ସାହସୀ ଯୁବ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗକୁ ଦୁଇ ବର୍ଷ; ଓଟିଭି କାର୍ଯ୍ୟାଳୟରେ ସ୍ମୃତି ଚାରଣ

ଅରିନ୍ଦମଙ୍କ ନିର୍ଭିକତା ସବୁବେଳେ, ସବୁ ପରିସ୍ଥିତିରେ ମନରେ ଉଙ୍କି ମାରେ । ତାଙ୍କ କର୍ତ୍ତବ୍ୟନିଷ୍ଠତା, ସାହସିକତା ଓ ନିର୍ଭିକ ରିପୋର୍ଟିଂ କଥା ଆଜି ବି ମନେ ପଡ଼ୁଛି ।

ସାହସୀ ଯୁବ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗକୁ ଦୁଇ ବର୍ଷ

ସାହସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗକୁ ଆଜି ଦୁଇ ବର୍ଷ ପୁରିଛି । ଦୁଇ ବର୍ଷ ତଳେ ଅର୍ଥାତ ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ଲାଇଭ୍ ରିପୋର୍ଟିଂ କରୁଥିବାବେଳେ ଦୁର୍ଘଟଣାବଶତଃ ପ୍ରାଣ ହରାଇଥିଲେ ଅରିନ୍ଦମ । ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତେ । ଅରିନ୍ଦମ ଚାଲିଯିବାର ଦୁଇ ବର୍ଷ ବିତିଛି ।

ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ । ଅରିନ୍ଦମଙ୍କ ନିର୍ଭିକତା ସବୁବେଳେ, ସବୁ ପରିସ୍ଥିତିରେ ମନରେ ଉଙ୍କି ମାରେ । ତାଙ୍କ କର୍ତ୍ତବ୍ୟନିଷ୍ଠତା, ସାହସିକତା ଓ ନିର୍ଭିକ ରିପୋର୍ଟିଂ କଥା ଆଜି ବି ମନେ ପଡ଼ୁଛି । ବାତ୍ୟା ହେଉ ଅବା ବନ୍ୟା, ରାଜନୀତି ହେଉ ଅବା ଅପରାଧ... ସବୁ ବିଟରେ ସେ ଖବର ସଂଗ୍ରହ କରିବାରେ ସିଦ୍ଧହସ୍ତ ଥିଲେ । ତାଙ୍କ ନିଆରା ଶୈଳୀ ଅନେକ ଯୁବ ପୀଢ଼ିଙ୍କ ମଧ୍ୟରେ ଆଜି ବି ଉତ୍ସାହ ସଞ୍ଚାର କରୁଛି ।

ଅରିନ୍ଦମଙ୍କ ଅବର୍ତ୍ତମାନରେ ଓଟିଭି କାର୍ଯ୍ୟାଳୟରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ଓଟିଭିର କର୍ମଚାରୀ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହାପରେ ତାଙ୍କ ସାହସିକ ରିପୋର୍ଟିଂ ଓ ସେ କିଭଳି ସମସ୍ତଙ୍କର ଅତି ଆପଣାର ଥିଲେ ସେନେଇ ସମସ୍ତେ ମତ ବିନିମୟ କରିଥିଲେ । ଓଟିଭି ପକ୍ଷରୁ ଅରିନ୍ଦମଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।