ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବିରୋଧ, ଗାଡ଼ି ଆଗରେ ଛିଡ଼ା ହୋଇ କଲେ ହଙ୍ଗାମା

ଜଗନ୍ନାଥଙ୍କ ସଂପତ୍ତିକୁ ଭୋଗ ଦଖଲ କରୁଥିବା ସେବାୟତଙ୍କ ନାଁରେ କରିବା ଲାଗି ଦାବି । ତେବେ ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲ୍ୟାଣ୍ଡ ସବ୍ କମିଟି ଗଠନ ହୋଇଥିଲେ ବି ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ ।

Veer Vikram

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକକରେ ଜୋରଦାର ବିରୋଧ । ବୈଠକକୁ ବିରୋଧ କରି ନୀଳାଦ୍ରି ଭକ୍ତ ନିବାସ ଆଗରେ ଭିଟାମାଟି ଅଧିକାର ମଞ୍ଚ ବିକ୍ଷୋଭ କରିଛି । ପ୍ରବଳ ବର୍ଷା ସତ୍ତ୍ୱେ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟ ବିକ୍ଷୋଭ କରିଛନ୍ତି । ଏପରିକି ବୈଠକରେ ପ୍ରବେଶ କରିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦେବୋତ୍ତର କମିଶନଙ୍କ ଗାଡ଼ି ଆଗରେ ଛାଡ଼ି ହୋଇ ବିରୋଧ କରିଥିଲେ ।

ସକାଳ ୧୦ଟା ୩୦ରେ ବୈଠକ ବସିବାର ଥିଲେ ବି ବିରୋଧ ଯୋଗୁଁ ବିଳମ୍ବ ହୋଇଥିଲା । ଭିଟାମାଟି ଅଧିକାର ମଞ୍ଚର ଅଭିଯୋଗ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ସଂପତ୍ତିକୁ ଭୋଗ ଦଖଲ କରୁଥିବା ଲୋକଙ୍କ ନାଁରେ ବନ୍ଦୋବସ୍ତ କରିବା ଲାଗି ୨୦୦୩ର ୟୁନିଫାଏଡ୍ ପଲିସିକୁ ଏଯାଏ କାର୍ଯ୍ୟକାରୀ କରାଯାଉନାହିଁ । ଯାହାଫଳରେ ସେମାନେ ହଇରାଣ ହେଉଛନ୍ତି । ନିଜ ନାଁରେ ଜମି ନଥିବାରୁ ସରକାରୀ ସୁବିଧା ପାଇପାରୁ ନାହାନ୍ତି । ଏପରିକି ଆବାସିକ ପ୍ରମାଣପତ୍ର ଓ ଜାତି ପ୍ରମାଣପତ୍ର ମିଳି ପାରୁ ନାହିଁ । ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ସମସ୍ୟାର ସାମନା କରୁଛନ୍ତି । ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ବି ଏ ଯାଏ ସମାଧାନ ହେଉନି ସମସ୍ୟା । ୨୦୧୯କୁ ବାତିଲ କରି ନୂଆ ପଦ୍ଧତିରେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।