Advertisment

କଏଦୀ ଯାଉଛି କୁଆଡ଼େ, କରୁଛି କଣ ? ଏଣିକି ଗୋଡ଼ରେ ଲାଗିବ ଜିପିଏସ୍ ଟ୍ରାକିଂ

୭ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ପାଇବାକୁ ଥିବା ବିଚାରାଧୀନ ବନ୍ଦୀଙ୍କୁ କାରାଗାରରୁ ଛାଡ଼ ପାଇଁ ଜେଲ୍ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଛି କଏଦୀଙ୍କ ଗୋଡ଼ରେ GPS ଟ୍ରାକିଂ ଲାଗୁ ପ୍ରସ୍ତାବ ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Prisoners

କଏଦୀ ରାଜି ହେଲେ ଗୋଡ଼ରେ ଲାଗିବ GPS ଟ୍ରାକିଂ । ଜେଲ୍‌ରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ଚାପରୁ ମୁକ୍ତି ପାଇବା ହେଉ ବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ପାଳନ । ୭ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ପାଇବାକୁ ଥିବା ବିଚାରାଧୀନ ବନ୍ଦୀଙ୍କୁ କାରାଗାରରୁ ଛାଡ଼ ପାଇଁ ଜେଲ୍ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଛି କଏଦୀଙ୍କ ଗୋଡ଼ରେ GPS ଟ୍ରାକିଂ ଲାଗୁ ପ୍ରସ୍ତାବ । କେତେ ମିଳିବ ଫାଇଦା, ତାକୁ ବିଭାଗୀୟ ଡିଜି ବିସ୍ତୃତ ଭାବେ ବୁଝାଇଥିବାବେଳେ ମାନବାଧିକାର କର୍ମୀ କିନ୍ତୁ ବ୍ୟବସ୍ଥାକୁ ଗ୍ରହଣ କରିପାରୁ ନାହାନ୍ତି ।

Advertisment

ବିଚାରାଧୀନ ବନ୍ଦୀଙ୍କ ଗୋଡ଼ରେ ଲାଗିବ GPS ଟ୍ରାକର୍‌ । କୁଆଡ଼େ ଯାଉଛି, କଣ କରୁଛି ? ରହିବ ପୋଲିସର ଅହରହ ନଜର । କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ପ୍ରାୟ ୭ ବର୍ଷରୁ କମ୍ ଜେଲ୍ ଦେଣ୍ଡାଦେଶ ଭୋଗିବାକୁ ବିଚାରାଧୀନ ବନ୍ଦୀଙ୍କ କ୍ଷେତ୍ରରେ ଏହାକୁ ଲାଗୁ ପାଇଁ ପ୍ଲାନ୍ କରିଛି ଜେଲ୍ ବିଭାଗ। ରାଜ୍ୟର ବିଭିନ୍ନ କାରାଗାରରେ କଏଦୀଙ୍କ ଭିଡ଼ କମାଇବାକୁ ରାଜ୍ୟ ସରକାରଙ୍କୁ ଏଭଳି କିଛି ପ୍ରସ୍ତାବ ଦିଆଯାଇଥିବା ସୂଚନା ଦେଇଛନ୍ତି ନିଜେ ଜେଲ୍ ବିଭାଗ ଡିଜି ମନୋଜ
ଛାବ୍ରା ।

ଗଣମାଧ୍ୟମକୁ ବିସ୍ତୃତ ଭାବେ ସୂଚନା ଦେଇ ସେ କହିଛନ୍ତି- ରାଜ୍ୟର ଅଧିକାଂଶ ଜେଲ୍‌ରେ ଏବେ ନିର୍ଦ୍ଦିଷ୍ଟ ସଂଖ୍ୟାଠାରୁ ଅଧିକ କଏଦୀ ରହୁଛନ୍ତି । ଯାହାକି ବଡ଼  ସମସ୍ୟା ରୂପେ ଉଭା ହୋଇଛି । ଏହାର ମୁଖ୍ୟ କାରଣ ହେଲା-କୋର୍ଟରୁ ବେଲ୍ ମିଳିବାରେ ବିଳମ୍ବ । ବିଶେଷକରି ଯେଉଁ ତିନିଟି କାରଣରୁ ବିଚାରାଧୀନ କଏଦୀଙ୍କୁ କୋର୍ଟ ଜାମିନ୍ ଦେବାରେ ବିଳମ୍ବ କରୁଛନ୍ତି । ସେଗୁଡ଼ିକ ହେଲା

Advertisment
  1. ୧- ଅଭିଯୁକ୍ତ ଖସି ପଳାଇବାର ଡର
  2. ୨- ପୁଣି ଅପରାଧ ଘଟାଇବା ଆଶଙ୍କା
  3. ୩- ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ତଦନ୍ତରେ ବାଧା ଉପୁଜାଇବା ଆଶଙ୍କା

