ଉତ୍କଣ୍ଠାରେ ମୟୂରଭଞ୍ଜବାସୀ; କାଲି ବାରିପଦାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ହେବା ପରେ ନିଜ ଜିଲ୍ଲା ମୟୂରଭଂଜକୁ ଆସୁଛନ୍ତି ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ମାଟିର ଝିଅକୁ ସ୍ୱାଗତ ପାଇଁ ସାଧବ ବୋହୁ ପରି ସଜେଇ ହେଲାଣି ବାରିପଦା ଓ ରାଇରଙ୍ଗପୁର ।

ଉତ୍କଣ୍ଠାରେ ମୟୂରଭଞ୍ଜବାସୀ

ପ୍ରସ୍ତୁତି ଚୂଡ଼ାନ୍ତ, ମହାମହିମଙ୍କ ଆଗମନକୁ ଅପେକ୍ଷା । ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ସହ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନର ଲୋକର୍ପଣ ରହିଛି ପ୍ରମୁଖ କାର୍ଯ୍ୟକ୍ରମ । ତେଣେ ନିଜ ହାତରେ ନଣନ୍ଦଙ୍କୁ ମନପସନ୍ଦର ଖାଦ୍ୟ ପରଷିଦେବାକୁ ଅପେକ୍ଷାରେ ରାଷ୍ଟ୍ରପତିଙ୍କ ଭାଉଜ ।

ରାଷ୍ଟ୍ରପତି ହେବା ପରେ ନିଜ ଜିଲ୍ଲା ମୟୂରଭଂଜକୁ ଆସୁଛନ୍ତି ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ମାଟିର ଝିଅକୁ ସ୍ୱାଗତ ପାଇଁ ସାଧବ ବୋହୁ ପରି ସଜେଇ ହେଲାଣି ବାରିପଦା ଓ ରାଇରଙ୍ଗପୁର । ବାରିପଦାରେ ରାଷ୍ଟ୍ରପତିଙ୍କ ହେଲିକପଟର ଅବତରଣର ରିହର୍ସାଲ୍ ସୋମବାର ନୂଆଦିଲ୍ଲୀରୁ ବାହାରି ପ୍ରଥମେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବାୟୁସେନା ବିମାନଘାଟିରେ ଅବତରଣ କରିବ ମ୍ୟାଡମ ପ୍ରେସିଡେଣ୍ଟଙ୍କ ବିମାନ ।

ସେଠୁ ଏୟାରଫୋର୍ସ ସ୍ୱତନ୍ତ୍ର ହେଲିକପଟରରେ ଦିନ ୧୧ଟାରେ ବାରିପଦାରେ ଓହ୍ଲାଇବେ ଦେଶର ପ୍ରଥମ ନାଗରିକ । ସିଧା ଯିବେ ସହିଦ ସ୍ମୃତି ଭବନ। ସେଠି ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ । କିଛି ସମୟ ବାରିପଦା ସର୍କିଟ୍ ହାଉସରେ ବିଶ୍ରାମ ନେବା ପରେ ଅପରାହ୍ଣ ୨ଟା ୩୫ରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ । ସେଠୁ ରାଇରଙ୍ଗପୁର ଯିବେ, ୨୧ ତାରିଖରେ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନ୍‌ର ଲୋକାର୍ପଣ କରିବେ ।

ତେବେ ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନ୍ ଯାତ୍ରାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି । ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ସାମିଲ ହେବେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ କେଉଁଠି ମଞ୍ଚବନ୍ଧା ଶେଷ ତ କେଉଁଠି ସ୍ୱାଗତ ପାଇଁ ଝଲସୁଛି ୱାଲ ପେଣ୍ଟିଂ । ହୋର୍ଡିଂ ଓ ବ୍ୟାନର ବି ଛାଇ ଗଲାଣି । ତେଣେ ମହାମହିମଙ୍କ ଗସ୍ତ କାର୍ଯ୍ୟକ୍ରମର ଟିକନିଖ୍ ତଦାରଖ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ।

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରିବା ପରେ ଦ୍ୱିତୀୟ ଥର ପାଇଁ ରାଇରଙ୍ଗପୁର ଯାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠି ବି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ ଓ ନିଜ ମହୁଲଡିହା ବାସଭବନରେ ରାତ୍ରୀଯାପନ କରିବେ । ମଙ୍ଗଳବାର ଶାଶୁଘର ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବାପରେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସ୍ମୃତିରେ ଚାଲିଥିବା ଆବାସିକ ସ୍କୁଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ରାଷ୍ଟ୍ରପତି ଆସୁଥିବାରୁ ଏସଏଲଏସ୍ ଆବାସିକ ସ୍କୁଲ ଛାତ୍ରଛାତ୍ରୀଙ୍କ ମନ ବି କୁଣ୍ଢେମୋଟ । ସେପଟେ ରାଷ୍ଟ୍ରପତିଙ୍କ ଭାଉଜ କହିଛନ୍ତି- ଆଦରର ନଣନ୍ଦଙ୍କୁ ଏଥର ସେ ନିଜ ହାତରେ ମଣ୍ଡା, ଚକୁଳି, ଶାଗ ଓ ସନ୍ତୁଳା ପରଷିବେ ।

ଏସବୁ ଭିତରେ ରାଇରଙ୍ଗପୁରରେ ପୋଷ୍ଟାଲ ଡିଭିଜନକୁ ଉଦଘାଟନ କରିବେ ରାଷ୍ଟ୍ରପତି । ଯାହାଦ୍ୱାରା ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକର ଲକ୍ଷ ଲକ୍ଷ ଲୋକଙ୍କୁ ଆଉ ୧୦୦ କିଲୋମିଟର ଅତିକ୍ରମ କରି ବାରିପଦା ଆସିବାକୁ ପଡିବନି । ତେଣୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀ ମହାମହିମଙ୍କୁ ଆସିବା ବାଟକୁ ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି ।

ବାରିପଦାରୁ ମାଣିକଲାଲ୍ ପାଣିଙ୍କ ସହ ଉଦଳାରୁ ରବୀନ୍ଦ୍ର ନାଏକଙ୍କ ରିପୋର୍ଟ, ଓଟିଭି