• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ଜନ୍ମ ନେଇଥିଲେ। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଯଥାର୍ଥରେ କହିଥିଲେ ଯେ, ‘ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗ ଦେଶର ବିଭିନ୍ନ ଅଞ୍ଚଳରେ ମହାମାନବ ଓ ମହିୟସୀ ମହିଳାଙ୍କୁ ଜନ୍ମ ଦେଇଥିଲା। ଉତ୍କର୍ଷ, ସାମାଜିକ ସଂସ୍କାର, ଶିକ୍ଷା, ଆଇନ ଏବଂ ସାହିତ୍ୟ କ୍ଷେତ୍ର ଚମତ୍କାର ଥିଲା। ଗୋପବନ୍ଧୁ ଦାସ ଥିଲେ ଏପରି ଜାତି ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ।

ଓଡିଶାର ଜନସାଧାରଣଙ୍କ ବର୍ଷ ବ୍ୟାପୀ ଆଶା ଆକାଂକ୍ଷା, ଅଭୀପ୍‌ସା ଓ ପ୍ରାର୍ଥନା ଗୋପବନ୍ଧୁଙ୍କ ଆଗମନ ପରେ ପୂରଣ ହୋଇଥିଲା। ସେ ଆଧୁନିକ ଓଡିଶାର ନିର୍ମାତା ଥିଲେ ଏବଂ ଓଡିଶାବାସୀଙ୍କ ପ୍ରେରଣା ଓ ଆଦର୍ଶର ଉତ୍ସ ଥିଲେ। ସେ ନିଜକୁ ଦେଶ ସେବାରେ ସଂପୂର୍ଣ୍ଣ ଉତ୍ସର୍ଗ କରିଥିଲେ, ଏପରିକି ପୀଡିତମାନଙ୍କ ଦୁଃଖ ଦୂର କରିବା ବେଳେ ନିଜର ଏକମାତ୍ର ପୁତ୍ରକୁ ହରାଇଥିଲେ।

Also Read

ସେ ଦାରିଦ୍ର୍ୟ ଓ ଅଶିକ୍ଷାରୁ ମୁକ୍ତ ଏକ ସମାଜ ଚାହୁଁଥିଲେ, ଯେଉଁଠି ମଣିଷ ସମ୍ମାନର ସହ ବଞ୍ଚିପାରିବ ଓ ନିଜର ସଚେତନତାର ସ୍ତରକୁ ବୃଦ୍ଧି କରିପାରିବ। ଏହି ଲକ୍ଷ୍ୟ ହାସଲରେ ବ୍ରତୀ ହୋଇ ସେ ସାରା ଜୀବନ କାମ କରିଚାଲିଥିଲେ।

ଗୋପବନ୍ଧୁଙ୍କର ଏହି ମହତ ଉଦ୍ଦେଶ୍ୟକୁ ଚିହ୍ନି ୨୮.୦୬.୧୯୨୪ ତାରିଖରେ ବିଶିଷ୍ଟ ବୈଜ୍ଞାନିକ ତଥା ବଙ୍ଗଳାର ଦେଶପ୍ରେମୀ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ‘ଉତ୍କଳମଣି’ ଉପାଧିରେ ଭୂଷିତ କରିଥିଲେ। ୧୯୦୯ ମସିହାରେ ସେ ସତ୍ୟବାଦୀ (ଏମ୍.ଇ.ଜାତୀୟ) ବିଦ୍ୟାଳୟ ଆରମ୍ଭ କରିଥିଲେ, ଯେଉଁଥିରେ ପରେ ପଣ୍ଡିତ ନୀଳକଂଠ ଦାସ ଓ ଅନ୍ୟମାନେ ଯୋଗ ଦେଇଥିଲେ।

