• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଉଡ଼ିଗଲେ ଗେଣ୍ଡାଳିଆ ଛାଡ଼ିଦେଲେ ପର । ୯୦ ଦଶକର ଏହି ଗୀତକୁ ଆପଣ ଶୁଣିଥିବେ ନିଶ୍ଚୟ । ଆକାଶର କଳାହାଣ୍ଡିଆ ମେଘ ତଳେ ଯେତେବେଳେ ଏହି ପକ୍ଷୀମାନେ ଡେଣା ମେଲାଇ ଉଡ଼ନ୍ତି, ଆକାଶର ସେ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରେ । ଲୋକକଥା ଅନୁସାରେ, ଗେଣ୍ଡାଳିଆ ଦଳ ଦଳ ହୋଇ ଆସିଲେ ସେହି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥାଏ । ଗେଣ୍ଡାଳିଆଙ୍କ ଆଗମନରେ ସବୁଠାରୁ ବେଶୀ ଉତ୍‌ଫୁଲିତ ହୋଇଥାନ୍ତି ଚାଷୀ । କାରଣ ଏହି ପକ୍ଷୀମାନେ ଚାଷୀଭାଇଙ୍କ ପାଇଁ ଆଣନ୍ତି ଶୁଭ ସମାଚାର । ବଡ଼ ବଡ଼ ଗଛରେ ବସା ବାନ୍ଧି ରହିବା ସହ ବଂଶବିସ୍ତାର କରିଥାନ୍ତି । ଅଣ୍ଡାରୁ ଛୁଆ ଫୁଟିବା ପରେ ପୁଣି ଫେରିଯାଆନ୍ତି ନିଜ ଦେଶକୁ ।

ଯାଜପୁର ବ୍ୟାସନଗର ପୌରାଞ୍ଚଳସ୍ଥିତ ସପଗଡ଼ିଆ ଅଞ୍ଚଳରେ ଏବେ ମେଂଚା ମେଂଚା ଦେଖିବାକୁ ମିଳିଛନ୍ତି ଗେଣ୍ଡାଳିଆ l ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀ ସେଠାରେ ବସା ବାନ୍ଧି ରହିଛନ୍ତି l ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଗାଁ ପାଲଟିଛି ଗେଣ୍ଡାଳିଆଙ୍କ ପସନ୍ଦର ସ୍ଥାନ । ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ । ବସା ବାନ୍ଧି ରହିଛନ୍ତି ହଜାର ହଜାର ଗେଣ୍ଡାଳିଆ । ଗାଁ ଲୋକେ କହିଛନ୍ତି ରଜ ଆଗରୁ ଆସନ୍ତି ଦୀପାବଳୀ ବେଳକୁ ଚାଲିଯାନ୍ତି ।

ପ୍ରତିବର୍ଷ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ଵ ପକ୍ଷୀ ଏଠାକୁ ଆସନ୍ତି । ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିବାକୁ ଗ୍ରାମବାସୀ ପାଳି କରି ଜଗି ରହୁଛନ୍ତି l ତଳେ ପଡି ଅନେକ ଅଣ୍ଡା ନଷ୍ଟ ହେଉଥିବାରୁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଗଲେ ସୁରକ୍ଷିତ ରହି ପାରନ୍ତା କହିଛନ୍ତି ଗ୍ରାମବାସୀ l ସେପଟେ ଯାଜପୁର ରୋଡ଼ ଡେପୁଟି ରେଞ୍ଜର କହିଛନ୍ତି, ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ l ତଥାପି ପକ୍ଷୀଙ୍କ ଅବସ୍ଥାନ ଉପରେ ନଜର ରଖିଛୁ ଏବଂ ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି l

ଧୀରେ ଧୀରେ ଗେଣ୍ଡାଳିଆଙ୍କ ବଂଶ ବିଲୁପ୍ତ ହେବାକୁ ଯାଉଥିବାବେଳେ ବ୍ୟାସନଗର ଅଞ୍ଚଳରେ ଏହି ପକ୍ଷୀମାନଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।

  • Reported by:
  • JANMEJAY DASH