• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ଆଣିବାକୁ ବିଦେଶ ବୁଲୁଛନ୍ତି ରାଜ୍ୟ ସରକାର । ହେଲେ ରାଜ୍ୟରେ ମରି ମରି ଚାଲିଛି ପୁରୁଣା ଶିଳ୍ପଥାତି । ଗତକାଲି ଓଟିଏମ୍ ପାଇଁ ୧୧୫ କୋଟି ଟଙ୍କା ଜମା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ଚର୍ଚ୍ଚାରେ ଏକଦା ରାଜ୍ୟର ଶିଳ୍ପ ପରିଚୟ ପାଲଟିଥିବା ଓଟିଏମ୍‌ । ହାଇକୋର୍ଟଙ୍କ ଏକ ଶୁଣାଣିକୁ ନେଇ ପ୍ରାପ୍ୟ ଅପେକ୍ଷାରେ ଥିବା ଶ୍ରମିକ ଓ କର୍ମଚାରୀ ଯେତିକି ଆଶାବାଦୀ ଏହାକୁ ଘରୋଇ ସଂସ୍ଥାକୁ ବିକ୍ରି ପାଇଁ ଚାଲିଥିବା ଉଦ୍ୟମକୁ ନେଇ ବି ସେତିକି ଆଶଙ୍କିତ । ଅନ୍ୟପଟେ ଓଟିଏମ୍ ଭଳି ଶିଳ୍ପସଂସ୍ଥା ଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଛନ୍ତି ବିରୋଧୀ ।

ରାଜ୍ୟରେ ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିପତିଙ୍କୁ ମନେଇବା ପ୍ରୟାସରେ ଲାଗିଛନ୍ତି ରାଜ୍ୟ ସରକାର । କେତେବେଳେ ମେକ୍ ଇନ୍ ଓଡ଼ିଶା, ତ କେବେ ଇନ୍‌ଭେଷ୍ଟର୍ସ ମିଟ୍ ହେଉଛି । ପୁଞ୍ଜିପତିଙ୍କୁ ଆମନ୍ତ୍ରଣ କରିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ବି କେବେ ଦୁବାଇ ତ କେବେ ମୁମ୍ବାଇ ବୁଲି ବଡ଼ ବଡ଼ ଶିଳ୍ପପତିଙ୍କୁ ଭେଟୁଛନ୍ତି । ହେଲେ ଏପଟେ କିନ୍ତୁ ମରି ମରି ଚାଲିଛି ରାଜ୍ୟର ପୁରୁଣା ଶିଳ୍ପ । ଏଇ ଯେମିତି ବିଜୁବାବୁଙ୍କ ଉଦ୍ୟମରେ ୧୯୫୦ରେ ପ୍ରତିଷ୍ଠିତ ଏବଂ ନବୀନ ସରକାରର ପ୍ରଥମ ଟର୍ମ ୨୦୦୧ରୁ ମୃତ କଟକ ଚୌଦ୍ୱାରର ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ବା ଓଟିଏମ୍ ।

କୁହାଯାଉଛି ଓଟିଏମ୍‌ ଆରମ୍ଭ ବେଳକୁ ଦେଶ ଓ ଦେଶ ବାହାରକୁ କପଡ଼ା ରପ୍ତାନି ସାଙ୍ଗକୁ ପ୍ରାୟ ୯ ହଜାର ଶ୍ରମିକ ଓ କର୍ମଚାରୀଙ୍କ ପରିବାରକୁ ଦାନା ଯୋଗାଉଥିଲା, ଆଉ ତାଲା ପଡ଼ିବା ବେଳକୁ ଏହା ଉପରେ ନିର୍ଭର କରି ଚଳୁଥିଲେ ସାଢ଼େ ତିନି ହଜାରରୁ ଅଧିକଙ୍କ ପରିବାର । ବନ୍ଦ ପଡ଼ିବା ଦିନଠୁ ବିଗତ ଦୁଇ ଦଶନ୍ଧି ଧରି ଏସବୁ ପରିବାରର ଭାତପତ୍ରରେ ଧୂଳି ଜମିଗଲାଣି ଯେମିତି । ହେଲେ ସେବେଠୁ ଓଟିଏମ୍ ପୁନରୁଦ୍ଧାର ପାଇଁ ସରକାରଙ୍କ ବହୁ ପ୍ରତିଶ୍ରୁତି ପରେ ଗତକାଲି ହାଇକୋର୍ଟଙ୍କ ରାୟ ବର୍ଷ ବର୍ଷ ଧରି ନିଜ ପ୍ରାପ୍ୟ ପାଇବାରୁ ବଞ୍ଚିତ ଶ୍ରମିକ ପରିବାର ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି । ପୁନରୁଦ୍ଧାର ମାମଲାର ଶୁଣାଣି କରି ଓଟିଏମ୍‌ର ଋଣଦାତା, କର୍ମଚାରୀଙ୍କ ପ୍ରାପ୍ୟ ଓ ଅନ୍ୟାନ୍ୟ ଦେୟ ବାବଦରେ ଅକ୍ଟୋବର ୧୫ ତାରିଖ ସୁଦ୍ଧା ୧୧୫ କୋଟି ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କୁ ଜଣାଇଛନ୍ତି ରାଜ୍ୟ ସରକାର । ତେଣୁ ସରକାରଙ୍କ ଏ ନିଷ୍ପତ୍ତିରେ ପ୍ରାପ୍ୟ ଅପେକ୍ଷାରେ ଥିବା ଶ୍ରମିକ, କର୍ମଚାରୀ ଯେତିକି ଆଶାବାଦୀ, ଓଟିଏମ୍‌କୁ ଘରୋଇ ସଂସ୍ଥାକୁ ବିକ୍ରି ପାଇଁ ଚାଲିଥିବା ଉଦ୍ୟମକୁ ନେଇ ସେତିକି ଆଶଙ୍କିତ ।

ଏପଟେ ଓଟିଏମ୍ ଭଳି ଶିଳ୍ପସଂସ୍ଥା ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଛନ୍ତି ବିରୋଧୀ । ଅଭିଯୋଗ କରିଛନ୍ତି, ସରକାର ଚାଲୁଥିବା ଶିଳ୍ପ ସଂସ୍ଥାକୁ ଚଳେଇ ପାରୁ ନଥିଲା ବେଳେ ବିଦେଶରୁ ଶିଳ୍ପପତି ଆଣିବା ନାଁରେ ଭୂଆଁ ବୁଲୋଉଛନ୍ତି । ତେବେ ବିଜେଡି କହିଛି ଓଟିଏମ୍‌କୁ ରାଜ୍ୟ ସରକାର ହାତକୁ ନେବା ପାଇଁ ୧୫୦ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୩୫ କୋଟି ଟଙ୍କା ଦିଆଯାଇଛି ଏବଂ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଉ ୧୧୫ କୋଟି ଟଙ୍କା ଜମା କରାଯିବ ।

ଟିଏମ୍ ସ୍ଥାନରେ ଏକ ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ ସରକାରଙ୍କ ପ୍ରସ୍ତାବ ଥିବା ନେଇ ପୂର୍ବରୁ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର । ତେବେ ମାସକ ଭିତରେ ୧୧୫ କୋଟି ଟଙ୍କା ଦାଖଲ ପରେ ଅକ୍ଟୋବର ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।