Advertisment

ଭାରତର ବୈଦେଶିକ ନୀତିକୁ ପ୍ରଶଂସା କଲେ ଇମ୍ରାନ୍‌, ହେଲେ ଶାହବାଜ୍ ଶରିଫ୍ ସରକାରକୁ କହିଲେ ଚୋର

ଗତ ଏପ୍ରିଲ୍‌ରେ ପ୍ରଧାନମନ୍ତ୍ରୀ ପଦ ଯିବା ପରଠୁ ରକ୍ତ ଚାଉଳ ଚୋବାଇ ଆସୁଛନ୍ତି ଇମ୍ରାନ୍।

Imran Khan

Imran Khan

Advertisment

ଶାହବାଜ୍ ଶରିଫ୍ ସରକାରକୁ ଚୋର କହିଲେ... ପାକିସ୍ତାନ ସେନାକୁ ଦୁର୍ବଳ କହିଲେ... ଆଇଏସ୍ଆଇ ଡିଜିଙ୍କ ଗୁମର ଖୋଲିଦେବେ ବୋଲି ଧମକ ଦେଲେ... ପୁଣି ଭାରତର ବୈଦେଶିକ ନୀତିକୁ ପ୍ରଶଂସା କଲେ। ଲାହୋରରୁ ଇସଲାମାବାଦ ଅଭିମୁଖେ ହକିକି ଆଜାଦି ଶୋଭାଯାତ୍ରାରେ ବାହାରି ହଜାର ହଜାର ସମର୍ଥକଙ୍କ ଗହଣରେ ଗର୍ଜିଛନ୍ତି ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଗତ ଗୁରୁବାର ISI ଡିଜି ନଦୀମ ଅଞ୍ଜୁମ୍ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନଙ୍କୁ ଟାର୍ଗେଟ୍ କରିଥିବା ବେଳେ, ଆଜି ରାଲିରେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ନିଜେ ଇମ୍ରାନ୍।

Advertisment

ଡିଜି ଆଇଏସ୍ଆଇ ଚାପଗ୍ରସ୍ତ ହୋଇ ଏବେକାର ଦୁର୍ନୀତିଗ୍ରସ୍ତ ସରକାରକୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିବା ସହିତ, ତାଙ୍କର ଗୁମର ଖୋଲିଦେବେ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ଦରଦାମ ବୃଦ୍ଧି ଏବଂ ୨ ଆଇଏସଆଇ ଅଧିକାରୀଙ୍କ ଦ୍ୱାରା ପିଟିଆଇ ସାଂସଦ ନିର୍ଯାତିତ ହେବା ପ୍ରସଙ୍ଗ ଉଠାଇ ଶେହବାଜ ସରକାରକୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି। ରୁଷଠୁ ତେଲକିଣା ପ୍ରସଙ୍ଗ ଉଠାଇ ଇମ୍ରାନ୍ ପୁଣିଥରେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି ଏବଂ ପାକିସ୍ତାନ ସରକାରକୁ ବିଦେଶୀ ଚାପରୁ ମୁକ୍ତ ହେବାକୁ ଆହ୍ବାନ ଦେଇଛନ୍ତି।

ଗତ ଏପ୍ରିଲ୍‌ରେ ପ୍ରଧାନମନ୍ତ୍ରୀ ପଦ ଯିବା ପରଠୁ ରକ୍ତ ଚାଉଳ ଚୋବାଇ ଆସୁଛନ୍ତି ଇମ୍ରାନ୍। ବାରମ୍ବାର ସାନି ସାଧାରଣ ନିର୍ବାଚନ ପାଇଁ ଦାବି କରିଆସୁଥିଲେ ବି ତାହା ସଫଳ ହେଉନି। ତେବେ ଗତ ସପ୍ତାହରେ ନିର୍ବାଚନ କମିଶନ ନ୍ୟାସନାଲ ଆସେମ୍ଲିରୁ ତାଙ୍କ ସଦସ୍ୟତା ରଦ୍ଦ କରିବା ଘଟଣା, ନିଆଁରେ ଘିଅ ଢାଳିବା ଭଳି ହୋଇଛି। ପ୍ରଧାନମନ୍ତ୍ରୀତ୍ୱ କାଳରେ ମିଳିଥିବା କିଛି ଉପହାରକୁ ଇମ୍ରାନ୍ ଖାନ୍ ଗୁପ୍ତ ଭାବେ ବିକି ଦେଇଥିବା ଅଭିଯୋଗ ଆସିବା ପରେ, ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପାକିସ୍ତାନ ନିର୍ବାଚନ କମିଶନ।

Advertisment

ଅନ୍ୟପକ୍ଷରେ ଇମ୍ରାନଙ୍କ ୪ଶହ କିଲୋମିଟର ଆଜାଦୀ ମାର୍ଚ୍ଚକୁ ଦୃଷ୍ଟିରେ ରଖି ଲାହୋରରେ ମୋବାଇଲ୍ ଇଣ୍ଟରନେଟ୍ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।  ନଭେମ୍ବର ୪ରେ ରାଲି ଇସ୍ଲାମାବାଦରେ ପହଞ୍ଚିବାକୁ ଥିବା ବେଳେ, ସେଠାରେ ୧୩ ହଜାରରୁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛି। ଏଥିସହ ଇସଲାମବାଦର ହୋଟେଲ୍ ଓ ଗେଷ୍ଟହାଉସ ଗୁଡ଼ିକୁ ରାଲିରେ ଭାଗ ନେଇଥିବା ପିଟିଆଇ ସମର୍ଥକଙ୍କୁ ରହିବାକୁ ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେଣେ ପାକିସ୍ତାନୀ ଟିଭି ଚ୍ୟାନେଲ୍ ଗୁଡ଼ିକୁ ରାଲି ଓ ଇମ୍ରାନଙ୍କ ଭାଷଣର ସିଧାପ୍ରସାରଣ ନକରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସୂଚନା ମିଳିଛି।

Imran Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