୍ଛାରେ କରିଛନ୍ତି ନା କାହା ଚାପରେ କରିଛନ୍ତି, ସେନେଇ ପ୍ରଶ୍ନ ଉଠୁଛି । ଭିଡିଓରେ ତାଙ୍କ ହାବଭାବ ଦେଖି ଘଟଣା ପଛରେ କିଛି ଗୁଢ଼ ରହସ୍ୟ ଲୁଚି ରହିଥିବା ପରି ଲାଗୁଛି ।

ସଞ୍ଜୟ ଆଜି କହିଛନ୍ତି, ୨୦୨୦ ଅକ୍ଟୋବର ମାସରେ କରୋନା ହେବା ପର ଠାରୁ ମୁଁ ମାନସିକ ରୋଗରେ ପୀଡ଼ିତ । ସେଥିପାଇଁ ପ୍ରତି ଦିନ ମେଡିସିନ୍‌ ଖାଉଥିଲି । ହେଲେ ମାସେ ହେଲା ନମିଳିବାରୁ ମୁଁ ମେଡିସିନ୍‌ ଖାଉନଥିଲି । ଫଳରେ ଗତକାଲି ଦେଇଥିବା ବୟାନର କୌଣସି ସତ୍ୟତା ନାହିଁ । ମୁଁ ବହୁତ ଭଲ ପିଲା । ପୋଲିସ୍‌କୁ ବହୁତ ସମ୍ମାନ ଦିଏ । ସୁପରିଟେଣ୍ଡେଣ୍ଟଙ୍କୁ ମୁଁ ଆଜି ପର୍ଯ୍ୟନ୍ତ ଜବାବ ଦେଇନି । ପୋଲିସ୍‌ ବହୁତ ଭଲ । ମୋ ପାଟିରୁ କିଛି ଭୁଲରେ ବାହାରି ଯାଇଛି । ମୋତେ କ୍ଷମା କରାଯାଉ । ମୁଁ ମୋ ଭୁଲ ସ୍ୱୀକାର କରୁଛି । ମୋ ବିଭାଗ, ସରକାରଙ୍କୁ ସମର୍ଥନ କରେ । ପୁରୀ ଜିଲ୍ଲା ଏସପି ବହୁତ ଭଲ କାମ କରୁଛନ୍ତି । ଜିଲ୍ଲାପାଳ ମଧ୍ୟ ସବୁ କାମରେ ସହଯୋଗ କରୁଛନ୍ତି ।

ସେପଟେ ତାଙ୍କ ସ୍ତ୍ରୀ ମଧ୍ୟ ଏସମ୍ପର୍କରେ ବୟାନ୍‌ ଦେଇଛନ୍ତି । ସ୍ୱାମୀଙ୍କ କଥା ଦୋହରାଇଛନ୍ତି ସ୍ତ୍ରୀ ଏଲିନା ପଣ୍ଡା । କରୋନାରେ ଗୁରୁତର ହେବା ପର ଠାରୁ ତାଙ୍କର ମାନସିକ ସ୍ଥିତି ଭଲ ନାହିଁ । ମହାମାରୀର ଶିକାର ହେବା ପରଠାରୁ ସେ ମେଡିସିନ୍‌ ଖାଉଥିଲେ । ଭୁଲରେ କ’ଣ କହିଦେଇଛନ୍ତି, ସେଥିପାଇଁ ଆମେ ଭୁଲ ସ୍ୱୀକାର କରୁଛୁ ।

ସେପଟେ ଗତକାଲି ଅଭିଯୋଗ ପରେ ଆଜି ଛୁଟି ମାଗିଛନ୍ତି ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା  । ୧୫ ଦିନ ପାଇଁ ଅଧିକ୍ଷକଙ୍କ ନିକଟରେ ଛୁଟି ଆବେଦନ କରିଛନ୍ତି ସଞ୍ଜୟ । ମାନସିକ ଓ ଶାରୀରିକ ଅସୁସ୍ଥତା ପାଇଁ ସେ ଏହି ଛୁଟି ଆବେଦନ କରିଥିବା ସୂଚନା ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now