ଟ୍ରେନ ଟ୍ରାଜେଡିକୁ ପୂରିଲା ୧୦ ଦିନ; ସମୂହ ଦଶାହ ପାଳିଲେ ବାହାନଗାବାସୀ

ଆଜିର ସାମୂହିକ ଦଶାହ ପାଳନ ପରେ ଆସନ୍ତାକାଲି ଏକାଦଶାହରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ ଆଦି କାର୍ଯ୍ୟକ୍ରମ ରହିଛି ।

Odisha Train Accident

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୂରିଛି ୧୦ ଦିନ । ସଂପର୍କୀୟଙ୍କ ମୃତଦେହ ଚିହ୍ନଟ କରି ଘରକୁ ନେଇଯାଇଥିବା ଅନେକ ଶୋକସନ୍ତପ୍ତ ପରିବାର ଆଜି ଘରେ ପାଳୁଥିବେ ଦଶାହ । ହେଲେ ଯେଉଁ ମୃତଦେହ ଗୁଡ଼ିକ ଏବେବି ଶବଗୃହରେ ପଡ଼ିରହିଛନ୍ତି ନିଜ ସଂପର୍କୀୟଙ୍କ ଅପେକ୍ଷାରେ, ସେମାନଙ୍କର ଦଶାହ କରିବ କିଏ । ସେଇ କଥା ଭାବି ଆଜି ବାହାନଗା ପାଳିଛି ସାମୂହିକ ଦଶାହ ଓ ମୁଣ୍ଡନ କାର୍ଯ୍ୟକ୍ରମ । ରେଳ ଦୁର୍ଘଟଣାରେ ଦିବଙ୍ଗତ ଯାତ୍ରୀଙ୍କ ଆତ୍ମାର ଶାନ୍ତି ଓ ସଦଗତି ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଆୟୋଜନ କରାଯାଇଛି ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ।

ଦଶ ଦିନ ତଳେ ଦୁର୍ଘଟଣାସ୍ଥଳରେ ଅସଂଖ୍ୟ ଦୁର୍ଗତଙ୍କ ଲାଗି ସାଜିଥିଲେ ଦେବଦୂତ । ଆଉ ଆଜି ପୋଖରୀ ତୁଠରେ ଦିବଂଗତ ଯାତ୍ରୀଙ୍କ ଲାଗି ସାଜିଛନ୍ତି ଆତ୍ମୀୟ ସ୍ୱଜନ । ରକ୍ତର ସଂପର୍କ ନଥାଇ ବି, ଅଜଣା ଅଚିହ୍ନା ମୃତକଙ୍କ ଆତ୍ମାର ସଦଗତି ଲାଗି କରିଛନ୍ତି ଦଶାହ କ୍ରିୟାକର୍ମ । ବାହାନଗା ବାସୀଙ୍କ ମହାନତାର ଆଉ ଏକ ନିଆରା ନଜିର୍ ଆଜି ଦେଖିବାକୁ ମିଳିଛି ।

ଯେଉଁ ବାହାନଗା ହାଇସ୍କୁଲରେ ମୃତଦେହଗୁଡ଼ିକ ରଖାଯାଇଥିଲା, ସେଇ ସ୍କୁଲ ପଛପଟ ପୋଖରୀ ତୁଠରେ ହୋଇଛି ସାମୁହିକ ମୁଣ୍ଡନ । ପ୍ରାୟ ୨୫-୩୦ ଜଣ ଲୋକ, ଯେଉଁମାନେ ସେଦିନ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଥିଲେ, ସେମାନେ ଲଣ୍ଡା ହେବା ସହିତ ନିଶ-ଦାଢ଼ି ଖିଅର ହୋଇ ପୋଖରୀରେ ବୁଡ଼ ପକାଉଛନ୍ତି ରୀତିନୀତି ଅନୁସାରେ । ଏହାପରେ ନୂଆ ଲୁଗା ପିନ୍ଧି ସାମିଲ ହୋଇଛନ୍ତି ଦଶାହ ଭୋଜିରେ ।

ଆଜିର ସାମୂହିକ ଦଶାହ ପାଳନ ପରେ ଆସନ୍ତାକାଲି ଏକାଦଶାହରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ ଆଦି କାର୍ଯ୍ୟକ୍ରମ ରହିଛି । ଏଥିସହ ସବୁ ଧର୍ମର ମୃତକଙ୍କ ଆତ୍ମାର ସଦଗତି ପାଇଁ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ଶ୍ରଦ୍ଧାଞ୍ଜଳି । ମଙ୍ଗଳବାର ଦ୍ୱାଦଶାହ ଦିନ ରିତମ୍ଭରା ଅନ୍ତର୍ଜାତୀୟ ସଂଘ ତରଫରୁ ୫ ହଜାର ୮ ଦୀପଦାନ ଓ ଅମୃତଧାରା ସତସଙ୍ଗ ସମାରୋହ କରାଯିବ । ବାହାନଗା, ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ଏଥିପାଇଁ ମିଳିତ ଆୟୋଜନ କରାଯାଇଛି ।

ଦାବିଦାର ନଥିବା ମୃତକଙ୍କ ପାଇଁ ବାହାନଗାରେ କ୍ରିୟାକର୍ମ ଚାଲିଥିବା ବେଳେ, ଏଣେ ଭୁବନେଶ୍ୱରରେ ନିଜ ପ୍ରିୟଜନଙ୍କୁ ଏବେବି ଖୋଜି ବୁଲୁଛନ୍ତି ଅନେକ ମ୍ରିୟମାଣ ସଂପର୍କୀୟ । କିଏ ନିଜ ଏକମାତ୍ର ପୁଅକୁ ଖୋଜୁଛି, ତ ଆଉ କିଏ ଜାଣିନି ତାର ଦୁଇ ଦୁଇଟି ପୁଅ ଏବେ ଜୀବିତ ନା ମୃତ। ଏମାନେ ବିହାରରୁ ଆସି ଭୁବନେଶ୍ୱର ଏମ୍ସ ପରିସରରେ ଦିନ ଦିନ ଧରି ଡେରା ପକାଇଥିବା କିଛି ସେମିତି ହତଭାଗା ବାପାମାନେ । ଜଣେ କହିଛନ୍ତି ମୁଁ ଟିଭିରେ ଦେଖିଥିଲି ଯେ ମୋ ପୁଅ ବଞ୍ଚିଥିଲା, ତାକୁ ଲୋକେ ପାଣି ପିଆଉଥିଲେ । ହେଲେ ଏବେ ତାର ପତ୍ତା ମିଳୁନି ।

ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ, ସୋରରୁ ନିରଞ୍ଜନ ବେହେରା ଓ ବାହାନଗାରୁ କ୍ୟାମେରାପର୍ସନ ଅବିନାଶଙ୍କ ସହ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ, ଓଟିଭି।...