• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନେ ବ୍ରହ୍ମପୁର ମହାନଗରରେ ଲୋକଙ୍କ ଲାଇଫ୍ ଲାଇନ୍ ଥିଲା । ଲୋକେ ଦୈନନ୍ଦିନ କାର୍ଯ୍ୟ ପାଇଁ ପ୍ରମୁଖ ପୋଖରୀ ଗୁଡ଼ିକ ଉପରେ ନିର୍ଭରଶୀଳ ଥିଲେ, ମାତ୍ର ଏବେ ଏହି ପୋଖରୀ ଲୋକଙ୍କ କାମରେ ଆସୁନି । ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ଦଳ ଭର୍ତ୍ତି ହୋଇଗଲାଣି ତ କେଉଁଠି ପୋତିହେବାକୁ ବସିଲାଣି । ପୁନରୁଦ୍ଧାର ପାଇଁ କୋଟିକୋଟି ଟଙ୍କା ଆସୁଥିଲେ ବି ଗ୍ରାଉଣ୍ଡରେ ସ୍ଥିତି ବଦଳୁନି ।

ବ୍ରହ୍ମପୁର ସହରର ବେଡ଼ା ବନ୍ଧ, ହରିଡ଼ାଖଣ୍ଡି ଭଳି ବହୁ ପୁରାତନ ପୋଖରୀ ଏବେ ପୋତି ହେବାକୁ ବସିଲାଣି । ଅନାବନା ଘାସ ଏବଂ ଦଳରେ ପରିପୂର୍ଣ୍ଣ ପୋଖରୀ ଅପରିଷ୍କାର ହୋଇ ପଡ଼ିଥିବାରୁ ଏହା ଏବେ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି । ୨୦୧୨ରୁ ବିଏମସି ଏହାର ସଫେଇ କରୁଥିଲେ ବି ସଫା ହୋଇପାରୁନି । ଅନେକ ସ୍ଥାନରେ ଗାର୍ଡ ଓ୍ୱାଲ୍ କାମ ବି ଅଧାରେ ପଡ଼ିଛି ।

କିଛି ସ୍ଥାନରେ ପୋଖରୀରେ ଆବର୍ଜନା ପଡ଼ିବା ଯୋଗୁଁ ମଶାଙ୍କ ପାଦୁର୍ଭାବ ବଢ଼ିଚାଲିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।ସହରରେ ଥିବା ବିଭିନ୍ନ ପୋଖରୀର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୭ରୁ ୨୦୨୧ ମଧ୍ୟରେ ଆସିଛି ପ୍ରାୟ ୧୫ କୋଟି ଟଙ୍କା । ମାତ୍ର ସେହି ଅନୁଯାୟୀ ପୋଖରୀର ପୁନରୁଦ୍ଧାର କରାଯାଇନାହିଁ । ବରଂ ଅର୍ଥର ବାଟମାରଣା ହୋଇଥିବା ସମାଜସେବୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ବ୍ରହ୍ମପୁର ମହାନଗର ପକ୍ଷରୁ ପୋଖରୀ ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ନୂଆ ଯୋଜନା କରାଯାଉଥିବା କହିଛନ୍ତି ବଏମସି କମିଶନର । ରାମଲିଙ୍ଗେଶ୍ୱର ପାର୍କ ଭଳି ବ୍ରହ୍ମପୁର ଗୋସାଇଁ ନୂଆଗାଁ ବେଢ଼ାବନ୍ଧକୁ ୪୫ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ପାର୍କ କରାଯିବା ସହ ହରିଡ଼ାଖଣ୍ଡି ବନ୍ଧ ପାଇଁ ୪ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ ହୋଇଛି । ଶୀଘ୍ର କାମ ଆରମ୍ଭ ହୋଇ ଏହାର ପୁନରୁଦ୍ଧାର କରାଯିବ ବୋଲି ମହାନଗର ନିଗମ କମିଶନର କହିଛନ୍ତି ।

ବ୍ରହ୍ମପୁରରୁ କ୍ୟାମେରାମ୍ୟାନ୍ ପ୍ରଶାନ୍ତ ଓ ଫିନୋଜଙ୍କ ସହ ଜଗନ୍ନାଥ ସାହୁଙ୍କ ରିପୋର୍ଟ