OAS Result: ତେଜସ୍ୱିନୀ ଥରକେ ଟପ୍ପର, ଶୁଭଙ୍କରୀ ଦ୍ୱିତୀୟ ଥରରେ ରାଙ୍କ ୨

ଲିଷ୍ଟରେ ନାଁ ରହିବ ବୋଲି ସେ ନିଶ୍ଚିତ ଥିଲେ । ଆର୍ଥାତ୍‌ OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା ।

OAS Topper, Tejaswini Behera

ପ୍ରକାଶ ପାଇଲା ୨୦୨୦ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ । ମୋଟ ୩୯୨ ପରୀକ୍ଷାର୍ଥୀ ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ଅଛନ୍ତି । ପ୍ରଥମ ତିନି ସ୍ଥାନରେ ମହିଳା ରହିଥିବା ବେଳେ, ପ୍ରଥମ ୧୦ଟି ରାଙ୍କ ମଧ୍ୟରେ ଝିଅ ୭, ପୁଅ ୩ ଜଣ ରହିଛନ୍ତି ।

ତେବେ ଏହି ପରୀକ୍ଷାରେ ରାଙ୍କ ୱାନ୍‌ ବା ଟପ୍ପର ହୋଇଛନ୍ତି ତେଜସ୍ୱିନୀ ବେହେରା । ତେବେ ତେଜସ୍ୱିନୀ ଟପ୍ପର ହେବା ପରେ ଓଟିଭିକୁ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏହା ତାଙ୍କର ପ୍ରଥମ ଆଟେମ୍ପଟ୍‌ ଥିଲା । ଆଉ ପ୍ରଥମ ଥରରେ ହିଁ ସେ ଟପ୍ପର ହୋଇଛନ୍ତି । ଏଥିପାଇଁ ସେ ଖୁବ୍‌ ଖୁସି ଥିବା କହିଛନ୍ତି ।ତେବେ ରାଙ୍କ ୱାନ୍‌ ପାଇବେ ବୋଲି ସେ କେବେ ବି ଭାବି ନଥିଲେ । କିନ୍ତୁ ଲିଷ୍ଟରେ ନାଁ ରହିବ ବୋଲି ସେ ନିଶ୍ଚିତ ଥିଲେ । ଆର୍ଥାତ୍‌ OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା ।

ତେଜସ୍ୱିନୀଙ୍କ କହିବାନୁଯାୟୀ ଅର୍ଥନୀତି ଏବଂ ଗୃହ ବିଜ୍ଞାନ ବିଷୟ ସେ ଅପ୍ସନାଲ ରଖିଥିଲେ । JNUରେ ଅର୍ଥନୀତିରେ ପିଜି କରିବା ଦିନରୁ ଓଏଏସ୍‌ ପାଇଁ ପ୍ରସ୍ତୁତି ଚଳାଇଥିଲେ । ପ୍ରସ୍ତୁତି କରିବା ପାଇଁ JNU ଭଲ ପରିବେଶ ଦେଇଥିଲା । ଭାଇଭା ପରୀକ୍ଷା ମାତ୍ର ୧୫ ମିନିଟ ହୋଇଥିବାରୁ ମନରେ ଟିକେ ଆଶଙ୍କା ଥିଲା ବୋଲି କହିଛନ୍ତି ତେଜସ୍ୱିନୀ । ଏଥିରେ ଅର୍ଥନୀତି ଓ ରାଜନୀତି ବିଷୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଅଗ୍ନିପଥ ଓ ମାଗଣା ବଣ୍ଟନ ସଂପର୍କରେ ମଧ୍ୟ ତାଙ୍କୁ ଭାଇଭାରେ ପ୍ରଶ୍ନ କରାଯାଇଥିଲା ।

