• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଡ଼ିରେ ଫଳିଛି ପେନ୍ଥା ପେନ୍ଥା ଆମ୍ବ । ଦେଖିଲେ ଯେକେହି ବି ଲୋଭେଇ ଯିବ । ଆମ୍ବର ଦାମ୍‌ ଏତେ ଅଧିକ ଯେ ଶୁଣିଲେ ହୋସ୍‌ ଉଡିଯିବ । କାରଣ ଶହେ କି ହଜାର ନୁହେଁ ବରଂ ଆମ୍ବ କିଲୋର ଦାମ୍‌ ରହିଛି ୨ ଲକ୍ଷ ଟଙ୍କାରୁ ଅଧିକ । ଜୁନାଗଡ ବ୍ଲକ କାନ୍ଦୁଲଗୁଡାର ଜଣେ ଶିକ୍ଷକ ନିଜବାଡିରେ ମିଆକାଜି ଆମ୍ବ ଫଳାଇ ଚର୍ଚ୍ଚାରେ ଥିବାବେଳେ ଏହାକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ତାଙ୍କ ବାଡିରେ ନାହିଁନଥିବା ଭିଡ ।

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କାନ୍ଦୁଲଗୁଡା ଗାଁର ପ୍ରାଥମିକ ଶିକ୍ଷକ ରକ୍ଷାକର ଭୋଇ । ତାଙ୍କ ବାଡିରେ ଏକ ଜାପାନୀ ପ୍ରଜାତିର ମିଆକାଜି ଆମ୍ବ ଫଳାଇ ସେ ଚର୍ଚ୍ଚାକୁ ଆସିଛନ୍ତି । ଅନ୍ତରାଷ୍ଟ୍ରିୟ ବଜାରରେ ଏହି ଆମ୍ବର ମୂଲ୍ୟ ୨.୫ ଲକ୍ଷରୁ ଅଧିକ ବୋଲି ଜଣାପଡ଼ିଛି । ଅନେକ ଔଷଧୀୟ ଗୁଣ ଥିବା ଏହି ଜାପାନୀ ପ୍ରଜାତିର ମିଆକାଜି ଆମ୍ବର ମୂଲ୍ୟ ଲକ୍ଷାଧିକ ଟଙ୍କା ଥିବା ପ୍ରଚାର ହେବାପରେ ଏବେ ତାଙ୍କ ବାଡିରେ ଭିଡ ।

ଏହାକୁ ଦେଖିବା ସହ ଏହି ଆମ୍ବ ବିଷୟରେ ଜାଣିବା ପାଇଁ ଏବେ ସ୍ଥାନୀୟ ଲୋକଠୁ ଆରମ୍ଭ କରି ଜିଲ୍ଲାର ଅନେକ ଇଚ୍ଛୁକ ଚାଷୀ ତାଙ୍କ ବାଡିରେ ଭିଡ ଜମାଇଛନ୍ତି । ହାଇଦ୍ରାବାଦରୁ ସେ ୧୨ବର୍ଷ ତଳେ ଏହି ଗଛ ଆଣି ନିଜ ବାଡ଼ିରେ ଲଗେଇଥିଲେ । କିଛିବର୍ଷ ହେବ ଏହା ଫଳୁଥିଲା, ହେଲେ ଚଳିତବର୍ଷ ସେ ଏହି ଆମ୍ବର ଗୁଣବତା ଉପରେ ଜାଣିପାରିଥିଲେ । ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ ଶୁଭାଦିନି ତାଙ୍କୁ ସାହାଯ୍ୟ କରିଥାନ୍ତି ।

ପ୍ରକୃତିପ୍ରେମୀ ରକ୍ଷାକର ନିଜ ଘର ବାଡିରେ ୨୦୦ ରୁ ଅଧିକ ପ୍ରଜାତିର ଆମ୍ବ ତଥା ଔଷଧ ବୃକ୍ଷ ରୋପଣ କରିଛନ୍ତି । ସେ ଗଛ ଲଗାଇ ଭଲ ଦୁଇପଇସା ରୋଜଗାର କରିବା ସହ ପ୍ରକୃତିର ସନ୍ତୁଳନ ରକ୍ଷା କରିବା ଉପରେ ବିଭିନ୍ନ ସମୟରେ ବାର୍ତ୍ତା ଦେଇଥାନ୍ତି । ଗତ ୨୦ବର୍ଷ ହେବ ନିରବଛିନ୍ନ ଭାବରେ ସେ ଏହି କାର୍ଯ୍ୟ କରି ଆସୁଥିବା ବେଳେ ଏବେ ଜାପାନୀ ପ୍ରଜାତିର ମିଆକାଜି ଆମ୍ବ ଫଳାଇଥିବାରୁ ଶିକ୍ଷକ ରକ୍ଷାକର ଜିଲ୍ଲାର ଜଣେ ଚର୍ଚ୍ଚିତ ଚାଷୀ ପାଲଟିଯାଇଛନ୍ତି ।

  • Reported by:
  • Ingeet Panda