• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଫକୀରମୋହନ ସେନାପତି ବାଲେଶ୍ୱରର ମଲ୍ଲିକାଶପୁରରେ ୧୮୪୩ ମସିହା ଜାନୁଆରୀ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଓ ମାଆଙ୍କ ନାମ ତୁଳସୀ ଦେବୀ। ଓଡିଆ ଭାଷା ଓ ସାହିତ୍ୟର ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅଗ୍ରଗଣ୍ୟ ଭୂମିକା ଥିଲା। ଓଡିଆ ଜାତୀୟତା ଓ ଆଧୁନିକ ଓଡିଆ ସାହିତ୍ୟର ସ୍ରଷ୍ଟା ଭାବେ ଫକୀରମୋହନ ସେନାପତିଙ୍କୁ ସମ୍ମାନ କରାଯାଏ।

ଊନବିଂଶ ଶତାବ୍ଦୀ ଶେଷ ଓ ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ସେ ଓଡିଆ ସାହିତ୍ୟର ବିକାଶ ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଫକୀରମୋହନଙ୍କ କାହାଣୀ ବାସ୍ତବରେ ଓଡିଆ ସାହିତ୍ୟର ପୁନଃ ଅଭ୍ୟୁଦୟର କାହାଣୀ। ଏହା ସହ ସେ ଜଣେ ସମାଜ ସଂସ୍କାରକ ଓ ଶିକ୍ଷାବିତ୍ ଯିଏ ସମାଜରେ ପ୍ରଚଳିତ କୁସଂସ୍କାରକୁ ସମାଲୋଚନା ଓ ସୁଧାର କରିବାରେ ତାଙ୍କର ଲେଖନୀ ଚାଳନା କରୁଥିଲେ।

ଓଡିଆ ଉପନ୍ୟାସର ଜନକ ଭାବେ ତାଙ୍କୁ ଗଣାଯାଏ। ତାଙ୍କୁ ଓଡିଶାର ଥୋମାସ୍ ହାର୍ଡି ବୋଲି କୁହାଯାଏ। ୧୮୯୭ରୁ ୧୯୧୫ ମଧ୍ୟରେ ଲିଖିତ ଫକୀରମୋହନଙ୍କ ଚାରୋଟି ଉପନ୍ୟାସ ଊନବିଂଶ ଓ ବିଂଶ ଶତାବ୍ଦୀର ସାମାଜିକ ଓ ସାଂସ୍କୃତିକ ଅବସ୍ଥାକୁ ପ୍ରତିବିମ୍ବିତ କରିଥାଏ। ପୁନଶ୍ଚ, ଛ’ମାଣ ଆଠଗୁଣ୍ଠ, ମାମୁଁ ଓ ପ୍ରାୟଶ୍ଚିତ୍ତ ପରି ୩ଟି ଉପନ୍ୟାସ ସାମାଜିକ ଜୀବନର ବାସ୍ତବତାକୁ ଦେଖାଇଦିଏ।

ଲଚ୍ଛମା ହେଉଛି ଅଷ୍ଟାଦଶ ଶତାବ୍ଦୀ ବେଳର ମରାଠା ଆକ୍ରମଣ ପରିପ୍ରେକ୍ଷୀରେ ଓଡିଶାର ରାଜନୈତିକ ବିଶୃଙ୍ଖଳା ସଂପର୍କିତ ଐତିହାସିକ ଦସ୍ତାବିଜ୍। ରେବତୀ, ପେଟେଣ୍ଟ୍ ମେଡିସିନ୍ ଓ ରାଣ୍ଡିପୁଅ ଅନନ୍ତା ପରି ସ୍ମରଣୀୟ କ୍ଷୁଦ୍ରଗଳ୍ପ ସେ ରଚନା କରିଯାଇଛନ୍ତି। ଫକୀରମୋହନ ମଧ୍ୟ ପ୍ରଥମ ଲେଖକ ଭାବେ ଓଡିଆ ଭାଷାରେ ଆତ୍ମଜୀବନୀ ‘ଆତ୍ମ ଜୀବନ ଚରିତ’ ଲେଖିଛନ୍ତି।

