• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମ୍ଭବଙ୍କ ପାଇଁ ସବୁ ସମ୍ଭବ । ନାଁ ଯେମିତି କାମ ବି ସେମିତି । ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଉଛନ୍ତି ଛାତ୍ର ସମ୍ଭବ ମିଶ୍ର । କୋଭିଡ କଟକଣା ବେଳେ ଘରେ ବସି ବସି ଏକ ବହି ଲେଖି ଦେଇଛନ୍ତି । ଆଉ ଏଥିପାଇଁ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ସେ ପ୍ରଶଂସାପତ୍ର ପାଇଛନ୍ତି । କେବଳ ବହି ଲେଖାରେ ନୁହେଁ, ଅନ୍ୟ କ୍ଷେତ୍ରରେ ମଧ୍ୟ ସେ ନିଜର ପ୍ରତିଭା ଦେଖାଉଛନ୍ତି ।

କଟକ ଶିଖରପୁର ଅଂଚଳର ଛାତ୍ର 'ସମ୍ଭବ ମିଶ୍ର । ବୟସ ମାତ୍ର ୧୬ ବର୍ଷ । ଯେଉଁ ବୟସରେ ବହି ପଢିବା କଥା ସେହି ବୟସରେ ସେ ଲେଖିଛନ୍ତି ବହି । ଅନେକ ପ୍ରଶଂସା ବି ସାଉଁଟିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ "ବିଜୟୀ ଭବ ଭାରତ" ବହିଲେଖି ଏବେ ସେ ଚର୍ଚ୍ଚାରେ । ଏଥିପାଇଁ ତାଙ୍କୁ ଭାରତର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଠାରୁ ମିଳିଛି ପ୍ରଶଂସା ଓ ଶୁଭେଚ୍ଛା ପତ୍ର।

କେନ୍ଦ୍ର ସରକାରଙ୍କ ୬ ଟି ବଡ ଯୋଜନା ସ୍ୱଚ୍ଛ ଭାରତ ଅଭିଯାନ, ମେକ ଇନ ଇଣ୍ଡିଆ, ବେଟି ବଚାଓ ବେଟି ପଢ଼ାଓ, ନମାମି ଗଙ୍ଗେ, ଜନ ଧନ ଯୋଜନା ଓ ଅଟଳ ପେନସନ ଯୋଜନା ଭଳି ବହୁ ଯୋଜନା ସହ କିଛି ରୋଚକ ଓ କାଳ୍ପନିକ ବିଷୟ ବସ୍ତୁକୁ ସେ ନିଖୁଣ ଭାବେ ତାଙ୍କ ପୁସ୍ତକରେ ଲେଖିଛନ୍ତି, ଯାହାକୁ ସବୁ ବର୍ଗର ଲୋକେ ଅତି ସହଜ ରେ ବୁଝିପାରିବେ । ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ବହି ଲେଖିବା ପ୍ରତି ତାଙ୍କର ରୁଚି ବଢିଥିଲା ବୋଲି କହିଛନ୍ତି ସମ୍ଭବ।

ଖାଲି ବହି ଲେଖା ନୁହେଁ ଅନେକ ପ୍ରତିଭାର ଅଧିକାରୀ ହୋଇଛନ୍ତି ସମ୍ଭବ । ପୂର୍ବରୁ ୯ ଇଞ୍ଚର ଏକ ୱାଶିଂମେସିନ ତିଆରି କରି ଇଣ୍ଡିଆ ବୁକ ଅଫ ରେକର୍ଡସରେ ନିଜ ନାମକୁ ସ୍ଥାନିତ କରିଥିଲେ । ଏହାଛଡା ସେ 'ଫ୍ରାସ ଉପାଧି' ଅର୍ଥାତ ରୟାଲ ଏସିଆଟିକ ସୋସାଇଟି ଅଫ ଗ୍ରେଟ ବ୍ରିଟେନରୁ ସର୍ବକନିଷ୍ଠ ଫେଲୋସିପ ପାଇଛନ୍ତି । ଆମେରିକାର ଗଭର୍ଣ୍ଣରଙ୍କ ଠାରୁ ମଧ୍ୟ "କେଂଚୁକି କଲୋନେଲ" ଉପାଧି ହାସଲ କରିଛନ୍ତି ସମ୍ଭବ ।

କଏନ କଲେକ୍ସନ, ଷ୍ଟାମ୍ପ କଲେକ୍ସନ ସହ ଗୀତ ଗାଇବା ଓ ଚିତ୍ର ଆଙ୍କିବାରେ ରୁଚି ରଖିଛନ୍ତି ସମ୍ଭବ । ସେ ନିଜସ୍ଵ ଜ୍ଞାନ କୌଶଳରେ ବିଶ୍ଵର ସବୁଠାରୁ ବଡ଼ ମହାକାଶ ସଂସ୍ଥା ନାସା ପାଇଁ ଏକ ସୁନ୍ଦର ଲୋଗୋ ମଧ୍ୟ ପ୍ରସ୍ତୁତ କରିଛନ୍ତି । ତେବେ ପୁଅର ଏଭଳି ସଫଳତାକୁ ନେଇ ଖୁସି ପ୍ରକାଶ କରିଛନ୍ତି ପରିବାର ଲୋକେ । ଆଗକୁ ସମ୍ଭବଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବେ । ସେ ସମାଜରେ ଭଲ ମଣିଷ ଟିଏ ହେଉ ବୋଲି କହିଛନ୍ତି ସମ୍ଭବଙ୍କ ମା ।

କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟଙ୍କ ରିପୋର୍ଟ