ଏହି ବିଦ୍ୟାଳୟ ଏହାର ଗୁଣାତ୍ମକ ତଥା ଚରିତ୍ର ଗଠନ ମୂଲ୍ୟବୋଧ ଦୃଷ୍ଟିରୁ ଖୁବଶୀଘ୍ର ଲୋକପ୍ରିୟ ହୋଇପାରିଥିଲା। ସେ ମଧୁସୂଦନ ଦାସଙ୍କ ସହ ମିଶି ଉତ୍କଳ ସମ୍ମିଳନୀ ଜରିଆରେ ଏକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଦାବୀ ହାସଲ କରିବାକୁ ଓଡିଶାର ଜନସାଧାରଣଙ୍କୁ ଜାଗ୍ରତ କରିପାରିଥିଲେ।

ସେତେବେଳେ ବିହାର, ବଙ୍ଗଳା ଏବଂ ଅନ୍ୟାନ୍ୟ ପ୍ରଦେଶରେ ବସବାସ କରୁଥିବା ଓଡିଆଙ୍କ ସାଂସ୍କୃତିକ, ସାହିତ୍ୟିକ ତଥା ଭାଷା ଭିତ୍ତିକ ସମାନତା ସହ ଓଡିଆଙ୍କ ସ୍ୱତନ୍ତ୍ର ପରିଚିତି ରକ୍ଷା କରିବା ନେଇ ତାଙ୍କର ବାସ୍ତବବାଦୀ ଚିନ୍ତାଧାରା ଦ୍ୱାରା ସେ ଏହାକୁ ଏକ ନୂଆ ରୂପ ଦେଇପାରିଥିଲେ। ସେ ମଧ୍ୟ ଧାଳଭୂମର ବାହାଡାଗୁଡାଠାରେ ଏକ ଓଡିଆ ଏମ୍.ଇ. ବିଦ୍ୟାଳୟ ଆରମ୍ଭ କରିଥିଲେ। ପରେ, ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ନିମନ୍ତେ ସେ ୧୯୧୯ ମସିହା ଅକ୍ଟୋବର ମାସ ୪ ତାରିଖରେ ସାପ୍ତାହୀକ ‘ସମାଜ’ ଆରମ୍ଭ କରିଥିଲେ। ତାଙ୍କର କାଳଜୟୀ ଶବ୍ଦାବଳୀ ଏବେ ମଧ୍ୟ ଯୁବପିଢିଙ୍କୁ ଉତ୍ସାହିତ କରିଥାଏ।

“ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲିଯାଆନ୍ତୁ ପିଠିରେ।

ଦେଶର ସ୍ୱରାଜ ପଥେ ଯେତେ ଗାଡ

ପୂରୁ ତହିଁ ପଡି ମୋର ମାଂସ ହାଡ।”

ସେ ଜଣେ ଅନନ୍ୟ କବି ଥିଲେ। ଜାତୀୟତାବାଦୀ ଚିନ୍ତାଧାରା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ର ପୁରୀ ପ୍ରତି ତାଙ୍କର ପ୍ରେମଭାବ ତାଙ୍କ ରଚିତ କବିତାରେ ଭାବବିହ୍ୱଳତା ସହ ବର୍ଣ୍ଣିତ ହୋଇଛି। ‘ବନ୍ଦୀର ଆତ୍ମକଥା’ ଓ ‘ଅବକାଶ ଚିନ୍ତା’ ତାଙ୍କର ଅନନ୍ୟ କୃତି। ସେ ଥିଲେ ଜଣେ ବହୁମୁଖୀ ପ୍ରତିଭା, ବିଦ୍ୱାନ୍, ଜଣେ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡିଶାର ନିର୍ମାତା, ଓଡିଆ ଭାଷାର ତ୍ରାଣକର୍ତ୍ତା, ଜଣେ ସମାଜସେବୀ, ଆଦର୍ଶ ଶିକ୍ଷକ, ମାନବପ୍ରେମୀ, ସାମ୍ବାଦିକ, କବି, ଦାର୍ଶନିକ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାରକ। ୧୯୨୮ ମସିହା ଜୁନ୍ ମାସ ୧୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।

(ସୌଜନ୍ୟ - ଉତ୍କଳ ପ୍ରସଙ୍ଗ)