ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍; ପୁରୀ-ରାଉରକେଲା ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ

ପୁରୀ- ରାଉରକେଲା ବନ୍ଦେ ଭାରତକୁ ମିଶାଇ ସାରା ଦେଶରେ ଆଜି ଏକକାଳୀନ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ୁଛି ।

ଚାଲିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଓଡ଼ିଶାରେ ଚାଲିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ ରାଉରକେଲାକୁ ଯୋଡ଼ିଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ଅତ୍ୟାଧୁନିକ ସେମି ହାଇସ୍ପିଡ୍ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ମାତ୍ର ୭ ଘଣ୍ଟା ୪୫ ମିନିଟରେ ପୁରୀରୁ ରାଉରକେଲା ପହଞ୍ଚିବ ବନ୍ଦେ ଭାରତ, ଯାହାକି ଯାତ୍ରୀଙ୍କ ସମୟ ବଞ୍ଚାଇବା ସହ ସୁଖଦ ଯାତ୍ରା ଅନୁଭୂତି ଦେବ ।

ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଐତିହ୍ୟ ସହର ପୁରୀ ସହ ଯୋଡ଼ିହେଲା ଇସ୍ପାତ ନଗରୀ ରାଉରକେଲା । ଆଉ ଓଡ଼ିଶା ପାଇଲା ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ପୁରୀ- ରାଉରକେଲା ବନ୍ଦେ ଭାରତକୁ ମିଶାଇ ସାରା ଦେଶରେ ଆଜି ଏକକାଳୀନ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୧୧ ଲକ୍ଷ ଯାତ୍ରୀ ବନ୍ଦେ ଭାରତରେ ଯାତ୍ରା କରିସାରିଲେଣି । ଖୁବଶୀଘ୍ର ଦେଶର କୋଣ ଅନୁକୋଣକୁ ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ୍ ଟ୍ରେନ ପହଞ୍ଚିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।


ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଶନିବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ । ପ୍ରତିଦିନ ଏହା ପୁରୀରୁ ସକାଳ ୫ଟାରେ ଛାଡ଼ିବ ଓ ଅପରାହ୍ଣ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ । ସେହିପରି ରାଉରକେଲାରୁ ଅପରାହ୍ଣ ୨ଟା ୧୦ରେ ଛାଡ଼ି ପୁରୀରେ ରାତି ୯ଟା ୪୦ରେ ପହଞ୍ଚିବ । ଅନ୍ୟ ଏକ୍ସପ୍ରେସ ଟ୍ରେନକୁ ପୁରୀରୁ ରାଉରକେଲା ୫୦୫ କିଲୋମିଟର ଦୂରତା ଅତିକ୍ରମ କରିବାକୁ ସାଢ଼େ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗୁଥିବା ବେଳେ ବନ୍ଦେ ଭାରତ ମାତ୍ର ୭ ଘଣ୍ଟା ୪୫ ମିନିଟରେ ଏହି ଦୂରତା ଅତିକ୍ରମ କରିବ ।

ସମ୍ପୂର୍ଣ୍ଣ ବାତାନୁକୂଳିତ ତଥା ସିସିଟିଭି, ଅଟୋମେଟେଡ୍ ଡୋର, ରିକ୍ଲାଏନର ସିଟ୍, ପୁସ୍ ଟୁ ଟକ୍ ଭଳି ବହୁ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ବନ୍ଦେ ଭାରତରେ ପୁରୀରୁ ରାଉରକେଲା ଟିକେଟ ମୂଲ୍ୟ ୧୨୪୫ ଟଙ୍କାରୁ ଆରମ୍ଭ । ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ଭୁବନେଶ୍ୱର ଷ୍ଟେସନରୁ ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବହୁ ବିଧାୟକ ଓ ନେତା ଉପସ୍ଥିତ ଥିଲେ । ବହୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଯାତ୍ରୀ ଭାବେ ଏହାର ଅନୁଭୂତି ନେଇଥିଲେ ।

ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ସମ୍ବଲପୁର ଦେଇ ରାୟପୁରକୁ ଚଲାଇବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।