Advertisment

କମାଲ କରିଦେଲେ ବଣ୍ତାଘାଟିର ଦୁଇ ଭାଇ; କ୍ଷେତରେ ହସୁଛି ନାଲ ଟହଟହ ଷ୍ଟ୍ରବେରୀ

କ୍ଷେତରେ ଲାଗିଛି ଧାଡିକି ଧାଡିି ଷ୍ଟ୍ରବେରୀ ଗଛ। ସବୁଜ ପତ୍ର, ଧଳା ଫୁଲ ସହ ପେନ୍ଥା ପେନ୍ଥା ହୋଇ ଫଳିଛି ଲାଲ୍ ଟହ ଟହ ଷ୍ଟ୍ରବେରୀ। ବାସ୍ନାରେ ମହକି ଯାଉଛି ସାରା ଅଂଚଳ।

author-image
Manoranjan Behera
undefined

Strawberry

ଷ୍ଟ୍ରବେରୀ..ଦିନେ ଓଡ଼ିଶାରେ ସ୍ୱପ୍ନ ଥିଲା ଏହି ବିଦେଶୀ ଫଳର ଚାଷ। ଜଳବାୟୁ ଓ ଅନୁକୂଳ ପରିବେଶ ଥିଲା ଚ୍ୟାଲେଞ୍ଜ। ହେଲେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସୁଆଦିଆ ଫଳର ଚାଷ ହେଉଛି। କମ୍ ସମୟ ଏବଂ ଅଳ୍ପ ପରିଶ୍ରମରେ ମିଳୁଛି ଅଧିକ ଲାଭ। ସେ କନ୍ଧମାଳ ହେଉ କି ମାଲକାନଗିରିର ବଣ୍ଡା ଘାଟି, କ୍ଷେତରେ ହସୁଛି ଲାଲ ଲାଲ୍ ଷ୍ଟ୍ରବେରୀ।

Advertisment

କ୍ଷେତରେ ଲାଗିଛି ଧାଡିକି ଧାଡିି ଷ୍ଟ୍ରବେରୀ ଗଛ। ସବୁଜ ପତ୍ର, ଧଳା ଫୁଲ ସହ ପେନ୍ଥା ପେନ୍ଥା ହୋଇ ଫଳିଛି ଲାଲ୍ ଟହ ଟହ ଷ୍ଟ୍ରବେରୀ। ବାସ୍ନାରେ ମହକି ଯାଉଛି ସାରା ଅଂଚଳ। କନ୍ଧମାଳ ଦାରିଙ୍ଗବାଡି ବ୍ଲକ୍ ସୁଲୁମାହା ଗାଁର ଥଣ୍ଡା ଜଳବାୟୁ, ଅନୁକୂଳ ପରିବେଶ ସାଙ୍ଗକୁ ଜୈବିକ ପଦ୍ଧତିରେ ଚାଷ ଏଥର ଭଲ ଅମଳ ଦେଇଛି। ଏକର ଏକର ଜମିରେ ହସୁଛି ଲାଲ୍ ଲାଲ୍ ଷ୍ଟ୍ରବେରୀ। ପାଚିଲା ଫଳକୁ ତୋଳି, ଓଜନ କରି ବିଲରେ ହିଁ ପ୍ୟାକେଟ୍ କରିିବା ପରେ ଗ୍ରାହକଙ୍କୁ ବିକ୍ରି କରାଯାଉଛି।

ଗତ ନଭେମ୍ବରରେ ଚାରା ରୋପଣ ହୋଇଥିଲା। ଦୁଇ ମାସ ପରେ କ୍ଷେତରେ ଷ୍ଟ୍ରବେରୀ ଭର୍ତ୍ତି। ଗତ ବର୍ଷ ପରୀକ୍ଷା ମୂଳକ ଭାବେ ଦାରିଙ୍ଗବାଡିରେ ମାତ୍ର ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଷ ଆରମ୍ଭ କରାଯାଇଥିଲା। ୪ ମାସରେ ମିଳିଥିଲା ୪ ଗୁଣା ଲାଭ। ଜିଲ୍ଲା ପ୍ରଶାସନର ବେଷ୍ଟ ମଡେଲ ଭାବେ ମାନ୍ୟତା ପାଇବା ପରେ ଏଥର ଜିଲ୍ଲାର ବିଭିନ୍ନ ସ୍ଥାନରେ ଷ୍ଟ୍ରବେରୀ ଚାଷ କରାଯାଇଛି। ପ୍ରଶାସନ ତରଫରୁ ମାଗଣାରେ ଷ୍ଟ୍ରବେରୀ ଚାରା, ତାର ବାଡ, ପଲିଥିନ ଓ ଜଳସେଚନର ସୁବିଧା ଯୋଗାଇ ଦିଆଯାଇଛି।

Advertisment

ମାଲକାନଗିରି ଆଦିମ ଜନଜାତି ବଣ୍ଡା ଘାଟିରେ ଫଳିଛି ଲାଲ ସୁନା। ଯାହାକୁ ଫଳାଇଛନ୍ତି ଘାଟିର ଦୁଇ ଭାଇ ଲକ୍ଷ୍ମଣ ମୁଦୁଲି ଓ ମଙ୍ଗୁଳୁ ମୁଦୁଲି। ଓପିଲିପି ପକ୍ଷରୁ ଆର୍ଥିକ ସହାୟତା ମିଳିବାରୁ ଚାଷ ପାଇଁ ଆଗ୍ରହ ଦେଖାଇଥିଲେ ଦୁଇ ଭାଇ। ଏଥିପାଇଁ ତାଲିମ ମିଳିଥିଲା, ଚାଷ ପ୍ରଣାଳୀ ବି ଶିଖା ଯାଇଥିଲା। ପରେ ନିଜସ୍ୱ ଉଦ୍ୟମରେ ପରିବାର ସହ ମିଶି ଗୋଟିଏ ଏକର ଜମିରେ ଫଳାଇଛନ୍ତି ଷ୍ଟ୍ରବେରୀ। ପ୍ରଥମ ଉଦ୍ୟମରେ ଫଳିଛି ପ୍ରାୟ ୧୦ କ୍ୱିଣ୍ଟାଲ। ଯାହାର ବଜାର ଦର କିଲୋ ପିଛା ୨୫୦ ଟଂକା ରହିଛି।

ଓଡ଼ିଶାରେ ସଫଳ ହେଉଛି ବିଦେଶୀ ଫଳ ଚାଷ। କେବଳ ଚାଷ ତ ହେଉନି, ଚାଷୀଙ୍କୁ ଭଲ ଲାଭ ବି ଦେଉଛି। କୋରାପୁଟ ଓ କନ୍ଧମାଳ ପରେ ବଣ୍ଡା ଘାଟିରେ ବି ଫଳିଛି ଲାଲ ଷ୍ଟ୍ରବେରୀ। ଯାହା ଅନ୍ୟମାନଙ୍କୁ ଏହି ଚାଷ ପ୍ରତି ଆକର୍ଷିତ କରିଛି।

Special Story
Advertisment
Advertisment