ବିକାଶଠୁ ବହୁ ଦୂରରେ ଜାମଟୋଲୀ ଗାଁ; ମିଳୁନି ମୌଳିକ ସୁବିଧା, ପହଞ୍ଚୁନି ସରକାରୀ ଯୋଜନା

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅଧିନରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମ ଜାମଟୋଲୀ ଗ୍ରାମ । ଏ ଗାଁରେ ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରନ୍ତି, କିନ୍ତୁ ଦେଖନ୍ତୁ ଗାଁର ରାସ୍ତା । ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟରେ ବୋହି ରାସ୍ତାର ଶେଷ ମୁଣ୍ଡକୁ ନେଲେ ମିଳେ ଆମ୍ୱୁଲାନ୍ସ ।

ମିଳୁନି ମୌଳିକ ସୁବିଧା... ନାହିଁ ନାହିଁରେ କଟୁଛି ଦିନ

କେଡେ ନୀରିହ ଜାମଟୋଲୀ ଗ୍ରାମବାସୀ... ଆଦିବାସୀ ଅଧ୍ୟୁଷିତ ବୋଲି ମିଳୁନି ମୌଳିକ ସୁବିଧା... ନାହିଁ ନାହିଁରେ କଟୁଛି ଦିନ । ରାସ୍ତା କହିଲେ ଗେଟି ପଥରର ରାସ୍ତା... ପିଇବା ପାଣି ପାଇଁ ଏକମାତ୍ର ସାହାରା ପରିତ୍ୟକ୍ତ ଖୋଲା କୂଅ...ସେପଟେ ଗ୍ରାମାଞ୍ଚଳ ପାଇଁ ଅନେକ ଯୋଜନା କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ସରକାର... କିନ୍ତୁ ଏ ଗାଁରେ ଏଯାଏଁ ବି ପହଞ୍ଚି ପାରିଲାନି ସରକାରୀ ସୁବିଧା ।

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅଧିନରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମ ଜାମଟୋଲୀ ଗ୍ରାମ । ଏ ଗାଁରେ ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରନ୍ତି, କିନ୍ତୁ ଦେଖନ୍ତୁ ଗାଁର ରାସ୍ତା । ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟରେ ବୋହି ରାସ୍ତାର ଶେଷ ମୁଣ୍ଡକୁ ନେଲେ ମିଳେ ଆମ୍ୱୁଲାନ୍ସ । ପିଇବା ପାଣି କଥା ନକିହବା ଭଲ, ପାଣି ମୁନ୍ଦେ ପାଇଁ ଗାଁ ଠୁ ଦୁଇ କିଲୋମିଟର ଦୂର ଯିବାକୁ ପଡ଼େ । ବିଲ ମଝିରେ ଥିବା କୂଅଟି ସାରା ଗାଁର ସାହା.. ଏଇ ପାଣିରେ ରୋଷେଇ ଗାଧୁଆ ପାଧୁଆ ସବୁ ହୁଏ । ବର୍ଷା ଆସିଲେ ବିଲ ପାଣି କୂଅରେ ପଶି ପାଣି ଦୂଷିତ ହୁଏ, ଦୂଷିତ ପାଣି ପିଇ ଲୋକେ ରୋଗରେ ମଧ୍ୟ ପଡ଼ନ୍ତି ।

ଅଧିକ ପଢ଼ନ୍ତୁ: ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ସରିଗଲେ କିଏ କାହାର...ସ୍ବାଧୀନତାର ୭୫ବର୍ଷ ପରେ ମିଳୁନି ମୌଳିକ ସୁବିଧା

ଗାଁ ଗାଁକୁ ପାନୀୟ ଜଳ ଓ ରାସ୍ତା ପାଇଁ ସରକାର କୋଟି କୋଟି ଖର୍ଚ୍ଚ କରୁଥିଲେ ବି ପରିବର୍ତ୍ତନ ହୋଇ ପାରୁନି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରୂପରେଖ... ବଦଳି ପାରୁନି ଦାରିଦ୍ର୍ୟ ସାମାରେଖା ତଳେ ଥିବା ଲୋକଙ୍କ ଭାଗ୍ୟ ।

ଗାଁର ଏ ସମସ୍ୟା କଥା ନେତା ଓ ପ୍ରଶାସନକୁ ବରମ୍ୱାର ଜଣାଇଲେ ମଧ୍ୟ ହୋଇପାରୁନି ସମସ୍ୟାର ସମାଧାନ । ଏଥର କିନ୍ତୁ ସମସ୍ୟାର ସମାଧାନ ନ ହେଲେ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଜାମଟୋଲୀ ଗ୍ରାମବାସୀ । ଏ ନେଇ କୁଆଁରମୁଣ୍ଡା ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ, ତଦନ୍ତ ଚାଲିଛି, ଖୁବଶୀଘ୍ର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ।

ପାଖେଇ ଆସୁଛି ନିର୍ବାଚନ, ପୁଣି ଗାଁକୁ ପହଁଚିବେ ନେତା ଓ ରାଜନେତା, ପୁଣି ମିଳିବ ପ୍ରତିଶ୍ରୁତି, କିନ୍ତୁ ଏଥର ଜାମଟୋଲୀ ବାସୀଙ୍କ ଗୋଟିଏ ଚରମ ନିଷ୍ପତ୍ତି ପ୍ରଥମେ ଗାଁ ସମସ୍ୟାର ସମାଧାନ ପରେ ଭୋଟ୍ l