ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଡରୁଛନ୍ତି ବାପା-ମାଆ ! ପାଠ ପଢ଼ା ବୋଝ ପାଲଟିଛି

ରାୟଗଡ଼ା ଜିଲ୍ଲା ଗୁଣୁପୁର ସବଡିଭିଜନର ଚନ୍ଦ୍ରପୁର ବ୍ଲକର କିଛି ଗାଁରେ ପିଲାଙ୍କ ପାଇଁ ପାଠ ପଢ଼ିବା ଏକ ବୋଝ ପାଲଟିଛି ।

School Problem

ଘଞ୍ଚ ଜଙ୍ଗଲ ଆଉ ପାହାଡ଼ିଆ ରାସ୍ତା । ପାଦେ ପାଦେ ହିଂସ୍ର ଜୀବଜନ୍ତୁଙ୍କ ଭୟ । ପ୍ରାୟ ୧୦ରୁ ୧୨ କିଲୋମିଟର ଗଲେ ପଡ଼େ ସ୍କୁଲ । ପାଠ ପଢ଼ିବା ପାଇଁ ସିନା ନାଁ ଲେଖା ହୋଇଛି, ହେଲେ ଏତେ ବାଟ ଚାଲି ଚାଲି ଯାଇ ପଢ଼ିବା ସମ୍ଭବ ହେଉନି । ଦିନେ ସ୍କୁଲ ଗଲେ, ଆରଦିନକୁ ଗୋଡ଼ ହାତ ବିନ୍ଧା । ଏଭଳି ସ୍ଥିତି ଦେଇ ଗତି କରୁଛନ୍ତି ରାୟଗଡ଼ା ଗୁଣୁପୁର ସବ୍ ଡିଭିଜନ ପିସ୍କାପଙ୍ଗା ହାଇସ୍କୁଲର ଛାତ୍ରଛାତ୍ରୀ ।

ରାୟଗଡ଼ା ଜିଲ୍ଲା ଗୁଣୁପୁର ସବଡିଭିଜନର ଚନ୍ଦ୍ରପୁର ବ୍ଲକର କିଛି ଗାଁରେ ପିଲାଙ୍କ ପାଇଁ ପାଠ ପଢ଼ିବା ଏକ ବୋଝ ପାଲଟିଛି । ପଢ଼ିବା ଲାଗି କିଏ ୧୦ କିଲୋମିଟର ଯାଉଛି ତ କିଏ ୫ କିଲୋମିଟର ଦୂରକୁ ଯାଉଛି ସ୍କୁଲ । ପାହାଡ଼ ଘେରା ଜଙ୍ଗଲ ରାସ୍ତାରେ ଜୀବଜନ୍ତୁଙ୍କ ଭୟ ସତ୍ତ୍ୱେ କୁନି କୁନି ପିଲା ଘଣ୍ଟା ଘଣ୍ଟା ଧରି ଚାଲି ଚାଲି ଯାଉଛନ୍ତି ସ୍କୁଲ । ପିସ୍କାପଙ୍ଗା ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଦିନେ ସ୍କୁଲ ଆସିଲେ ଆର ଦିନ ଆସିବାକୁ ସେମାନଙ୍କର ମନ ହେଉନି । ଏଣୁ ସ୍କୁଲରେ ବାରମ୍ବାର ଆବସେଣ୍ଟ ପଡ଼ୁଛି ।

୧୯୬୬ରେ ପ୍ରତିଷ୍ଠା ହୋଇଥିବା ପିସ୍କାପଙ୍ଗା ହାଇସ୍କୁଲରେ ପ୍ରାୟ ୧୦ଟି ଗାଁର ପିଲା ପଢ଼ନ୍ତି । ସ୍କୁଲଠାରୁ ବହୁ ଦୂରରେ ରହୁଛନ୍ତି ଛାତ୍ରଛାତ୍ରୀ । ଆଉ ସ୍କୁଲକୁ ଗଲା ବେଳେ ଜଙ୍ଗଲ ରାସ୍ତା ଦେଇ ଚାଲି ଚାଲି ଯିବାକୁ ପଡ଼ୁଛି । ତେଣୁ ବନ୍ୟଜନ୍ତୁ ଭୟ ମଧ୍ୟ ରହୁଛି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଜୀବନକୁ ଭୟ ମଧ୍ୟ ରହୁଛି । ଏଥିପାଇଁ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲରେ ହଷ୍ଟେଲ ସୁବିଧା କରାଯାଉ ବୋଲି ଦାବି କରିଛନ୍ତି । ହଷ୍ଟେଲଟିଏ ନିର୍ମାଣ ହେଲେ ଦୂର ଦୂରାନ୍ତରୁ ଆସୁଥିବା ପିଲାଙ୍କ ସମସ୍ୟା ଦୂର ହୋଇପାରିବ । ଏମିତିକି ପିଲାମାନଙ୍କର ପାଠ ପଢ଼ା ମଧ୍ୟ ରେଗୁଲାର ହୋଇପାରିବ ।

ଅଭିଭାବକଙ୍କ ବାରମ୍ବାର ଦାବି ପରେ ଏବେ ଗୁଣପୁର ଜିଲ୍ଲାପାଳ ହଷ୍ଟେଲ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ ହଷ୍ଟେଲ ନିର୍ମାଣ ହେଉଛି ଆଉ ନିଜ ପ୍ରତିଶ୍ରୁତି କେମିତି ରକ୍ଷା କରୁଛନ୍ତି ଜିଲ୍ଲାପାଳ । ପିଲାଙ୍କ ପାଠ ପଢ଼ା ସମସ୍ୟା କେବେ ଦୂର ହେଉଛି ତାକୁ ଅପେକ୍ଷା ।

 

(ରିପୋର୍ଟ- ମାଉଡ଼ି ବାରିକ,  ରାୟଗଡ଼ା)