• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜନନୀ ଯନ୍ତ୍ରଣାରେ ପଡୁନି ପୂର୍ଣ୍ଣଚ୍ଛେଦ । ଆଖି ବୁଜି ଦେଇଛନ୍ତି ସରକାର। ଗାଁ ରେ ଭଲ ରାସ୍ତା ନଥିବାରୁ ଠିକ୍ ସମୟରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଇଲେ ପ୍ରସୂତି । ଏଭଳି ଦୁଃଖଦାୟକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ତଲସେରା ପାତ୍ରାଟୋଲି ବସ୍ତିରେ ।

ଖଣିଖାଦାନରେ ଭର୍ତ୍ତି ସୁନ୍ଦରଗଡ଼ ଜିଲ୍ଲାର ନଗ୍ନଚିତ୍ର ଆଜି ପଦାରେ ପଡ଼ିଯାଇଛି । ଗାଁକୁ ରାସ୍ତା ନାହିଁ । ଶିଶୁକନ୍ୟାକୁ ଜନ୍ମ ଦେବାପରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ପ୍ରସୂତି । ଆମ୍ବୁଲାନ୍ସକୁ ଡାକିଥିଲେ ଗ୍ରାମବାସୀ । ତେବେ ଗାଁକୁ ରାସ୍ତା ନଥିବାରୁ ୩ କିଲୋମିଟର ଦୂରରେ ରହିଥିଲା ଆମ୍ବୁଲାନ୍ସ । ଏପଟେ ଆମ୍ବୁଲାନ୍ସ ପାଖକୁ ଆଣିବାକୁ ଖଟିଆରେ ବୁହାହେଲେ ପ୍ରସୂତି । କିନ୍ତୁ ଅଧାବାଟରେ ପ୍ରସୂତି ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଇଥିଲେ ବୋଲି ସମ୍ପର୍କୀୟ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହା କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ଏହା ହେଉଛି ବୀରମିତ୍ରପୁର ପୌରପାଳିକା ୱାର୍ଡ ନଂ ୧୧ ଅନ୍ତର୍ଗତ ତଳସରା ପତ୍ରାଟୋଲି ବସ୍ତିର ଘଟଣା । ତଲସେରା ପାତ୍ରାଟୋଲୀ ବସ୍ତିର ଦିନ ମଜୁରିଆ ମଦନ ମାଝୀ ( ୨୮ ), ତାଙ୍କ ପତ୍ନୀ ଦୌପଦୀ ମାଝୀ , ତାଙ୍କ ଏକ ଶିଶୁ ପୁତ୍ର ଓ ବୁଢ଼ା ବାପାମା’ଙ୍କ ସହ ରୁହନ୍ତି । ଦ୍ରୌପଦୀଙ୍କ ପ୍ରସବ ବେଦନା ହେବାରୁ ସ୍ଥାନୀୟ ଆଶାକର୍ମୀଙ୍କ ଖବର ଦିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଆଶାକର୍ମୀଙ୍କ ପରାମର୍ଶକ୍ରମେ ଆମ୍ବୁଲାନ୍ସ ଡକାଯାଇଥିଲା । ହେଲେ ବିଳମ୍ବ ହେବାରୁ ନିଜ ଘରେ ଯନ୍ତ୍ରଣାରେ ଛଟପଟ ହୋଇ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଦ୍ରୌପଦୀ ।

ଶିଶୁ କନ୍ୟା ଜନ୍ମ ଦେବାପରେ ହଠାତ୍ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିଥିଲା । ଆମ୍ବୁଲାନ୍ସ ଆସି ଉକ୍ତ ଗାଁରୁ ତିନି କିଲୋମିଟର ଦୂରରେ ଥିବା ଜାତୀୟ ରାଜପଥ ୧୪୩ କଡ଼ରେ ପହଞ୍ଚିଥିଲା । ଏପଟେ ଆମ୍ବୁଲାନ୍ସ ପାଖକୁ ଖଟିଆରେ ପ୍ରସୂତିଙ୍କୁ ନିଆଯାଉଥିଲା । ହେଲେ ଆମ୍ବୁଲାନ୍ସ ପାଖକୁ ନେଇକି ଯାଉଥିବା ସମୟରେ ଦୌପଦୀଙ୍କ ଅକାଳ ବିୟୋଗ ଘଟିଛି ।

ବୀରମିତ୍ରପୁରରୁ ରାକେଶ ସାହୁଙ୍କ ରିପୋର୍ଟ