Palm Leaf Manuscripts
ରାଜ୍ୟ ସଂଗ୍ରହାଳୟରୁ କୁଆଡେ ଗଲା ୨୦ ହଜାର ପୋଥି ? ଚୋରି ହୋଇଯାଉଛି କି ବହୁ ଦୁର୍ମୂଲ୍ୟ ଓ ଦୁର୍ଲଭ ତାଳପତ୍ର ପୋଥି? ୨୦୧୪ରେ ରାଜ୍ୟ ସଂଗ୍ରହାଳୟର ୱେବସାଇଟରେ ଦିଆଯାଇଥିବା ତଥ୍ୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ସଂଗ୍ରହାଳୟରେ ପ୍ରାୟ ୪୦ ହଜାର ପୋଥି ସଂରକ୍ଷିତ ରହିଛି ।
ତେବେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଭିନ୍ନ କଥା କହୁଛି । ଏଥିରେ କୁହାଯାଇଛି ଯେ, ରାଜ୍ୟ ସଂଗ୍ରହାଳୟରେ ଶେଷ ଥର ପାଇଁ ୨୦୧୬-୧୭ରେ ଅଡିଟ୍ ହୋଇଥିଲା । ସଂଗ୍ରହାଳୟରେ ପ୍ରାୟ ୨୦ ହଜାର ତାଳପତ୍ର ପୋଥି ଓ ୫୦ ହଜାର କଳାକୃତି ଗଚ୍ଛିତ ରହିଛି । ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବଳକା ୨୦ ହଜାର ତାଳପତ୍ର ପୋଥି?
୨୦୦୩ରେ ସାରା ଦେଶରେ ଜାତୀୟ ପୋଥି ମିଶନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଓଡ଼ିଶା ରେ ୨୦୧୪ରେ ଉଦ୍ଘାଟିତ ହୋଇଥିଲା ଇ-ପୋଥି କାର୍ଯ୍ୟକ୍ରମ । ସେତେବେଳେ କୁହାଗଲା,ସାରା ବିଶ୍ୱରେ ଭୁବନେଶ୍ୱର ରେ ଅବସ୍ଥାପିତ ରାଜ୍ୟ ସଂଗ୍ରହାଳୟରେ ସର୍ବାଧିକ ତାଳପତ୍ର ପୋଥି ରହିଛି । ୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ତଥା ଜାତୀୟ ପୋଥି ମିଶନର ପ୍ରଥମ ପ୍ରକଳ୍ପ ସଂଯୋଜକ ଥିଲେ ଡର ଚନ୍ଦ୍ରଭାନୁ ପଟେଲ ।
ରାଜ୍ୟ ସଂଗ୍ରହାଳୟରୁ ପ୍ରକାଶ ପାଉଥିବା ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ଣ୍ଣାଲରେ ମଧ୍ୟ ସଂଗ୍ରହାଳୟର ରେକର୍ଡ ମୁତାବକ ୩୭ ହଜାର ୨୭୩ଟି ତାଳପତ୍ର ପୋଥି ରହିଥିବା ଉଲ୍ଲେଖ ରହିଛି । ପୋଥି ସଂଖ୍ୟାକୁ ନେଇ ୱେବସାଇଟ୍ ଓ ଜର୍ଣ୍ଣାଲରେ ଗୋଟିଏ ତଥ୍ୟ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା କମିଗଲା କିପରି?
ରାଜ୍ୟ ସଂଗ୍ରହାଳୟରେ ତାଳପତ୍ର ପୋଥି ସଂଖ୍ୟା କମିବା ନେଇ ଓଟିଭି ପକ୍ଷରୁ ସଂସ୍କୃତି ନିର୍ଦ୍ଦେଶକ ରଂଜନ ଦାସ ଓ ସଂଗ୍ରହାଳୟର ଅଧୀକ୍ଷକ ଡର ଭାଗ୍ୟଲିପି ମଲ୍ଲଙ୍କ ସାକ୍ଷାତ କରାଯାଇଥିଲା । ଅଧୀକ୍ଷକ ମଲ୍ଲ କହିଥିଲେ, ଗୋଟିଏ ଗୋଟିଏ ବଣ୍ଡଲରେ ଏକାଧିକ କାବ୍ୟକବିତା ରହିଛି । ତେଣୁ ସଂଖ୍ୟାରେ ଏତେ ପ୍ରଭେଦ ଦେଖାଦେଉଛି । ତେବେ ଏନେଇ କ୍ୟାମେରା ଆଗରେ ଉଭୟ କୌଣସି ପ୍ରତିକ୍ରିୟା ଦେଇନଥିଲେ ।
(ରିପୋର୍ଟର- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669910744.jpg)