• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର( ଆଲୋକ ମହାନ୍ତି ) : ମାଲିକଙ୍କ ପାଇଁ ସାପ ସହ ମୁହାଁମୁହିଁ ଗର୍ଭବତୀ ‘କାଳୀ’ । ଝପଟି ଯାଇ ଘର ଅଗଣାରେ ବିଷଧର ନାଗର ବାଟ ଓଗାଳିଲା ଡୋବରମ୍ୟାନ କୁକର । ଘରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ସାପକୁ ଆକ୍ରମଣ କରି ଘାଇଲା କରିଦେଲା । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଏପରି ଘଟଣା ଘଟିଛି ।

ଗତ କାଲି ସନ୍ଧ୍ୟାରେ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଗ୍ରାମର ସୌମ୍ୟ ରଞ୍ଜନ ସେନାପତିଙ୍କ ଘର ଭିତରକୁ ଫଣା ଟେକି ସାପଟି ପଶି ଆସୁଥିଲା । ହେଲେ ମାଲିକ ଘର ପ୍ରତି ବିପଦ ଅନୁଭବ କରି ମାଈ ଡୋବରମ୍ୟାନ କୁକର "କାଳୀ" ୩ ଫୁଟ ଲମ୍ବର ନାଗ ସାପ ଆଗରେ ଢ଼ାଲ ହୋଇ ଛିଡ଼ା ହୋଇଗଲା । ସାପକୁ ଘଟ ଭିତରକୁ ପୂରାଇ ଦେଲାନି । ହେଲେ କୁକରକୁ ଦେଖି ନାଗ ସାପଟି ମଧ୍ୟ ଫଣା ଟେକି କାମୁଡିବାକୁ ଦଉଡ଼ି ଆସିଲା ।

ହେଲେ କାଳୀ ସାପର ଦେହର ମଝି ଭାଗକୁ ପାଟିରେ କାମୁଡି ଧରି ୨-୩ ଥର ଏପଟ ସେପଟ କରି ଦେଇ ଦୂରକୁ ଫିଙ୍ଗିଦେଲା । ଆଉ ଏହାରି ସୌମ୍ୟରଂଜନଙ୍କ ଘର ଲୋକ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ । ତୁରନ୍ତ କାଳୀକୁ ସାପ ପାଖରୁ ଭିଡି ଦୂରକୁ ନେଇ ଯାଇଥିଲେ । କାଳୀ ଗର୍ଭବତୀ ଥିବାରୁ କାଳେ ସାପ କାମୁଡି ଦେବ, ସେଥିପାଇଁ ଚିନ୍ତିତ ଥିଲେ ।

ଅନ୍ୟପଟେ କାଳୀର ଆକ୍ରମଣେ ସାପଟି ଗୁରୁତର ହୋଇ ଆଉ ଭଲରେ ଚାଲି ପାରୁନଥିଲା । ଘୁଷୁରି ଘୁଷୁରି ଘରୁ ବାହାରକୁ ଯିବା ସମୟରେ ଘରମାଲିକ ସୌମ୍ୟ ଏକ ପ୍ଲାଷ୍ଟିକ ଟବ୍ ଆଣି ସାପକୁ ଘୋଡେଇ ଦେଲେ ଓ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପାଖକୁ ଫୋନ କରି ପରାମର୍ଶ ଲୋଡିଥିଲେ ।

ଅନ୍ୟପଟେ କୁକୁରଟିର ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ଶୁଭେନ୍ଦୁ ସୌମ୍ୟଙ୍କ ଠାରୁ ଉଭୟ ସାପ ଓ କୁକୁରଙ୍କ ଅଲଗା ଅଲଗା ଭିଡ଼ିଓ ମଗେଇ ଦେଖିଥିଲେ । କୁକୁରଟି ସାଧାରଣ ବ୍ୟବହାର କରୁଥିବା ସମୟରେ ନାଗଟିର ମେରୁଦଣ୍ଡ ଭାଙ୍ଗି ଯାଇଥିବା ଜଣା ପଡିଥିଲା । ଶୁଭେନ୍ଦୁଙ୍କ ପରାମର୍ଶ ଅନୁସାରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚି ଆହତ ନାଗ ସାପଟିକୁ ଉଦ୍ଧାର କରିଥିଲେ ।

କୁକୁରଟିର କିଛି ବି ଅସ୍ୱାଭାବିକ ପରିବର୍ତ୍ତନ ଦେଖିଲେ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନେବା ପାଇଁ ପରାମର୍ଶ ଦେଇଥିଲେ ଶୁଭେନ୍ଦୁ । ତେବେ ସବୁଠାରୁ ବଡ଼ କଥା ହେଲା ଡୋବରମ୍ୟାନ କାଳୀ ନିଜକୁ ରକ୍ଷା କରିବା ସହ ମାଲିକଙ୍କ ଘରକୁ ମଧ୍ୟ ସୁରକ୍ଷା ଦେବାରେ ସଫଳ ହେଇପାରିଲା ।