Advertisment

ରାଷ୍ଟ୍ରପତି ଭବନରେ ମହାମହିମଙ୍କ ସହ ବୁଲିଲେ ମୟୂରଭଞ୍ଜର ଅତିଥି

ସ୍ୱପ୍ନ ସତ ହେଲା। ଅତିଥି ହୋଇ ଯାଇଥିଲେ, ଅଭୁଲା ଅନୁଭବ ନେଇ ଫେରିଲେ।

President Of India

President Of India

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ତ ଅନେକ ଅତିଥି ଯୋଗ ଦେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ସ୍ୱତନ୍ତ୍ର ଅନୁଭୁତି ନେଇ ଫେରିଛନ୍ତି ତାଙ୍କ ନିଜ ଜିଲ୍ଲା ମୟୂରଭଞ୍ଜରୁ ଯାଇଥିବା ୬୦ରୁ ଅଧିକ ଅତିଥି। ଦ୍ରୌପଦୀଙ୍କ ସ୍କୁଲ ସାଙ୍ଗ ହୁଅନ୍ତୁ କି ନିବିଡ଼ ସଂପର୍କୀୟ  ମହାମହିମଙ୍କ ଅତିଥି ଭାବେ ଦ୍ରୌପଦୀଙ୍କ ଏ ସଂପର୍କୀୟମାନେ ଶପଥ ଗ୍ରହଣ ଉତ୍ସବରେ ଭାଗ ନେବା ସହ ରାଷ୍ଟ୍ରପତି ଭବନ ବି ବୁଲି ଦେଖିଥିଲେ, ତାସହିତ ସୁସ୍ବାଦୁ ମଧ୍ୟାହ୍ନ ଭୋଜନର ବି ମଜା ନେଇଥିଲେ। ସେମାନଙ୍କ ଅତି ନିଜର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ଆଉ ରାଷ୍ଟ୍ରପତି ଭବନର ଆତିଥେୟତା ସେମାନଙ୍କ ମନରେ ଅଭୁଲା ସ୍ମୃତି ହୋଇରହିବ।

Advertisment

ସ୍ୱପ୍ନ ସତ ହେଲା। ଅତିଥି ହୋଇ ଯାଇଥିଲେ, ଅଭୁଲା ଅନୁଭବ ନେଇ ଫେରିଲେ। ଆମେ କହୁଛୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲାବସୀଙ୍କ କଥା। ନିପଟ ମଫସଲ, ପାହାଡ଼ ଜଙ୍ଗଲ ଘେରା ଗାଁର ଏ ଲୋକମାନଙ୍କ ପାଇଁ ଇନ୍ଦ୍ରପୁରୀ ସମ ରାଷ୍ଟ୍ରପତି ଭବନରେ ଭୋଜନ କରିବାର ସୌଭାଗ୍ୟ ବି କେଉଁ ସ୍ବପ୍ନଠାରୁ କମ୍ ଯେ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୬୦ ଜଣ ଅତିଥି, ଦ୍ରୌପଦୀଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେବାକୁ ନିମନ୍ତ୍ରଣ ପାଇ ଯାଇଥିଲେ।

ରାଷ୍ଟ୍ରପତିଙ୍କ ଗାଁରୁ ଯାଇଥିବାରୁ ସେମାନଙ୍କ ରହିବା ଓ ଖାଇବା ପାଇଁ ହୋଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ଯେହେତୁ ନିଜ ଅଞ୍ଚଳର ଝିଅ, ପୁଣି ରାଷ୍ଟ୍ରପତି ଭାବେ ଶପଥ ନେଉଛନ୍ତି। ତେଣୁ ଅତିଥିମାନଙ୍କ ମଧ୍ୟରୁ ସେଦିନ ଅଧିକାଂଶ ସାନ୍ତାଳୀ ପୋଷାକ ପିନ୍ଧି ସେଣ୍ଟ୍ରାଲ ହଲ୍‌ରେ ଉପସ୍ଥିତ ହୋଇଥିଲେ। ଆଉ ନିଜ ମାଟି ଓ ସଂପ୍ରଦାୟରୁ ଜଣେ ଆପଣାର ସଦସ୍ୟ, ଦେଶର ସର୍ବୋଚ୍ଚ ପଦରେ ଆସୀନ ହେବାର ଦୃଶ୍ୟ ଦେଖି ବିହ୍ୱଳିତ ହୋଇପଡ଼ିଥିଲେ।

Advertisment

ତେବେ ଅତିଥି ମାନଙ୍କ ପାଇଁ ସବୁଠୁ ଅଭୂଲା ଓ ଅବର୍ଣ୍ଣନୀୟ ଅନୁଭବ ଥିଲା ରାଷ୍ଟ୍ରପତି ଭବନ ପରିସରରେ ମଧ୍ୟାହ୍ନ ଭୋଜନ ଯେହେତୁ ନିଜେ ରାଷ୍ଟ୍ରପତି ଆମିଷ ଖାଆନ୍ତି ନାହିଁ, ତେଣୁ ତାଙ୍କ ଜିଲ୍ଲାରୁ ଯାଇଥିବା ଅତିଥିଙ୍କ ପାଇଁ ବି ହୋଇଥିଲା ସମ୍ପୂର୍ଣ୍ଣ ନିରାମିଷ ଭୋଜନ ବ୍ୟବସ୍ଥା। ଆଉ ଲଞ୍ଚ ମେନ୍ୟୁରେ ଥିଲା ଜାତିଜାତିକା ସୁସ୍ୱାଦୁ ଆଇଟମ୍। ସେଗୁଡ଼ିକ ଥିଲା ଭେଜିଟେବୁଲ ସୁପ୍, ଜିରା ପଲାଉ, ନାନ୍, ପାଲକ୍ ପନିର, ତଡ଼କା, କୋବି ଗାଜର ବିନ୍ସ, ମଲାଇ କୋଫ୍ତା, ଗ୍ରୀନ୍ ସାଲାଡ୍, ବୁନ୍ଦି ରାଇତା, କେଶର ରସମଲେଇ ଓ ଫଳ ଖାଇବା ସାରିବା ପରେ ରାଷ୍ଟ୍ରପତି ଭବନକୁ ମନଭରି ବୁଲି ଦେଖିଥିଲେ ସମସ୍ତ ଅତିଥି। ପରେ ସମସ୍ତଙ୍କୁ ଗୋଟିଏ ଗୋଟିଏ ମିଠା ପକେଟ୍ ଦିଆଯାଇଥିଲା ଅାଉ ରାଷ୍ଟ୍ରପତି ଭବନରୁ ମିଳିଥିବା ଏଭଳି ଆତିଥ୍ୟରେ ସମସ୍ତେ ହୋଇଥିଲେ କୃତ୍ୟ କୃତ୍ୟ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଅତିଥି ହୋଇ ରାଇସିନା ହିଲ୍ ବୁଲିଲେ, ମଧ୍ୟାହ୍ନ ଭୋଜନ ବି କଲେ। ତେବେ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ନଥିବାରୁ ମହାମହିମଙ୍କ ସହ ସେଲ୍ଫି ନେଇ ନପାରି ଟିକେ ମନଦୁଃଖ କରିଥିଲେ କିଛି ଅତିଥି।

Advertisment

ରିପୋର୍ଟ: ରାଜେଶ ଶର୍ମା, କପିଳେନ୍ଦ୍ର ପ୍ରଧାନ

President Of India Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