• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅପେକ୍ଷାର ଅନ୍ତ ଘଟୁନି, ଦିନ ପରେ ଦିନ ଗଡ଼ି ଚାଲିଛି । ହେଲେ କୁନି ଝିଅ ପିହୁର ପତ୍ତା ମିଳିନି । ଅଥୟ ହୋଇପଡ଼ିଲେଣି କୁନି ଝିଅର ମାଆ । ଝିଅ ପାଇଁ ବାରଦୁଆର ଦଉଡ଼ି ଦଉଡ଼ି ଥକିଗଲେଣି । ବର୍ତ୍ତମାନ ସିବିଆଇ ତଦନ୍ତ ନହେଲେ ନଚେତ ଇଚ୍ଛା ମୃତ୍ୟୁ ଦିଅ ବୋଲି ସେ ଦାବି କରିଛନ୍ତି । ସାଧାରଣ ଲୋକଙ୍କୁ ଯଦି ନ୍ୟାୟ ଦିଆଯାଉ ନାହିଁ, ତେବେ କେଉଁ ଅଧିକାରରେ ମଣିଷ ବଞ୍ଚିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଜଣେ ମା’ ପିଲା ବିନା କିପରି ବଞ୍ଚିବ ?

ତେବେ ଆଜି ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏଭଳି ଆବେଦନ କରିଛନ୍ତି କୁନି ଝିଅ ପିହୁଙ୍କ ମାଆ ମୋନାଲିସା ନାୟକ । ଯାଜପୁର ବିଂଝାରପୁର ଥାନା ମଧୁସୂଦନପୁର ଗାଁର ମୋନାଲିସା ନାୟକ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଆବେଦନ ପତ୍ର ପଠାଇଛନ୍ତି ।

୨୦୨୦ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଥିଲା ୨ ବର୍ଷର ଝିଅ ପିହୁ । ଘରେ ମୋନାସିଲା କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ହଠାତ ‘ପିହୁ’ କେଉଁଆଡେ ଗାୟବ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତା’ର ପତ୍ତା ପାଇନଥିଲେ । ଏ ନେଇ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ଘଟଣାକୁ ୨୦ ମାସ ବିତିଯାଇଥିଲେ ବି ଏଯାଏଁ ପିହୁର କୌଣସି ପତ୍ତା ମିଳିନି । ପୋଲିସ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିବା ପରେ ବି ପିହୁର ପତ୍ତା ନ ମିଳିବାରୁ ସେ ସିବିଆଇ ତଦନ୍ତ କିମ୍ବା ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି ।