ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ; ଠପ୍ ହୋଇଗଲା ଜୀବନଯାତ୍ରା !

ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟାଘଂଟା ଧରି ଅଟକି ରହିଲେ ଯାତ୍ରୀ। କେଉଁଠି ଛାତ୍ରଛାତ୍ରୀ ଓ ଅଧ୍ୟାପକ ତ କେଉଁଠି ତୀର୍ଥଯାତ୍ରୀ, ଗାଡି ନପାଇ ହନ୍ତସନ୍ତ ହୋଇଛନ୍ତି ସମସ୍ତେ ।

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ ଯୋଗୁଁ ରାଜ୍ୟରେ ଅଘୋଷିତ ବନ୍ଦ ଭଳି ସ୍ଥିତି । ଠପ୍ ହୋଇଗଲା ଜୀବନଯାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟାଘଂଟା ଧରି ଅଟକି ରହିଲେ ଯାତ୍ରୀ। କେଉଁଠି ଛାତ୍ରଛାତ୍ରୀ ଓ ଅଧ୍ୟାପକ ତ କେଉଁଠି ତୀର୍ଥଯାତ୍ରୀ, ଗାଡି ନପାଇ ହନ୍ତସନ୍ତ ହୋଇଛନ୍ତି ସମସ୍ତେ । ଜରୁରୀ କାମରେ ଘରୁ ବାହାରିଥିବା ଲୋକେ ବି ହଇରାଣ ହରକତ ହୋଇଛନ୍ତି।

ଷ୍ଟାଣ୍ଡରେ ବସ୍ ଠିଆ ହୋଇଥିଲା, ହେଲେ ଆସିନଥିଲେ ଡ୍ରାଇଭର । ଗଡିନଥିଲା ଗାଡି। ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଯେପରି ଅଘୋଷିତ ଓଡ଼ିଶା ବନ୍ଦ କରିଦେଇଥିଲା। ବରମୁଣ୍ଡା ବସଷ୍ଟାଣ୍ଡ ହେଉ ଅବା ସବୁଠୁ ବ୍ୟସ୍ତବହୁଳ ବାଦାମବାଡି । ପିଲା ଛୁଆଙ୍କୁ ଧରି ଯାତ୍ରୀ ଘଂଟା ଘଂଟା ଧରି ଚାତକ ପରି ଅନାଇ ରହିଥିଲେ ବସର ଗଡିବା ବାଟକୁ । ବସରେ ସେମିତି ବସି ରହିଥିଲେ ଯାତ୍ରୀ । କିଏ ଦି ଘଂଟା ତ କିଏ ୪ରୁ ୫ ଘଂଟା । ଅପେକ୍ଷା କରି କରି ବିରକ୍ତି ହୋଇ ଶେଷରେ ଘରକୁ ଫେରିଥିଲେ ।

କିଏ ଜଗଦଲପୁରରୁ ଆସିଥିଲା ତ କିଏ ପଶ୍ଚିମବଙ୍ଗରୁ । ଭୁବନେଶ୍ୱରରୁ ନିଜ ନିଜ ଘରକୁ ଯାଇଥାନ୍ତେ । ହେଲେ ଷ୍ଟାଣ୍ଡରେ ପହଞ୍ଚିବା ପରେ ହନ୍ତସନ୍ତ ହେବା ଛଡା କିଛି ବାଟ ନଥିଲା। ପୂର୍ବରୁ ସୂଚନା ନଥିବାରୁ ବସକୁ ଅପେକ୍ଷା କରି କରି ଶୋଇପଡିଥିଲେ ଷ୍ଟାଣ୍ଡରେ । ଶ୍ରୀକ୍ଷେତ୍ର ପୁରୀରେ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ବି ଫଶିଥିଲେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନରେ ।

କାଁ ଭାଁ ଚାଲୁଥିବା ଅଟୋରେ ଚଢା ଦର ଦେଇ ବୁଲିବାକୁ ଯାଇଥିଲେ । ସମ୍ବଲପୁରରେ କିଛି ଯାତ୍ରୀ ତ ଜମା ବୁଝି ବିଚାରି ପାରୁନଥିଲେ କରିବେ କଣ । ରାତି ପାହିଲେ ବସ୍ ଧରିବାକୁ ଯୋଜନା କରିଥିଲେ, ଏବେ ପୁଣି ଅପେକ୍ଷା ଆସନ୍ତାକାଲିକ। ବଲାଙ୍ଗୀର ବସଷ୍ଟାଣ୍ଡରେ ସକାଳୁ ସକାଳୁ ପହଞ୍ଚିବା ପରୀକ୍ଷାର୍ଥୀ ଓ ଶିକ୍ଷକ ହଟହଟା ହୋଇଥିଲେ ।

ବ୍ରହ୍ମପୁରରେ ଜରୁରୀକାମରେ ଘରୁ ବାହାରିଥିବା ଅନେକ ନାହିଁ ନଥିବା ହଇରାଣ ହରକତ ହୋଇଛନ୍ତି । ଏଇ ଯେମିତି ମୋହନା ଡଙ୍ଗରିଗାଁର ଦେବରାଜ ମଲ୍ଲିକ । ମାମୁଙ୍କ ଶୁଦ୍ଧରେ ଯୋଗ ଦେବାକୁ ପରିବାର ସହ ଭୋରରୁ ଘରୁ ବାହାରିଥିଲେ । ହେଲେ ଗାଡି ନମିଳିବାରୁ ଶେଷରେ ଟ୍ରାକ୍ଟରରେ ମୋହନା ଯାଏଁ ଆସିଥିଲେ । ସେଠାରୁ କିନ୍ତୁ ଆଉ ଗାଡି ମିଳିନଥିଲା ।

ସୁନ୍ଦରଗଡ ଡ୍ରାଇଭର ମହାସଂଘର ଆନ୍ଦୋଳନରେ ପ୍ରଭାବିତ ହୋଇଛି କୋଇଲା ପରିବହନ । ଖଣି ଅଂଚଳ ସୁନ୍ଦରଗଡରେ ଅଟକି ରହିଥିଲା ଶହ ଶହ ଟ୍ରକ୍ । ଭୁବନେଶ୍ୱରରେ ଏପଟେ ରାଜଧାନୀର ୧ ନମ୍ବର ହାଟକୁ ଆସିପାରିନଥିଲା ବାହାର ରାଜ୍ୟର ପରିବା ଗାଡି ।