ଯଦି କୌଣସି ବିଚାରାଧୀନ କଏଦୀ ଶରୀରରେ ଜିପିଏସ୍ ଟ୍ରାକର ଲାଗେ, ଏସବୁ ସମସ୍ୟାର ଅତି ସହଜରେ ସମାଧାନ ହୋଇଯିବ । ଅଭିଯୁକ୍ତର ଗୋଡ଼ରେ ଜିପିଏସ୍ ଟ୍ରାକର ଲାଗିଥିଲେ ସେ ଯାହାବି କାର୍ଯ୍ୟକଳାପ କରେ ତାହା ପୋଲିସ୍ ଜାଣିପାରିବ । ଏମିତିକି ଜିପିଏସ୍ ଟ୍ରାକରକୁ ଛିଣ୍ଡାଇବାକୁ ଉଦ୍ୟମ କଲେ କିମ୍ବା ଏହାକୁ ନଷ୍ଟ କରିବାକୁ ଚେଷ୍ଟା କଲେ ପୋଲିସ ପାଖରେ ତତ୍‌କ୍ଷଣାତ୍ ଆଲାର୍ମ ବାଜିବ । ତାସହ ଯେହେତୁ ଜେଲରେ ଜଣେ କଏଦୀ ପିଛା ବର୍ଷକୁ ୧ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି, ତେଣୁ ଅଭିଯୁକ୍ତକୁ ଜାମିନ ଦିଆଯିବାବେଳେ ସର୍ତ୍ତମୂଳକ ଜିପିଏସ୍ ଲଗାଇ ତାକୁ ଘରେ ଛାଡ଼ିଦେଲେ ଜେଲ୍‌ରୁ କଏଦୀ ଚାପ କମିବା ସହ ଖର୍ଚ୍ଚ ମଧ୍ୟ ବହୁପରିମାଣରେ କମିଯିବ ।

ଏବେ ପ୍ରଶ୍ନ କାହଁକି ବିଚାରାଧୀନ କଏଦୀଙ୍କୁ ଜିପିଏସ୍ ଟ୍ରାକିଂରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛି ଜେଲ୍ ବିଭାଗ ? ଯେହେତୁ କୌଣସି ଅପରାଧିକ ଘଟଣାରେ ୭ବର୍ଷରୁ କମ୍ ସଜା ହେଉଥିବା ଭଳି ଦଫାରେ ଗିରଫ ଅଭିଯୁକ୍ତକୁ ଯଥାସମ୍ଭବ ଜେଲ୍‌ରେ ନରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା ରହିଛି ଏବଂ ଖୋଦ୍ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି, ତେଣୁ ରାଜ୍ୟ ଜେଲ୍ ବିଭାଗ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ଲାଗୁ ପାଇଁ ପ୍ରସ୍ତାବ ଦେଇଛି । ତା’ସହ ରାଜ୍ୟର ବିଭିନ୍ନ ଜେଲରେ କଏଦୀ ବୃଦ୍ଧି ଚାପରୁ ମୁକ୍ତି ପାଇଁ ମଧ୍ୟ ବିଚାର କରିଛି ।

କାରଣ ତଥ୍ୟ କହୁଛି- ରାଜ୍ୟର ୮୭ଟି ଜେଲରେ ଏବେ ପ୍ରାୟ ୨୨ ହଜାର କଏଦୀ ରହୁଛନ୍ତି । ଯାହାଙ୍କ ମଧ୍ୟରୁ ଦୋଷୀ ସାବ୍ୟସ୍ତ କଏଦୀଙ୍କ ସଂଖ୍ୟା ମାତ୍ର ୫  ହଜାର ଥିବାବେଳେ ବିଚାରାଧୀନ ବନ୍ଦୀଙ୍କ ସଂଖ୍ୟା ୧୭ ହଜାର ପାଖାପାଖି । ସେପଟେ ଜେଲ୍‌ରେ କଏଦୀଙ୍କ ସଂଖ୍ୟାକୁ ଦେଖିଲେ- ରାଜ୍ୟର ପ୍ରମୁଖ ଜେଲ୍ ଝାରପଡ଼ାରେ ୯୯୧ କଏଦୀ ରହିବାର ବ୍ୟବସ୍ଥା ଥିବାବେଳେ ସେଠି ଅଛନ୍ତି ୧୩୨୦ ।

ସେହିପରି ଯାଜପୁର ଜେଲରେ ୧୩୩ ସ୍ଥାନରେ ୨୩୪, ଭଦ୍ରକରେ ୨୦୧ କଏଦୀଙ୍କ ସ୍ଥାନରେ ଅଛନ୍ତି ୨୬୭ । ତେଣୁ ଏ ସମସ୍ୟାରୁ ମୁକ୍ତି ପାଇଁ ଜିପିଏସ୍ ଟ୍ରାକିଂ ବଡ଼ ଉପାଦେୟ ହେବ ବୋଲି କହିଛନ୍ତି ଜେଲ୍ ଡିଜି । ସେପଟେ ବିଚାରାଧୀନ ବନ୍ଦୀଙ୍କ ଗୋଡ଼ରେ ଜିପିଏସ୍ ବ୍ୟବସ୍ଥାକୁ ମାନବାଧିକାର ଉଲ୍ଲଂଘନ ବୋଲି କହୁଛନ୍ତି ମାନବାଧିକାର କର୍ମୀ । ଏବେ ଦେଖିବାର କଥା କଏଦୀଙ୍କ ଗୋଡ଼ରେ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥାକୁ ଗ୍ରୀନ୍ ସିଗନାଲ ଦେଉଛନ୍ତି ତ ରାଜ୍ୟ ସରକାର ।

GPS Prisoners Tracking Device
Advertisment
Advertisment