• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୀଳଗିରି ( ବିଶ୍ୱମ୍ବର ଦାସ ) : ଆଜି ଆଲୋକର ପର୍ବ ଦୀପାବଳି । ଏହି ପର୍ବର ମୁଖ୍ୟ ଆକର୍ଷଣ ମାଟିର ଦୀପ । ଆଉ ଏହି ଦୀପକୁ ବେଶ ଶରଧାର ସହ ଗଢ଼ିଥାଏ ମାଟିର ମଣିଷ କୁମ୍ଭାର ପରିବାର । ଚିକିମିକିଆ ଆଲୁଅ ଆଗରେ ମାଟିର ଦୀପ ବିକ୍ରି କମିଛି ।  ଘରେ ଲିଚୁ ଲାଇଟ୍ ଲଗାଇ ସଜାଇବାକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ହେଲେ ଅଳ୍ପସଂଖ୍ୟକ ସଂସ୍କୃତି ପ୍ରେମୀ ତଥା ପୁରୁଣା ପରମ୍ପରାକୁ ବଜାୟ ରଖିବା ଲକ୍ଷ୍ୟରେ ନିର୍ମାଣ କରୁଛନ୍ତି ମାଟିଦୀପ । ତେଣୁ ଦୀପାବଳି ଉପଲକ୍ଷେ କିଛି ଦିନ ପୂର୍ବରୁ ବେଶ ଚଳଚଞ୍ଚଳ ହୋଇ ପଡ଼ିଥିଲେ କୁମ୍ଭକାର ବନମାଳୀ ।

ଔପଦା ବ୍ଲକର ଖୁଲିଆ ଗ୍ରାମର କୁମ୍ଭାର ପରିବାର । କୁମ୍ଭକାର ବନମାଳୀ ପୁଅ ସହ ଦୀପ ତିଆରି କରିବାରେ ବ୍ୟସ୍ତ । କେବଳ ସେମାନେ ଦୁଇ ଜଣ ନୁହେଁ, ମାଟିର ଦୀପ ପ୍ରସ୍ତୁତରେ ଲାଗି ପଡିଥିଲେ ପରିବାରର ସଭିଏଁ । ପୂର୍ବଭଳି ଚାହିଦା ନାହିଁ ସତ କିନ୍ତୁ ପରମ୍ପରା ବଞ୍ଚାଇବା ପାଇଁ ଲୋକଙ୍କ ଭିତରେ ଥିବା ଆଗ୍ରହକୁ ଆଖିରେ ରଖି ସେମାନେ ଦୀପ ତିଆରି କରିଛନ୍ତି । ଲାଭ ନହେଲେବି କୌଳିକ ବୃତ୍ତିକୁ ବଂଚାଇ ରଖିଛନ୍ତି । ଦୀପ ତିଆରି କରିବାକୁ ପ୍ରଥମେ ୧୦ଫୁଟ ତଳର ଗାତକରି ସେଥିରୁ ଏକ ସ୍ୱତନ୍ତ ମାଟି ସଂଗ୍ରହ କରି ଏହାକୁ ଚକଟି ମେସିନରେ ଲଗାଯାଏ । ଆଉ ତା’ପରେ ତାକୁ ଦୀପ ଆକୃତି ଦିଆଯାଇ ଭାଟିରେ ପୋଡ଼ି ଦିଆଯାଏ । ତା’ପରେ ପ୍ରସ୍ତୁତ ହୁଏ ମାଟିର ଦୀପ ।

ପୂର୍ବରୁ ଚିନ୍ତା ଥିଲା ପରପିଢି ହୁଏତ ଏ ଅଳ୍ପ ଲାଭଦାୟକ କୌଳିକ ପ୍ରଥାକୁ ନଆପଣାଇ ପାରନ୍ତି । ହେଲେ ଏଠି କିନ୍ତୁ  ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ବନମାଳୀଙ୍କ ପୁଅ ବୈକୁଣ୍ଠ ବସି ମେସିନରେ ଦୀପ ନିର୍ମାଣ କରିଛନ୍ତି । ଆଉ ବାପା ବନମାଳୀ ନିଜେ କୁମ୍ଭାର ଚକରେ ମାଟି ଦୀପ ତିଆରି କରିଛନ୍ତି ପରମ୍ପରାକୁ ବଞ୍ଚାଇବାକୁ ପୁଅକୁ ସହଯୋଗ କରୁଛନ୍ତି ବାପା । ଲାଭ କଥା ଦୂରେ ଥାଉ କିନ୍ତୁ ବୃତ୍ତି ତଥା ପରମ୍ପରା ବୁଡ଼ିନଯାଉ ।