• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ସାଇକେଲରେ ବୋହା ହେଲେ ଗର୍ଭବତୀ । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗାଁକୁ ପହଂଚି ପାରିଲାନି ଆମ୍ବୁଲାନ୍ସ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ । ପାଲିଆ ପଂଚାୟତ ଅନ୍ତର୍ଗତ ଦିଉଡୁଗୁଡା ଗାଁର ରଇଲା ସାନ୍ତା ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ । ଫୋନ୍ ପାଇ ଆମ୍ବୁଲାନ୍ସ ବି ବାହାରିଲା ।

ହେଲେ ବେଲଝରି ଗାଁ ନିକଟରେ ଅଟକି ରହିଲା ଆମ୍ବୁଲାନ୍ସ । ଦିଉଡୁଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିଲା ନାହିଁ । ଫଳରେ ଗ୍ରାମବାସୀ ଦୁଇଟି ସାଇକେଲରେ ଏକ ଖଟକୁ ବାନ୍ଧି ସେଥିରେ ଗର୍ଭବତୀ ରଇଲା ସାନ୍ତାଙ୍କୁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ । ପରେ ପ୍ରସୁତିଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଡାକ୍ତରଖାନାକୁ ନିଆଯାଇଥିଲା ।

ସେପଟେ ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଜାମଝରିଆରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ତେଣୁ ଖଟରେ ବୋହି ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଗଲା । ଗାଁର ଜଣେ ଗର୍ଭବତୀ ମହିଳା ସୀମା ଦଣ୍ଡସେନାଙ୍କୁ ଗର୍ଭ ଯନ୍ତ୍ରଣା ଅନୁଭବ ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ ।

ତେବେ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆଧା ବାଟରେ ଅଟକି ରହିଥିଲା । ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ଗର୍ଭବତୀଙ୍କ ଘର ନିକଟକୁ ଚାଲି ଚାଲି ଯାଇ ପରିବାର ଲୋକଙ୍କ ସହାୟତାରେ ଏକ ଖଟରେ ଆମ୍ବୁଲାନ୍ସ ଯାଁଏ ଆଣିଥିଲେ । ଗର୍ଭବତୀଙ୍କୁ ବିଲେଇମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଆମ୍ବଲାନ୍ସ ଡ୍ରାଇଭରଙ୍କ ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଇଛି ।