Odia jawan martyred in Poonch terror attack
ଜମ୍ମୁ ଓ କାଶ୍ମୀରର ପୁଞ୍ଛରେ ଆତଙ୍କବାଦୀ ନିରୋଧୀ ଅପରେସନରେ ସାମିଲ ଥିବା ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଛନ୍ତି। ଗତକାଲି ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ କରିଥିଲେ। ସହିଦ ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଅଛନ୍ତି। ତାଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମ ପଞ୍ଚାୟତର ଖଣ୍ଡାୟତ ସାହିରେ।
୨୦୨୧ ମସିହା ଅକ୍ଷୟ ତୃତୀୟାରେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ଦେବାଶିଷ ବିବାହ କରିଥିବାବେଳେ ତାଙ୍କର ୭ ମାସର କନ୍ୟା ସନ୍ତାନ ରହିଛି। ଦିନକ ପରେ ଦେବାଶିଷ ବିବାହ ବାର୍ଷିକୀ ପାଳନ କରିଥାନ୍ତେ, କିନ୍ତୁ ତା’ ପୂର୍ବରୁ ସେ ସହିଦ ହୋଇଯାଇଛନ୍ତି। ଦେବାଶିଷଙ୍କ ବିୟୋଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀମାନେ ତାଙ୍କୁ ଝୁରି ଝୁରି କାନ୍ଦୁଛନ୍ତି। ପୁରା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଦେବାଶିଷ ଥିଲେ ଘରର ବଡ଼ ପୁଅ ।
ଦେଶ ପାଇଁ ଭାଇ ସହିଦ ହେବା ପରେ ସମ୍ପର୍କୀୟ ଭାଇ କାନ୍ଦି କାନ୍ଦି କହିଛନ୍ତି, ‘ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସେ ପିଲା ଥିଲା। ସେ କାହାକୁ କିଛିବି କୁହେ ନାହିଁ। ଆମ ଗାଁ ପାଇଁ ସେ ଗର୍ବ ଥିଲା। ଦଶହରାରେ ଯେତେବେଳେ ଦେବାଶିଷ ଗାଁକୁ ଆସେ ଆମ ସହ ସେ ପାଇକ ଖେଳେ। ସେସବୁ ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି।
ସୂଚନାଥାଉ କି, ଗତକାଲି ପୁଞ୍ଛରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ। ସେମାନେ ହେଲେ ହାବିଲଦାର ମନଦୀପ ସିଂ, ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଓ କୁଲୱନ୍ତ ସିଂ, ସିପାହୀ ହରକ୍ରିଷନ ସିଂ ଓ ସେବକ ସିଂ। ସେନାର White Knight Corps ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି।
(ରିପୋର୍ଟ- ଦ୍ୱିତୀକୃଷ୍ଣ ପଟ୍ଟନାୟକ, ପିପିଲି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1682044393.jpg)