• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇସ୍ତଫା ଦେଲେ ନବୀନଙ୍କ ସମସ୍ତ ମନ୍ତ୍ରୀ । ଜଣଙ୍କ ପରେ ଜଣେ ମନ୍ତ୍ରୀ ପାଖକୁ ଫୋନ୍‌ କଲ୍ ଯାଇଛି ।  ପ୍ରଥମଥର ପାଇଁ ନବୀନ ସରକାରରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ ଫୋକସ୍‌ କରି ନୂଆ ଟିମ୍‌ ଗଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ନବୀନଙ୍କ ମନ୍ତ୍ରିମଣ୍ଡଳର ଆମୁଳଚୂଳ ପରବର୍ତ୍ତନ କରାଯିବ । ନବୀନଙ୍କ ନୂତନ ଟିମରେ ପ୍ରଦୀପ ଅମାତ ଓ ଲତିକା ପ୍ରଧାନ ନୂଆ ମନ୍ତ୍ରୀ ହେବା ସମ୍ଭାବନା ରହିଛି । ସେହିପରି ସମ୍ଭାବ୍ୟ ନୂଆ ମନ୍ତ୍ରୀ ତାଲିକାରେ ଆଉ କିଛି ନାଁ ମଧ୍ୟ ଚର୍ଚ୍ଚାକୁ ହେଉଛି । କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର, କେନ୍ଦ୍ରାପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ମୟୂରଭଞ୍ଜରୁ ବାସନ୍ତୀ ହେମ୍ବ୍ରମ୍,ବାଲେଶ୍ୱରରୁ ଅଶ୍ୱିନୀ ପାତ୍ରଙ୍କୁ ସୁଯୋଗ ମିଳିବ ବୋଲି କୁହାଯାଉଛି । ତେବେ ଆସନ୍ତାକାଲି ୧୧.୪୫ରେ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି । ଲୋକସେବା ଭବନର କନଭେନସନ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । 

nAVEEN
(ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ତାଲିକା)

 

naveen
(ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ତାଲିକା)

 

ମନ୍ତ୍ରୀଙ୍କ ଇସ୍ତଫାପର୍ବ ମଧ୍ୟରେ ବିଜେଡିର ନବକଳେବର ସ୍ପଷ୍ଟ ହୋଇସାରିଛି  । ମନ୍ତ୍ରିମଣ୍ଡଳରେ ନୂଆ ଚେହେରା ଏଣ୍ଟ୍ରି ମାରିବେ । ବିବାଦରେ ଥିବା ଓ ବିବାଦରେ ନଥିବା ସମସ୍ତ ମନ୍ତ୍ରୀ ହିଁ ଚଳିତ ଥର ବଦଳିବେ । ତେବେ ନୂଆ ମନ୍ତିମଣ୍ଡଳରେ କାହାକୁ ମିଳିବ ସୁଯୋଗ ? କାହା ଉପରେ ଭରସା କରିବେ ନବୀନ, ତାହା ଆସନ୍ତାକାଲି ଜଣାପଡ଼ିବ । ସାଧାରଣ ନିର୍ବାଚନା ପାଇଁ ନବୀନ ଏକ ନୂଆ ଟିମ୍‌ ଆଣିବାକୁ ଚାହୁଁଛନ୍ତି । ଦଳ ଭିତରେ ଅସନ୍ତୋଷ ନବଢ଼ିବା ପାଇଁ ସମସ୍ତଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ।

ତେବେ ଅସନ୍ତୁଷ୍ଟ ନେତାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯିବ । ଯେଉଁମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯିବ ସେମାନଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ । ବିବାଦ ମଧ୍ୟରେ ଥିବା ନେତାଙ୍କୁ ମଧ୍ୟ ସଂଗଠନ ଦାୟିତ୍ୱ ଦିଆଯିବ ବୋଲି କୁହାଯାଉଛି । ଅନ୍ୟପଟେ ନୂଆ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଆସୁଥିବା ସୂଚନା ମିଳିଛି।