• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପମ୍ପ ଚାଳକଙ୍କ ମନମାନୀ । ସରକାର ଜଳ ଯୋଗାଣ ପାଇଁ ମାସକୁ ମାସ ଟଙ୍କା ଦେଉଥିଲେ। କିନ୍ତୁ ସେ ଲୋକଙ୍କ ଠାରୁ ଚାନ୍ଦା ଦାବି କରିଛନ୍ତି । ହେଲେ ଲୋକେ ଦାବି ଅନୁସାରେ ଦଶହରା ଚାନ୍ଦା ନଦେବାରୁ ଜଳ ଯୋଗାଣ ବନ୍ଦ କରି ଦେଇଛନ୍ତି ପମ୍ପ ଡ୍ରାଇଭର । ଫଳରେ ପିଇବା ପାଣି ନପାଇ ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ପାଟରାପଲ୍ଲୀ ଓ ଅରଖପଲ୍ଲୀ ଗ୍ରାମରେ।

ଜଗନ୍ନାଥପ୍ରସାଦ ବ୍ଲକ ପାଟରାପଲ୍ଲୀ ଓ ଅରଖପଲ୍ଲୀ ଗାଁ । ଉଭୟ ଗାଁର ଲୋକେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଜଳ ଯୋଗାଣ ବ୍ୟବସ୍ଥା ଉପରେ ନିର୍ଭରଶୀଳ । ହେଲେ ଦଶହରା ପୂର୍ବରୁ ଘର ଘର ବୁଲି ଚାନ୍ଦା ମାଗିଥିଲେ ଜଳ ଯୋଗାଣ ପାଇଁ ନିୟୋଜିତ ହୋଇଥିବା ପମ୍ପ ଚାଳକ । ଦଶ କି କୋଡିଏ ନୁହେଁ ପଚାଶ ଟଙ୍କା ଦେବା ପାଇଁ ଅଡ଼ି ବସିଥିଲେ । ହେଲେ ସବୁ ଲୋକ ଏତେ ଟଙ୍କା ଦେବା ପାଇଁ ସକ୍ଷମ ହୋଇପାରି ନଥିଲେ । ନିଜର ସାଧ୍ୟ ମତେ ଟଙ୍କା ଦେଇଥିଲେ ।

ଆଉ ଏଥିରେ ପମ୍ପଚାଳକଙ୍କର ରାଗ ପଞ୍ଚମ ହୋଇଯାଇଥିଲା । ସେହି ଦିନ ଠାରୁ ଆଉ ଗାଁ ଲୋକଙ୍କୁ ପାଣି ଛାଡ଼ୁ ନାହାନ୍ତି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗଡ଼ିଆ, ନଦୀ କି ପୋଖରୀ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି । ଫଳରେ ଏହି ଦୁଇ ଗାଁର ୩୦୦ ରୁ ଅଧିକ ପରିବାର ପିଇବା ପାଣି ନପାଇ ଗାଁ ରାସ୍ତାରେ ହାଣ୍ଡିମାଠିଆ ରଖି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି ।

ଜଣେ ମହିଳା କହିଛନ୍ତି, ନଦୀ ପାଣି କି ବନ୍ଧ ପାଣି ପିଇଲେ ଦେହ ଖରାପ ହେବ । ପାଣି ପାଇଁ ଆମେ ଆଜି ଏକାଠି ହୋଇଛୁ । ଆମେ ମାସକୁ ମାସ ଟଙ୍କା ଦେଉଛୁ । ହେଲେ ହଶହରା ଚାନ୍ଦା ମାଗିଥିଲେ ପମ୍ପଚାଳକ । ତାଙ୍କୁ ଚାନ୍ଦା ନଦେବା ପରେ ସେ ଏପରି କରିଛନ୍ତି । ପାଣି ଆସୁନି, ଏବେ ଆମେ ଚଳିବୁ କିପରି ।

ସେହିପରି ଆଉ ଜଣେ ମହିଳା କହିଛନ୍ତ, ଦଶହରା ପାଇଁ ଭେଟି ଟଙ୍କା ମାଗିଥିଲେ ପମ୍ପଚାଳକ । ଦଶ ହେଉ କି କୋଡିଏ , ଯିଏ ଯେତିକି ପାରିଲା ଟଙ୍କା ଦେଇଥିଲେ । ହେଲେ ସେତିକିରେ ତାଙ୍କର ମନ ଶାନ୍ତି ହେଲାନି । ପ୍ରତି ପରିବାର ପିଛା ୫୦ ଟଙ୍କା ଦାବି କରିଥିଲେ । ଆମକୁ ଏତିକି ହେବନି କହି ଜଳଯୋଗାଣ ବନ୍ଦ କରିଦେଲେ । ଟଙ୍କା ନମିଳିବାରୁ ସେ ଏବେ ପାଣି ଛାଡ଼ୁନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଫଳରେ ଆମକୁ ଖାଇବା ପିଇବା ଅସୁବିଧା ହେଉଛି । ଆଗରୁ ନଦୀ ବନ୍ଧରୁ ଯେପରି ଆଣୁଥିଲୁ, ଏବେ ସେପରି ଚଳିବା ପାଇଁ ପଡ଼ୁଛି ।

(ରିପୋର୍ଟ-ରାଜେଶ କୁମାର ପଣ୍ଡା, ଭଞ୍ଜନଗର)