/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755952048.jpg)
Swami Lakshmanananda Murder Case
୧୭ ବର୍ଷରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ। ଅଗଷ୍ଟ ୨୩, ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା। ଏ ଲୋମହର୍ଷକ ହତ୍ୟାକାଣ୍ଡକୁ ଆଜି ୧୭ ବର୍ଷ ପୂରିଛି। ଏହାର CBI ଯାଞ୍ଚ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ତାଙ୍କ ସମର୍ଥକମାନେ। ହତ୍ୟାକାଣ୍ଡକୁ ନେଇ ବସିଥିବା କମିଶନ ମଧ୍ୟ ରିପୋର୍ଟ ଦେଇଛନ୍ତି। ତାହା ମଧ୍ୟ ସାର୍ବଜନୀନ ହୋଇନାହିଁ। ହତ୍ୟାକାଣ୍ଡର CBI ଯାଞ୍ଚ ଏବଂ କମିଶନ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମର୍ଥକମାନେ।
ସେପଟେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ଫୁଲବାଣୀରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୭ଶ ଶ୍ରାଦ୍ଧବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଫୁଲବାଣୀର ଗାନ୍ଧୀ ସ୍ମୃତି ଭବନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବରେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ସେବା ପ୍ରମୁଖ ଅଜୟ ପାରିକ, କଲିକତା କ୍ଷେତ୍ର ସେବା ପ୍ରମୁଖ ହରିଶଚନ୍ଦ୍ର ପ୍ରଧାନ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ପ୍ରମୋଦ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ରବିନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହା ସହିତ ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବହୁ ସମର୍ଥକ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଦିନ ସ୍ଵାମୀ ଲକ୍ଷଣାନନ୍ଦ ସରସ୍ଵତୀ ଏବଂ ତାଙ୍କର ଅନ୍ୟ ୪ ଜଣ ସହଯୋଗୀଙ୍କୁ ଦୁର୍ବୃର୍ତ୍ତମାନେ ଅତି ନିର୍ମମ ଭାବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା କନ୍ୟାଶ୍ରମରେ ହତ୍ୟା କରିଥିଲେ। ଏହି ଘଟଣାକୁ ଆଜି ତାରିଖ ଅନୁସାରେ ୧୭ ବର୍ଷ ପୂରିଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଆଜିର ଦିନକୁ ଫୁଲବାଣୀ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବଳିଦାନ ଦିବସ ଭାବେ ପାଳନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)