ସମ୍ବଲପୁରର ବରପାଲିରେ ଏକ ବୁଣାକାର ପରିବାରରେ ୧୮୬୨ ମସିହା ଅଗଷ୍ଟ ମାସ ୯ ତାରିଖର ଶ୍ରାବଣ ପୂର୍ଣ୍ଣିମାରେ ଗଙ୍ଗାଧରଙ୍କ ଜନ୍ମ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ପଞ୍ଚମ ଶ୍ରେଣୀ। ଗଙ୍ଗାଧର ମେହେରଙ୍କ ପ୍ରତି ଡ.ମାୟାଧର ମାନସିଂହଙ୍କର ଅଗାଧ ସମ୍ମାନ ରହିଥିଲା ଏବଂ ସେ ତାଙ୍କର ଓଡିଆ ସାହିତ୍ୟର ଇତିହାସରେ ନିଜ ମତ ରଖି କହିଛନ୍ତି ଯେ, ‘ସମସ୍ତେ କହନ୍ତି, ଗଙ୍ଗାଧର ମେହେର ହେଉଛନ୍ତି ଜଣେ ବିରଳ ବ୍ୟକ୍ତିତ୍ୱ ଓ ସମଗ୍ର ଓଡିଆ ସାହିତ୍ୟ ଶୃଙ୍ଖଳାର କବିମାନଙ୍କ ମଧ୍ୟରେ ଅନନ୍ୟ।’
ତାଙ୍କର କାବ୍ୟିକ ସୃଷ୍ଟି ମଧ୍ୟରେ ‘ପ୍ରଣୟ-ବଲ୍ଲରି’, ‘କିଚକ ବଧ’, ‘ଇନ୍ଦୁମତୀ’, ‘ଉତ୍କଳ ଲକ୍ଷ୍ମୀ’, ‘ଅଯୋଧ୍ୟା’ ‘ଦୃଶ୍ୟ’, ‘କବିତା କଲ୍ଲୋଳ’, ‘ଅର୍ଘ୍ୟଥାଳି’, ‘ଅହଲ୍ୟା ସ୍ତବ’, ‘ମହିମା ଭାରତୀ ଭାବନା’, ‘କୁମାର ଜନ୍ମୋତ୍ସବ’, ‘ଭକ୍ତି ଉପହାର’, ‘ପଦ୍ମିନୀ’, ‘କବିତା ମାଳା’ ଏବଂ ‘କୃଷକ ସଂଗୀତ’ ଅନ୍ୟତମ। ‘ଆତ୍ମ ଜୀବନୀ’, ‘ଶ୍ରୀ ନୃପରାଜ ସିଂହ’, ‘ପୁରାଣ କବି ଫକୀରମୋହନ’, ‘ସ୍ୱର୍ଗୀୟ କାଶୀନାଥ ପଣ୍ଡା’, ‘ଏହାକି ପୃଥିବୀର ଶବ୍ଦ?’, ‘ଶିକ୍ଷିତ’ ଏବଂ ‘ଶିକ୍ଷାଭିମାନିନୀ’ ହେଉଛି ତାଙ୍କର ଗଳ୍ପ ସୃଷ୍ଟି।
Also Read
କବିବର ରାଧାନାଥ ରାୟଙ୍କ ପରି ତାଙ୍କର ସାହିତ୍ୟିକ ସୃଷ୍ଟି ସମ୍ଭାର ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ବର୍ଣ୍ଣନା ଯୋଗୁଁ ଲୋକପ୍ରିୟତା ହାସଲ କରିପାରିଛି। ଗଙ୍ଗାଧର ମେହେରଙ୍କ ପ୍ରତ୍ୟେକ ସୃଷ୍ଟିରେ କିଛି ନା କିଛି ପ୍ରକୃତିର ଛୁଙ୍କ ରହିଥାଏ। ଏନେଇ ତାଙ୍କୁ ‘ପ୍ରକୃତି କବି’ ବୋଲି କୁହାଯାଏ। ଓଡିଆ ସାହିତ୍ୟରେ ତାଙ୍କୁ ଶେଲୀ, ବାଇରନ୍ ଏବଂ କିଟ୍ସଙ୍କ ସହ ତୁଳନା କରାଯାଏ।
ସେ ଉପେନ୍ଦ୍ର ଭଞ୍ଜଙ୍କ ଶୈଳୀ ଓ ଆଦର୍ଶର ଜଣେ ବାର୍ତ୍ତାବାହକ ଥିଲେ। ତାଙ୍କର ଲୋକପ୍ରିୟତା ଆକସ୍ମିକ ନୁହେଁ। ଏହା ପଛରେ ଅନେକ କାରଣ ରହିଛି। କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ପରି ତାଙ୍କର କବିତାଗୁଡିକ ଉଚ୍ଚ ଆଳଙ୍କରିକ ଶବ୍ଦ, ଅନନ୍ୟ ସଂଯୋଜନା ଶୈଳୀ, ଉପମା, ରୂପକ ଓ ଯଥାର୍ଥ ଶବ୍ଦାବଳୀର ଉପଯୁକ୍ତ ପ୍ରୟୋଗ ସହ ସମୃଦ୍ଧ। ତାଙ୍କର କବିତାଗୁଡିକ ଶବ୍ଦ ଓ ଭାଷାର ଛନ୍ଦରେ ସଜ୍ଜିତ। ଭାରତୀୟ ସାହିତ୍ୟରେ ତାଙ୍କୁ ଜଣେ ମହାନ କବି ଭାବେ ଗଣାଯାଏ।
ତାଙ୍କର ମହାପ୍ରୟାଣ ୧୯୨୪ ମସିହା ଅପ୍ରେଲ ମାସ ୪ ତାରିଖରେ ହୋଇଥିଲା। ତାଙ୍କର କବିତାଗୁଡିକ ଗୀତ କବିତା, ଭକ୍ତିମୂଳକ, ଦେଶାତ୍ମବୋଧକ, ସଂସ୍କାରକ, ନୈତିକ, କୃଷିଭିତ୍ତିକ, ଶୋକଗୀତ ଏବଂ ପ୍ରକୃତି ବର୍ଣ୍ଣନାରେ ବିଭକ୍ତ କରାଯାଇପାରେ।
(ସୌଜନ୍ୟ - ଉତ୍କଳ ପ୍ରସଙ୍ଗ)