• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ବଲଙ୍ଗୀରର ପାଟଣାଗଡ଼ ଗଞ୍ଜାମର ପୋଲସରା ଗୋଟିଏ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ଅନ୍ୟଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ଥାନ ଭିନ୍ନ ହେଲେ ବି ଘଟଣା କିନ୍ତୁ ସମାନ । ଗତକାଲି ରାତିରେ ପାଟଣାଗଡ଼ର ବାଲିପଟା ପଡ଼ିଆଜୋର ନିକଟରେ ଏକ ସଡ଼କ ଦୁର୍ଘଟଣା ପରେ ଚିକିତ୍ସା ପାଇଁ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ ୪ ଆହତ । କିନ୍ତୁ ସେତେବେଳକୁ ପାଓ୍ୱାର କଟ୍ ପାଇଁ ଅନ୍ଧାରରେ ଥିଲା ପୂରା ମେଡିକାଲ । ଖାଲି ମେଡିକାଲ ନୁହେଁ, ଜରୁରୀକାଳୀନ ସେବା କୋଠରୀରେ ବି ଲାଇଟର କୌଣସି ବ୍ୟବସ୍ଥା ନଥିଲା । ତେଣୁ ଦାୟିତ୍ୱରେ ଥିବା ଡାକ୍ତର ବାଧ୍ୟ ହୋଇ ମୋବାଇଲ ଲାଇଟର ସାହାରା ନେଇଥିଲେ ।

ଅନୁରୂପ ଦୃଶ୍ୟ ଗଞ୍ଜାମ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । ଗତ ସୋମବାର ରାତିରେ ଗର୍ଭଯନ୍ତ୍ରଣା ହେବାରୁ ମେଡିକାଲ ଆସିଥିଲେ ଜଣେ ଆସନ୍ନ ପ୍ରସବା । କିନ୍ତୁ ସେତେବେଳେ ଆଲୋକ ଅଭାବରୁ ମେଡିକାଲରେ ରାଜୁତି କରୁଥିଲା ଅନ୍ଧକାର । ଏମିତିକି ଗୁରୁତ୍ୱପୂର୍ଣ୍ଣ ଲେବର ରୁମରେ ବି ନା ଇନର୍ଭଟର ନା ଜେନରେଟର ଭଳି ବିକଳ୍ପ ବ୍ୟବସ୍ଥା କାମ କରୁଥିଲା । ତେଣୁ ମୋବାଇଲ ଓ ମହମବତୀ ଆଲୁଅରେ କାମ ଚଳାଇ ନେଇଥିଲେ ଡାକ୍ତର । ଏପଟେ ମେଡିକାଲର ଏ ବ୍ୟବସ୍ଥା ନେଇ ଖପ୍ପା ହୋଇଥିଲେ ପ୍ରସୂତୀଙ୍କ ସମ୍ପର୍କୀୟ ।

ବିଦ୍ୟୁତ ବଳକା ଥିବା ଦାବି କରୁଥିବା ରାଜ୍ୟ ଓଡ଼ିଶାରେ ଖରାଦିନେ ଘନ ଘନ ପାଓ୍ୱାର କଟ୍ ସମସ୍ୟାରେ ସବୁଠୁ ଅଧିକ ଜର୍ଜରିତ ବିଭିନ୍ନ ସରକାରୀ ମେଡିକାଲ । ଗଞ୍ଜାମ ଜିଲ୍ଲାର ଆସିକା ମେଡିକାଲରେ ପାଓ୍ୱାର କଟ୍ ପରେ ବିଜୁଳିର ବିକଳ୍ପ ନାହିଁ । ତେଣୁ ପ୍ରବଳ ଗରମରେ ଛଟପଟ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । ସେହିଭଳି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମାନ ଅବସ୍ଥା ହେଲେ ସେଥିପ୍ରତି କିନ୍ତୁ କାହାରି ଦୃଷ୍ଟି ନାହିଁ ।

ରାଜ୍ୟରେ ଏକାଧିକ ସ୍ଥାନରେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିବା ପରେ ଲାଗୁଛି, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ଅଧିକ ବ୍ୟୟ ବରାଦ, ସରକାରୀ ମେଡିକାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତ କରିବାର ନାରା କଣ ଖାଲି ଧୂଆଁ ବାଣ? ମୋ ସରକାର ଓ ଫାଇଭ୍ ଟି ଅଧୀନରେ ଆସୁଥିଲେ ବି ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲରେ ଏ ଅବ୍ୟବସ୍ଥା ପାଇଁ ଦାୟୀ କିଏ? ବିଭାଗ ନା ଦାୟିତ୍ୱରେ ଥିବା ଅଧିକାରୀ?