ତେଜସ୍ୱିନୀ ବେହେରା ୧ ନମ୍ବର ରାଙ୍କ ହାସଲ କରିଥିବା ବେଳେ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଶୁଭଙ୍କରୀ ସୁଦେସ୍ନା ଦାସ । ଏହାସହ ତୃତୀୟ ସ୍ଥାନରେ ଅଛନ୍ତି ଅନନ୍ୟା ସୃଷ୍ଟି ଶତପଥୀ । ଦେବବ୍ରତ କର ୪ର୍ଥ ସ୍ଥାନ ପାଇଥିବା ବେଳେ ଦେବବ୍ରତ ମହାରଣାଙ୍କୁ ମିଳିଛି ପଞ୍ଚମ ସ୍ଥାନ । ଅଭିସ୍ମିତା ତିୱାରୀ ଷଷ୍ଠ, ଶୁଭଶ୍ରୀ ରଥ ୭ମ, ଶ୍ରୀତପା ମିଶ୍ର ୮ମ ସ୍ଥାନ ଅଧିକାର କରିଛନ୍ତି । ବିବେକାନନ୍ଦ ଷଡ଼ଙ୍ଗୀ ୯ମ ଓ ତପତି ରାଜଙ୍କୁ ଦଶମ ସ୍ଥାନ ମିଳିଛି ।

ତେବେ ଦୁଇ ନମ୍ବର ରାଙ୍କ ହାସଲ କରିଥିବା ଶୁଭଙ୍କରୀ ନିଜ ବିଷୟରେ ରୋଚକ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି, ’ମୁଁ ଦ୍ୱିତୀୟ ଆଟେମ୍ପ୍ଟରେ ସଫଳ ହୋଇଥିବା ସହ ଦ୍ୱିତୀୟ ରାଙ୍କ ହାସଲ କରିଛି । ୨୦୧୯ରେ ପ୍ରଥମେ OAS ପରୀକ୍ଷା ଦେଇଥିଲି, କିନ୍ତୁ ପ୍ରିଲିମ୍‌ରୁ କଟିଥିଲି । ସେବେ ସିଲାବସ୍ ପରୀକ୍ଷା ବିଷୟରେ ଭଲ ଭାବେ ଜାଣିନଥିଲି । ଦିଗଦର୍ଶନ ଦେବାକୁ ସେତେବେଳ ଭଲ ମେଣ୍ଟର ବି ମିଳିନଥିଲେ । ୨ୟ ଥର ବେଳକୁ କୋଚିଂ ନେଲି, ଜଣେ ଭଲ ମେଣ୍ଟର ବି ମିଳିଲେ । ପ୍ରାଣୀ ଚିକିତ୍ସକ ଭାବେ ଚାକିରି କରୁଥିଲି, ପରୀକ୍ଷା ପାଇଁ ଚାକିରି ଛାଡ଼ିଥିଲି । ଜୁଲୋଜି ଓ ଭେଟେରିନାରୀ ବିଷୟ ମୋର ଅପ୍ସନାଲ ଥିଲା ।’

ସେହିଭଳି ତୃତୀୟ ସ୍ଥାନରେ ଥିବା ଅନନ୍ୟା ସୃଷ୍ଟି ଶତପଥୀ ମଧ୍ୟ ନିଜ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ରେଜଲ୍ଟ ଭଲ ହେବ ବୋଲି ନିଶ୍ଚିତ ଥିଲି । କିନ୍ତୁ ତୃତୀୟ ସ୍ଥାନରେ ରହିବି ବୋଲି ଜାଣିନଥିଲି । ଏହା ମୋର ପ୍ରଥମ ଆଟେମ୍ପ୍‌ଟ ଥିଲା । ସମାଜ ବିଜ୍ଞାନ, ଗୃହ ବିଜ୍ଞାନ ମୋର ଅପ୍ସନାଲ ବିଷୟ ଥିଲା । ବୁର୍ଲାରୁ ଇଂଜିନିୟରିଂ ପରେ ଏବେ ମୁଁ Ph.D କରୁଛି । ସୋସିଆଲ ମିଡିଆଠାରୁ ମୁଁ ଯଥେଷ୍ଟ ଦୂରରେ ରହୁଥିଲି । ଫେସବୁକ୍ ଆକାଉଣ୍ଟ ନଥିଲା ମୋର । ରିଲାକ୍ସ ପାଇଁ ବେଳେବେଳେ ଗଜଲ ଶୁଣୁଥିଲି । ନିଜ ବିଷୟରେ ଏଭଳି କହିଛନ୍ତି ଅନନ୍ୟା ।