ITBP Deepak
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଆଫଗାନିସ୍ତାନର ଭୟଙ୍କର ପରିସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ହେଲେ ବାସ୍ତବରେ ସେମାନେ କେତେ ଭୟଙ୍କର ତାହା ବଖାଣିଛନ୍ତି ଜଣେ ଓଡ଼ିଆ ବ୍ୟକ୍ତି। କେଉଁ ପରିସ୍ଥିତିରେ ସେଠାରୁ ଆସିବାକୁ ପଡିଲା, କେମିତି ଥିଲା ସେତେବେଳର ସ୍ଥିତି, କ୍ଷଣ କ୍ଷଣକେ କିପରି ଫୁଟୁଥିଲା ଗୁଳି, ରକେଟ ଲଂଚର ମଧ୍ୟ ମାଡ଼ କରୁଥିଲେ ତାଲିବାନୀ ଆତଙ୍କବାଦୀ । ଦୋହଲି ଯାଉଥିଲା ଘରର କାନ୍ଥବାଡ଼ । ଏଭଳି ସ୍ଥିତିରେ କାନ୍ଧାହାରରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସରେ ଥିବା ୭ କୂଟନେତିକ ପ୍ରତିନିଧିଙ୍କୁ ବାହାର କରିଥିଲେ ଆଇଟିବିପିର ସୁରକ୍ଷାକର୍ମୀ । ଏଥିରେ ଥିଲେ ITBPର ଓଡ଼ିଆ ଯବାନ ଦୀପକ ଚୌଧୁରୀ। ଆସନ୍ତୁ ଶୁଣିବା ତାଙ୍କ ମୁହଁର ଜୀବନ୍ତ କାହାଣୀ।
Also Read
କହନ୍ତି, ‘ଆଫଗାନିସ୍ତାନର ସ୍ଥିତି ବହୁତ ଭୟଙ୍କର ଥିଲା। ୭ କୂଟନେତିକ ପ୍ରତିନିଧିଙ୍କୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ଅପରେଶନ। ଟୋଟାଲ ଅପରେଶନ ୬୨ ଘଣ୍ଟାର ଥିଲା। ଦୁଇଟି ଗାଡ଼ିରେ ସେମାନଙ୍କୁ ଏୟାରପୋର୍ଟ ପର୍ଯ୍ୟନ୍ତ ଆଣିଥିଲୁ। ଆସିବା ବାଟରେ ଫାୟାରିଂ ହେଉଥିଲା। ବିସ୍ଫୋରଣ ବି ହେଉଥିଲା। ରାସ୍ତା ବାରମ୍ବାର ବଦଳାଇ ଯାଇଥିଲୁ। ଆମ ଉପରକୁ ବି ଗୁଳି ମାଡ ହେଉଥିଲା। ଦେଖୁଥିଲୁ, ଯେଉଁଠୁ ଧୂଆ ବାହାରୁନି, ଯେଉଁ ପଟୁ ଗୁଳି ଶବ୍ଦ ଆସୁନି ସେହି ରାସ୍ତା ଦେଖି ଆମେ ଆସିଥିଲୁ।’ ଏହି ପରି କଠିନ ପରିସ୍ଥିତିରେ ପ୍ରାୟ ୪୦ କିମି ରାସ୍ତା ଅତିକ୍ରମ କରି ବିମାନ ବନ୍ଦରରେ ପହଞ୍ଚିଥିଲେ ଦୀପକ ଓ ତାଙ୍କ ଟିମ୍। ଏତିକି ରାସ୍ତା ଆସିବା ପାଇଁ ତାଙ୍କୁ ପ୍ରାୟ ୨ ଘଣ୍ଟା ଲାଗିଥିଲା।
ଯାହା ହେଉ, ଦୀପକ ଘରକୁ ଫେରି ଆସିବା ପରେ ଘରେ ଖୁସିର ଲହରି ଖେଳିଯାଇଛି। କେନ୍ଦ୍ରାପଡ଼ା ମହାକାଳଫଡ଼ା ବ୍ଲକ ନଳଦିଆ ଶାସନ ଗାଁର ବାସିନ୍ଦା ଦୀପକ ଚୌଧୁରୀ । କେବଳ ଦୀପକ ନୁହନ୍ତି, ଦୀପକଙ୍କ ସମେତ ଆଇଟିବିପିର ୪୬ କମାଣ୍ଡୋ ଭାରତୀୟ ବାଣିଜ୍ୟିକ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ବିମାନବନ୍ଦରକୁ ଆଣିଥିଲେ । ଏହାପରେ ବାୟୁସେନାର ସି-୧୭ ବିମାନରେ ସୁରକ୍ଷିତ ଭାବେ ସମସ୍ତେ ନୂଆଦିଲ୍ଲୀ ଫେରିଥିଲେ ।
ଦୀପକ କାନ୍ଧାହାରରେ ମୁତୟନ ଥିବାରୁ ଚିନ୍ତାରେ ଥିଲେ ତାଙ୍କ ପରିବାର ଏବଂ ଗ୍ରାମବାସୀ । ଆଫଗାନରେ ଯୁଦ୍ଧ ପରିସ୍ଥିତି ଚାଲିଥିବାବେଳେ କେମିତି ସୁରକ୍ଷିତ ପୁଅ ଫେରିବ ସେ ଚିନ୍ତା କରୁଥିଲେ ବାପମା’। ଟିଭିରୁ ଆଫଗାସ୍ତାନର ସ୍ଥିତି ଦେଖି ବାପା ଖାଇବା ପିଇବା ଛାଡି ଦେଇଥିଲେ। ମା’ କାନ୍ଦି କାନ୍ଦି ଦିନ କାଟୁଥିଲେ। ପୁଅ ସକୁଶଳ ଫେରିଆସୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ସରକାରଙ୍କ ଉଦ୍ୟମ କ୍ରମେ ପୁଅ ସ୍ୱଦେଶ ଫେରିଥିବାରୁ ପରିବାରରେ ଏବେ ଖୁସିର ଲହରି ଖେଳିଯାଇଛି।
ସଠିକ ସମୟରେ ଭାରତ ସରକାରଙ୍କ ନିଷ୍ପତ୍ତି ଯୋଗୁ ଆଫଗାନିସ୍ଥାନରେ ଥିବା ଦୂତାବାସର ସମସ୍ତ କର୍ମଚାରୀ ସକୁଶଳ ସ୍ୱଦେଶ ଫେରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us