ଫକୀରମୋହନଙ୍କ ପ୍ରଥମ ମୌଳିକ କବିତା ‘ଉତ୍କଳ ଭ୍ରମଣମ୍’ ୧୮୯୨ ମସିହାରେ ପ୍ରକାଶ ପାଇଥିଲା। ଏହା ପ୍ରକୃତରେ କେବଳ ଏକ ଭ୍ରମଣ ପୁସ୍ତକ ନ ଥିଲା, ବରଂ ଏହା ଓଡିଶାର ତତ୍କାଳୀନ ଜନଜୀବନରେ ସମସାମୟିକ ପ୍ରମୁଖ ବ୍ୟକ୍ତିତ୍ୱର ଅସାଧାରଣ ଏବଂ ରସାତ୍ମକ ସର୍ବେକ୍ଷଣ ଥିଲା। ତାଙ୍କର ପ୍ରକାଶିତ ଅନ୍ୟାନ୍ୟ ମୌଳିକ କବିତାଗୁଡିକ ଥିଲା ପୁଷ୍ପମାଳ, ଉପହାର, ପୂଜା ଫୁଲ, ପ୍ରାର୍ଥନା ଏବଂ ଧୂଳି।

ଫକୀରମୋହନ ସେନାପତି ଏକାକୀ ‘ରାମାୟଣ’ ଓ ‘ମହାଭାରତ’ର ସମଗ୍ର ଭାଗ ଅନୁବାଦ କରିଥିଲେ। ଏକାକୀ ଉଭୟ ‘ରାମାୟଣ’ ଓ ‘ମହାଭାରତ’ର ଅନୁବାଦ ତଥା ଶବ୍ଦ ବିନ୍ୟାସ କ୍ଷେତ୍ରରେ ତାଙ୍କର ପାଣ୍ଡିତ୍ୱପୂର୍ଣ୍ଣ ନିପୁଣତା ବାସ୍ତବରେ ତାଙ୍କୁ ଓଡିଶାର ‘ବ୍ୟାସକବି’ ରୂପେ ଲୋକପ୍ରିୟ କରିପାରିଛି। ତତ୍କାଳୀନ ଦେଶୀୟ ରାଜ୍ୟ ବାମରାରେ ରାଜାଙ୍କ ଦ୍ୱାରା ସେ ମଧ୍ୟ ‘ସରସ୍ୱତୀ’ ସମ୍ମାନରେ ବିଭୂଷିତ ହୋଇଥିଲେ।

ଓଡିଆ ସାହିତ୍ୟରେ ଏକ ନୂଆ ଯୁଗର ସ୍ରଷ୍ଟା ଫକୀରମୋହନ ‘ଉତ୍କଳ ଭାଷା ଉନ୍ନତି ବିଧାନି ସଭା’ ନାମକ ଏକ ସଂଗଠନର ପ୍ରତିଷ୍ଠାତା ଥିଲେ, ଯାହା ଓଡିଆ ଭାଷାର ପ୍ରଚାରପ୍ରସାର ତଥା ଓଡିଶାର ଲୋକମାନଙ୍କ ମଧ୍ୟରେ ଏକ ନୂତନ ସଚେତନତା ସୃଷ୍ଟି କରିବାକୁ ୧୮୬୭ ମସିହାରେ ଆରମ୍ଭ ହୋଇଥିଲା। ଓଡିଆ ଭାଷା ସାହିତ୍ୟର ଏହି କାଳଜୟୀ ସ୍ରଷ୍ଟା ୧୯୧୮ ମସିହା ଜୁନ୍ ମାସ ୧୪ ତାରିଖରେ ମହାପ୍ରୟାଣ ଲାଭ କରିଥିଲେ।

(ସୌଜନ୍ୟ - ଉତ୍କଳ ପ୍ରସଙ୍ଗ)