କାଲିଠୁ ପଞ୍ଚାୟତ ଭୋଟ୍ ଗଣତି: ପ୍ରାର୍ଥୀଙ୍କ ଛାତି ଧକ୍‌ ଧକ୍‌

ଭୋଟର କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି କାଲି ଭୋଟ ବାକ୍ସ ଖୋଲିବା ପରେ ସ୍ପଷ୍ଟ ହେବ।

Election Result

ଧକ୍ ଧକ୍ କରୁଛି ପ୍ରାର୍ଥୀଙ୍କ ଛାତି। କାହିଁକି ନା ରାତି ପାହିଲେ ପଞ୍ଚାୟତ ଭୋଟ ଗଣତି। ଆସନ୍ତାକାଲିଠାରୁ ୩ଦିନ ଧରି ଚାଲିବ ଗଣତି। ସବୁ ରେଜଲ୍ଟ ନଆସିବା ଯାଏଁ ତାଲିବ ନନଷ୍ଟପ୍ କାଉଣ୍ଟିଂ। ୧ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡମେମ୍ବର, ୩୨ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ମୟୁରଭଞ୍ଜରୁ ମାଲକାନଗିରି, କଟକରୁ କଳାହାଣ୍ଡି ସବୁ ଜିଲ୍ଲା ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲାଯାଇଥିବା ବେଳେ ଏଠାରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବ୍ୟାରିକେଡ୍ ନିର୍ମାଣ ସହ ସିସିଟିଭି ଲଗାଯାଇଛି।

ସକାଳ ୮ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତାକାଲି ୩୧୫, ୨୭ରେ ୩୦୭ ଓ ୨୮ ତଥା ଶେଷ ଦିନରେ ୨୨୯  ଜିଲ୍ଲା ପରିଷଦ ଓ ଏହା ଅନ୍ତର୍ଗତ ପଞ୍ଚାୟତରେ ଗଣତି କରାଯିବ। ଗୋଟିଏ ପଞ୍ଚାୟତ ଲାଗି ଗୋଟିଏ ଟେବୁଲ୍ ରହିବ।  ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପଭାଇଜର୍, ଦୁଇ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ରହିବେ। ଗଣତିର ୧୫ ମିନିଟ୍ ପୂର୍ବରୁ ଭୋଟବାକ୍ସ କାଉଣ୍ଟିଂ ଟେବୁଲ୍‌କୁ ଅଣାଯିବ। ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଗଣତି ହେବ। ଇଲେକସନ୍ ଅଫିସ୍‌ର ଓ ଟାବୁଲେସନ୍ ଲାଗି ସ୍ୱତନ୍ତ୍ର ଟେବୁଲ୍ ରହିବ। ଓ୍ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦର  ବାଲଟ୍ ପେପରକୁ ରଙ୍ଗ ଅନୁସାରେ ପୃଥକ କରାଯିବା ପରେ କାଉଣ୍ଟିଂ ଆରମ୍ଭ ହେବ। 

ବାଲଟ୍ ପେପର ଖାଲି ଥିଲେ, ଏକାଧୀକ ପ୍ରାର୍ଥୀଙ୍କ ଲାଗି ମତଦାନ ହୋଇଥିଲେ, କେଉଁ ଚିହ୍ନରେ ମୋହର ଦେଇଛନ୍ତି ତାହା ସ୍ପଷ୍ଟ ଜଣାପଡୁନଥିଲେ, ବାଲାଟ ପେପର ଫାଟି ଯାଇଥିଲେ ଭୋଟ୍‌କୁ  ଅବୈଧ ଘୋଷଣା କରାଯିବ। ପ୍ରଥମ ଥର ପାଇଁ ବ୍ଲକରେ କାଉଣ୍ଟିଂ ହେଉଥିବାରୁ ପ୍ରାର୍ଥୀ ସମର୍ଥକଙ୍କ ଭିଡ ଅଧିକ ହୋଇପାରେ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଏଣେ ଗଣତି ପୂର୍ବରୁ କିଛି ସ୍ଥାନରୁ ଆସିଛି ଅନିୟମିତତା ଅଭିଯୋଗ। କେନ୍ଦ୍ରାପଡା କଲେଜ ଷ୍ଟ୍ରଙ୍ଗରୁମ୍ ଆଗରେ ବାଲାଟ୍ ପେପର ଚିରା ହୋଇପଡିଥିବା ଦେଖି ଉତ୍ତେଜନା ପ୍ରକାଶ ପାଇଥିଲା। ବିଡିଓ ଓ ଉପଜିଲ୍ଲାପାଳ ତଦନ୍ତ କରିବା ପରେ ଏହା ଡମି ବାଲଟ୍ ବୋଲି ଜଣାପଡିଥିଲା। ଗଜପତି ପିଡି ଡିଏଆରଡିଏ ଅନାମ ଚନ୍ଦ୍ର ପାତ୍ର ବାଲଟ୍ ବକ୍ସ ଥିବା ମୋହନା ବ୍ଲକ ଷ୍ଟ୍ରଙ୍ଗରୁମ୍‌କୁ ଯିବାକୁ ନେଇ ଆପତ୍ତି ଉଠିଥିଲା। ଫଳରେ ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି।

ତେବେ ଭୋଟ ସରିଲା ପରେ ଫର୍ମ ୧୧ରେ କେତେ ମତଦାନ ହୋଇଛି ତଥ୍ୟ ରହିବା କଥା କିନ୍ତୁ କିଛି ସ୍ଥାନରେ ଏଥିରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ଉଠିଛି। ଶାସକ ଦଳକୁ ବିଜୟୀ କରିବା ପାଇଁ ଏହା ଗଳାବାଟ ବୋଲି ବିଜେପି କହିବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛି।

ସେହିପରି ଭୋଟ ବାକ୍ସରେ ଯେତେ ବାଲଟ ଥିବା ତାକୁ ଗଣାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ଚିଠିକୁ ନେଇ ବି ପ୍ରଶ୍ନ ଉଠାଇଛି ବିଜେପି। ଏହାର ପ୍ରତିବାଦରେ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ୍ ଆଗରେ ଧାରଣ ଦେବା ସହ କମିଶନରଙ୍କୁ ଭେଟିଛି ଦଳ। ସେପଟେ ବିଜେପି ଅଭିଯୋଗ ଉପରେ ଜବାବ୍ ରଖିଛି ବିଜେଡି। ଭୋଟର କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି କାଲି ଭୋଟ ବାକ୍ସ ଖୋଲିବା ପରେ ସ୍ପଷ୍ଟ ହେବ।