/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640605590.jpg)
Odisha Woman
ରାଜଗାଙ୍ଗପୁର (ବିଶ୍ଵକେତନ ରାୟ) : ଚକ୍ଷୁଦାନ ( Eye Donation ) କରି ଅମର ହୋଇଗଲେ ମାୟାଦେବୀ । ନିଜେ ଆରପାରିକୁ ଚାଲିଗଲେ, ଆଉ ଦୁଇ ଜଣଙ୍କୁ ଦୁନିଆ ଦେଖିବାର ଶକ୍ତି ଦେଇଗଲେ । ଆଜୀବନ ଅଜଣା ଅଶୁଣା ହୋଇ ବଞ୍ଚି ରହିଥିବା ମହିଳା ଜଣକ ମୃତ୍ୟ ପରେ କଲେ ମହାନ୍ କାମ । ପରିବାର ଲୋକଙ୍କ ସହମତି ପରେ ତାଙ୍କ ଆଖିକୁ ଦାନ କରାଯାଇଛି ।
ସୁନ୍ଦରଗଡ ଜିଲ୍ଲା ରାଜଗଙ୍ଗପୁରର ମାୟାଦେବୀ । ଦୁଇ ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଛି । ହେଲେ ବଞ୍ଚିଥିବା ସମୟରେ ସେ ପରିବାର ଲୋକଙ୍କୁ ବାରମ୍ବାର ଗୋଟିଏ କଥା କହୁଥିଲେ । ମରିଗଲା ପରେ ଆଖିକୁ ନଷ୍ଟ ହେବାକୁ ନଦେଇ ଦାନ କରିଦେବ ବୋଲି କହୁଥିଲେ । ଫଳରେ ଆଉ କେହି ସେହି ଆଖିରେ ଦୁନିଆ ଦେଖିବାର ସୁଯୋଗ ପାଇବ ।
ତେବେ ମା’ଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଶେଷ ଇଚ୍ଛା ରଖିବା ପାଇଁ ଲାଗି ପଡ଼ିଥିଲେ । ପରିବାର ଲୋକେ ସ୍ଥାନୀୟ ମାରୱାଡି ମହିଳା ସମିତିକୁ ଖବର ଦେଇଥିଲେ । ମହିଳା ସମିତିର ସଭ୍ୟା ଏବଂ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲର ଚକ୍ଷୁ ବିଭାଗର ସହାୟତାରେ ରମାଦେବୀଙ୍କ ଚକ୍ଷୁ ଗ୍ରହଣ କରାଯାଇଥିଲା । ରାଉରକେଲା ସ୍ଥିତ ଆଇଜିଏଚରୁ ବିଭାଗୀୟ କର୍ମଚାରୀ ଆସି ଏହି କାର୍ଯ୍ୟଟିକୁ ସମ୍ପାଦନ କରିଥିଲେ ।
ମୋ ମାଆଙ୍କ ଆଖିରେ ଆଉ ଦୁଇ ଜଣ ଦୁନିଆ ଦେଖିବେ । ଏଥିପାଇଁ ମୁଁ ବହୁତ ଖୁସି । ଆଉ ଏପରି ପୁଣ୍ୟ କାମ ସମସ୍ତେ କରନ୍ତୁ ବୋଲି କହିଛନ୍ତି ମାୟାଦେବୀଙ୍କ ଝିଅ ସବିତା ଲାଠ ।
ତେବେ ଏହି ଚକ୍ଷୁ ଦାନ ଘଟଣାଟି ରାଜଗାଙ୍ଗପୁର ସହରରେ ପ୍ରଥମ ବୋଲି ଆଲୋଚନା ହେଉଥିବା ବେଳେ ପରିବାର ଲୋକେ ମା’ଙ୍କ ଏହି ମହତ ଦାନ ପାଇଁ ନିଜକୁ ଗର୍ବିତ ମନେ କରୁଛନ୍ତି । ଅନ୍ୟପଟେ ଏହି ମହତ କାମରୁ ଲୋକେ ଅନୁପ୍ରାଣିତ ହେବେ ବୋଲି ମହିଳା ମଞ୍ଚ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)