• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୨ଦିନ ଧରି ୭ଟି ସ୍ଥାନରେ ଚଢଉ ପରେ ଠାବ ହୋଇଥିଲା ବିପୁଳ ପରିମାଣର ସମ୍ପତ୍ତି

  • ୧୦ଟି ପ୍ଲଟ, ୨କୋଟିର ଫିକ୍ସଡ ଡିପୋଜିଟ୍ ସହ ୩୫୦ ଗ୍ରାମର ସୁନା ଗହଣା ଜବତ

ଓଡ଼ିଶା ସରକାରଙ୍କ କୁବେର ଅଧିକାରୀ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର ଗିରଫ । ଦୁର୍ନୀତି ନିବାରଣ ଆଇନ ଆଧାରରେ ବିଶ୍ୱଜିତଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏହାସହ ତାଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ଆଜି ତାଙ୍କୁ ଭୁବନେଶ୍ୱରର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟକୁ ହାଜର କରାଯିବ । ବିଶ୍ୱଜିତଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ବିଶ୍ୱଜିତଙ୍କ ଘର, ଅଫିସ, ସରକାରୀ ବାସଗୃହ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା । ପ୍ରଥମ ଦିନର ଚଢ଼ଉ ବେଳେ ତାଙ୍କର କୋଟି କୋଟି ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ୱର ନହରକଣ୍ଟା ଓ ଖୋର୍ଦ୍ଧା ଜଟଣୀ, ଜଗତସିଂହପୁରରେ ମୋଟ ୧୦ଟି ପ୍ଲଟ ବିଶ୍ୱଜିତଙ୍କ ନାଁରେ ଥିବା ଜଣାପଡ଼ିଥିଲା । ତା ସହିତ ୨ କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂ ଆକାଉଣ୍ଟ ଓ ଇନସ୍ୟୁରାନ୍ସ ଦସ୍ତାବିଜ୍ ଓ ୩୫୦ ଗ୍ରାମର ସୁନା ଗହଣା ମଧ୍ୟ ମିଳିଥିଲା ।

ସେହିପରି ଦ୍ୱିତୀୟ ଦିନରେ ଗତକାଲି ତାଙ୍କର ସୁନ୍ଦରଗଡ଼ ସରକାରୀ ବାସଭବନରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ବେଳେ ଆଉ ୧୨୦ ଗ୍ରାମ ସୁନା ଜବତ ହୋଇଥିଲା । ସେହିପରି ତାଙ୍କ ଭୁବନେଶ୍ୱର ନହରକଣ୍ଟାରେ ସ୍ତ୍ରୀଙ୍କ ନାଁରେ ସିମେଣ୍ଟ ବିଜିନେସ୍ ଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ ୧୯୯୭ରେ OAS ପାଇବା ପରେ ୯୯ ମସିହାରେ ଭୁବନେଶ୍ୱର ସେଟେଲମେଣ୍ଟ ଅଫିସରେ ଚାକିରି ଆରମ୍ଭ କରିଥିଲେ ବିଶ୍ୱଜିତ ମହାପାତ୍ର । ପରେ ପରେ ବିଭିନ୍ନ ସ୍ଥାନରେ ସେଟେଲମେଣ୍ଟ ଅଫିସର, ଅତିରିକ୍ତ ତହସିଲଦାର, ତହସିଲଦାର ଓ ବିଡିଓ ହୋଇଥିଲେ । ଲାଠିକଟା ବିଡିଓ ଥିବାବେଳେ ପାଇଖାନା ଦୁର୍ନୀତି ଓ ବରଗଡ଼ ଉପଜିଲ୍ଲାପାଳ ଥିବାବେଳେ ଧାନକିଣା ଦୁର୍ନୀତିରେ ଯୋଡ଼ି ହୋଇଥିଲା ବିଶ୍ୱଜିତଙ୍କ ନାଁ । ଅବଶ୍ୟ ଭିଜିଲାନ୍ସ ଖୋଳତାଡ଼ ଭିତରେ ଠୋସ୍ ପ୍ରମାଣ ନମିଳିବାରୁ କେସକୁ ବନ୍ଦ କରି ଦିଆଗଲା ।

ପାନପୋଷ PA ITDAର ଅତିରିକ୍ତ ଦାୟିତ୍ୱରେ ଥିବାବେଳେ ବି ଦୁର୍ନୀତି ଅଭିଯୋଗ ଉଠିଥିଲା । ଏହାରି ଭିତରେ ପୁଣି ପଦୋନ୍ନତି ପାଇ ୨୦୨୦ ସେପ୍ଟେମ୍ବର ୯ରେ ବିଶ୍ୱଜିତ ହୋଇଥିଲେ ସୁନ୍ଦରଗଡ଼ ଏଡିଏମ୍ । ଏମସିଏଲ୍ କୋଇଲା ଖଣିରେ ବିସ୍ଥାପିତଙ୍କୁ କ୍ଷତିପୂରଣ ପାଇଁ ଲାଞ୍ଚ କାରବାରରେ ପୁଣି ଚର୍ଚ୍ଚାକୁ ଆସିଥିଲା ତାଙ୍କ ନାଁ । ଭାସ୍କର ବଢ଼େଇ ନାମକ ଜଣେ କ୍ଷତିଗ୍ରସ୍ତଙ୍କୁ ତତ୍କାଳୀନ ଆରଆଇ ଏଡିଏମ୍ ବିଶ୍ୱଜିତଙ୍କ ନାଁ ଧରି ଲାଞ୍ଚ ମାଗିଥିବାର ଅଡ଼ିଓ ଭାଇରାଲ୍ ହୋଇଥିଲା । ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ଏଭଳି ଦୁର୍ନୀତିର ଲମ୍ବା ତାଲିକା ଭିତରେ ବିଶ୍ୱଜିତ ଚାକିରିରୁ ଅବସର ନେବା ପାଇଁ ଥିଲା ଆଉ ମାତ୍ର ୧୬ ଦିନ । ତାପୂର୍ବରୁ କିନ୍ତୁ ଖେଳ ଖତମ କରିଦେଲା ଭିଜିଲାନ୍ସ ।